ଭୁବନେଶ୍ବର, ୧୫/୫(ଇମିସ): ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଜମିକୁ ଭଡ଼ା ଦେଉଛି ବିଏମ୍ସି। ଭଡ଼ା ବାବଦରୁ ବିଏମ୍ସିର ଯେତିକି ରାଜସ୍ବ ଆସୁଛି ତା’ ଠାରୁ ଅଧିକ ହାତଗୁଞ୍ଜା ମିଳୁଛି। ଏଭଳି ସ୍ବୀକୃତି ଦେଇ କର୍ମଚାରୀ ମାଲେମାଲ୍ ହେଉଛନ୍ତି। ଏକଥା ଆମେ କହୁନୁ, ବରଂ ବିଏମ୍ସିର ଦକ୍ଷିଣ ପଶ୍ଚିମ ଜୋନ୍ ଜେଡ୍ଡିସି ରବିନାରାୟଣ ଜେଠୀଙ୍କ ଏକ ଚିଠି କହୁଛି। ରାସ୍ତାକଡ଼ରେ ଏକ ପ୍ଲାଷ୍ଟିକ୍ ବଜାର ପାଇଁ ସ୍ବୀକୃତି ଦେଇଥିବା ଜଣେ କର୍ମଚାରୀଙ୍କୁ ଶ୍ରୀ ଜେଠୀ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସେଥିରେ ଲେଖିଛନ୍ତି ବ୍ୟକ୍ତିଗତ ଲାଭ ପାଇ ସମ୍ପୃକ୍ତ କର୍ମଚାରୀ ଏହି ସ୍ବୀକୃତି ପ୍ରଦାନ କରିଛନ୍ତି। ଅମୀନ, ୱାର୍ଡ ସୁପର ଭାଇଜର କିମ୍ବା ୱାର୍ଡ ଅଫିସରଙ୍କ ବିନା ଯାଞ୍ଚ୍ ରିପୋର୍ଟରେ ସମ୍ପୃକ୍ତ କର୍ମଚାରୀ ଏନ୍ଓସି ଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କୁ ଅନ୍ଧାରରେ ରଖି ଏହି ବେଆଇନ କାମ ହୋଇଥିବାରୁ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସେ ନେଇ ଉତ୍ତର ରଖିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନୋଟିସ୍ ଦିଆଯାଇଛି।
ପ୍ଲାଷ୍ଟିକ୍ ବଜାର ସ୍ବୀକୃତିକୁ ନେଇ ଅଧିକାରୀ-କର୍ମଚାରୀ ଭିଡ଼ାଭିଡ଼ି
କିରାଣୀଙ୍କୁ କାରଣ ଦର୍ଶାଅ ନୋଟିସ୍
ନୋଟିସ୍ ମୁତାବକ, ନୂଆପଲ୍ଲୀ ଦୁର୍ଗାମଣ୍ଡପ ନିକଟ ପ୍ଲଟ୍ ନମ୍ବର ୧୮/୨ରେ ଏକ ପ୍ଲାଷ୍ଟିକ୍ବଜାର ଖୋଲିଛି। ୩ ହଜାର ବର୍ଗଫୁଟ୍ ଅଞ୍ଚଳରେ ଥିବା ଏହି ଦୋକାନ ପାଇଁ ଆକାଶ ଚନ୍ଦ୍ର ଲେଙ୍କାଙ୍କୁ ଏନ୍ଓସି ଦେଇଛନ୍ତି ମାନସ ପ୍ରଧାନ(ଟ୍ୟାକ୍ସ କଲେକ୍ଟର)। ଗୋଟିଏ ମାସ ପାଇଁ ସମ୍ପୃକ୍ତ ସଂସ୍ଥା ୨୮ ହଜାର ୫ଶହ ଟଙ୍କା ଜମା କରିଛି। କିନ୍ତୁ ଏଥିରେ ଲାଇସେନ୍ସ ଫି ଓ ପରିମଳ ଦେୟ ଯୋଗ କରାଯାଇ ନାହିଁ। ମନ୍ଦ ଉଦ୍ଦେଶ୍ୟ ରଖି ସମ୍ପୃକ୍ତ କର୍ମଚାରୀ ଏଭଳି ଅନୁକମ୍ପା ଦେଖାଇଛନ୍ତି। ଯାହା ଫଳରେ ବିଏମ୍ସି ମୋଟା ଅଙ୍କର ରାଜସ୍ବ ହରାଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ ମନି ରସିଦ୍ ଇସ୍ୟୁ କରିବାର କ୍ଷମତା ଦିଆଯାଇ ନାହିଁ। ସେ ତାଙ୍କ କ୍ଷମତାକୁ ଅପବ୍ୟବହାର କରିଛନ୍ତି ବୋଲି ନୋଟିସ୍ରେ ଦର୍ଶାଯାଇଛି।
ଏହି ଗୋଟିଏ ଘଟଣା ନୁହେଁ, ଦକ୍ଷିଣ-ପଶ୍ଚିମ ଜୋନ୍ରେ ଏଭଳି ଅନେକ ଅସ୍ଥାୟୀ ସ୍ବୀକୃତି ଦିଆଯାଇଛି। ୪ଟି ପ୍ଲାଷ୍ଟିକ୍ ବଜାର ରହିଛି। ସେଗୁଡ଼ିକ ମଧ୍ୟ ଅମୀନଙ୍କ ବିନା ତଦନ୍ତ ରିପୋର୍ଟରେ ଏନ୍ଓସି ଦିଆଯାଇଛି। ଏନ୍ଓସିରେ ଯେତିକି ଅଞ୍ଚଳ ଦେଖାଯାଇଛି ବାସ୍ତବରେ ତା’ ଠାରୁ ଢେର୍ ଅଧିକ ଜାଗାରେ ଦୋକାନ ହୋଇଛି। ଏହି ଜୋନ୍ରେ ୭ଟି ନର୍ସରି ରହିଛି। ଏଥିରୁ ଗୋଟିଏ ହେଲେ ବି ଏନ୍ଓସି ପାଇ ନାହାନ୍ତି। ଅଧିକାରୀଙ୍କ ଅନୁକମ୍ପାରେ ଏ ସବୁ ଉଚ୍ଛେଦ ହେଉ ନାହିଁ। ଏ ସବୁରୁ ହାତଗୁଞ୍ଜା କିଏ ନେଉଛି? ଯଦି କର୍ମଚାରୀ ନେଉଛନ୍ତି ତେବେ ଜେଡ୍ଡିସି ଏଯାବତ୍ କାହିଁକି କାରଣ ଦର୍ଶାଅ ନୋଟିସ୍ ଜାରି କରିନାହାନ୍ତି।
ତେବେ ଏହି ଗୋଟିଏ ଜୋନ୍ ନୁହେଁ, ବରଂ ଦକ୍ଷିଣପୂର୍ବ ଜୋନ୍ରେ ମଧ୍ୟ ବ୍ୟାପକ ଘୋଟାଲା ଚାଲିଛି। ୟୁନିଟ୍-୧ରେ ଥିବା ରାସ୍ତା ଉପରେ ଦୋକାନ ପାଇଁ ଏନ୍ଓସି ଦିଆଯାଇଛି। ଏହି ଜୋନ୍ରେ ମଧ୍ୟ ପ୍ଲାଷ୍ଟିକ୍ ବଜାର ପାଇଁ ଏନ୍ଓସି ଦିଆଯାଇଛି। ସେଗୁଡ଼ିକ ମଧ୍ୟ ବେଆଇନ ଭାବରେ ପ୍ରତ୍ୟେକ ମାସରେ ଏନ୍ଓସିର ନବୀକରଣ କରାଯାଉଛି। ଏହି ଏନ୍ଓସି ଦେବାରେ ପ୍ରତି ଜୋନ୍ କାର୍ଯ୍ୟାଳୟରେ ବ୍ୟାପକ ଘୋଟାଲା ଚାଲିଛି। ଅଧିକାରୀ କର୍ମଚାରୀ ସମସ୍ତେ ସାମିଲ ଅଛନ୍ତି। ଟିକିଏ ଏପଟ ସେପଟ ହେଲେ କାରଣ ଦର୍ଶାଅ ନୋଟିସ୍ ଜାରି ହେଉଥିବା ଚର୍ଚ୍ଚା ହେଉଛି।