ଭୁବନେଶ୍ବର: ବିଭିନ୍ନ ସହରାଞ୍ଚଳରେ ରାଜ୍ୟ ସରକାର ଆହାର ମିଲ୍ ଯୋଗାଉଥିବା ବେଳେ ଏଥିପାଇଁ ନଗର ଉନ୍ନୟନ ବିଭାଗ ବିଭିନ୍ନ ସଂସ୍ଥାରୁ ପାଣ୍ଠି ଯୋଗାଡ଼ କରିଥିଲା। ଏବେ ଏଥିପାଇଁ ପୌରସଂସ୍ଥାଗୁଡ଼ିକୁ ପାଣ୍ଠି ଯୋଗାଡ଼ କରିବାକୁ କହିବା ପରେ ବିଏମ୍ସି ଏବେ ଦାତା ଖୋଜୁଛି। କିପରି ବିଭିନ୍ନ ସରକାରୀ ଉଦ୍ୟୋଗ, ଘରୋଇ ସଂସ୍ଥା ସେମାନଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ବିଏମ୍ସିକୁ ଏଥିପାଇଁ ଅର୍ଥ ଦେବେ, ସେନେଇ ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ରାଜଧାନୀରେ ଏବେ ୧୨ଟି ଆହାର କେନ୍ଦ୍ରରେ ଦୈନିକ ୯୨୦୦ଟି ମିଲ୍ ଆବଣ୍ଟନ ହେଉଛି। ଲୋକଙ୍କୁ ୫ଟଙ୍କାରେ ଭାତ ଡାଲମା ଦିଆଯାଉଛି। ତେଣୁ ଏତେ ଲୋକଙ୍କୁ ୫ଟଙ୍କାରେ ଭାତ ଡାଲମା ଯୋଗାଇବା ସମ୍ଭବ ନଥିବାରୁ ବିଏମ୍ସି ପକ୍ଷରୁ ବିଭିନ୍ନ ସଂସ୍ଥାଙ୍କର ସାହାଯ୍ୟ ଲୋଡ଼ା ଯାଇଛି। ଆଜି ବିଏମ୍ସି ଅତିରିକ୍ତ କମିସନର୍ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବିଏମ୍ସି ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ନାଲ୍କୋ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍, ମେ’ ଫେୟାର, ଟ୍ରାଇଡେଣ୍ଟ ହୋଟେଲ, ସ୍ବସ୍ତି ଗ୍ରୁପ୍, ସ୍କାଏ ଅଟୋମୋବାଇଲ୍ସ, ଆକ୍ସିସ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଏଥିରେ ବିଏମ୍ସି ଅତିରିକ୍ତ କମିସନର୍ ଶ୍ରୀ ମଲ୍ଲିକ ବିଏମ୍ସିର ଆଭିମୁଖ୍ୟ କହିବା ସହ କର୍ପୋରେଟ୍ ସଂସ୍ଥାଗୁଡ଼ିକର ସହାୟତା ଲୋଡ଼ିଥିଲେ। କିଏ କେତେ ଟଙ୍କା ସାହାଯ୍ୟ କରିପାରିବେ, ପଚାରିଥିଲେ। ଏହାପରେ କର୍ପୋରେଟ୍ ସଂସ୍ଥାଗୁଡ଼ିକ ବିଏମ୍ସି କର୍ତ୍ତୃପକ୍ଷଙ୍କୁ କହିଥିଲେ ଯେ ସେମାନେ କାହାଠାରୁ କେତେ ସାହାଯ୍ୟ ଚାହୁଛନ୍ତି, ତା’ର ତାଲିକା ପ୍ରସ୍ତୁତ କରି ଡିସେମ୍ବର ୩୦ ତାରିଖ ସୁଦ୍ଧା ଜଣାନ୍ତୁ। ଏହାପରେ ସବିଶେଷ ଆଲୋଚନା ହେବ। ବିଏମ୍ସି କର୍ତ୍ତୃପକ୍ଷ ଡିସେମ୍ବର ଶେଷ ସୁଦ୍ଧା ତାଲିକା ପ୍ରସ୍ତୁତ କରି ଜଣାଇବା ସହ ଜାନୁଆରିରେ ଦ୍ବିତୀୟ ବୈଠକ ବସିବ ବୋଲି ବିଏମ୍ସିର ଡେପୁଟି କମିସନର୍ କମଳାକାନ୍ତ ବେହେରା କହିଛନ୍ତି।