ସୁମନ୍ତ ପରିଡ଼ା
ଭୁବନେଶ୍ବର: ରାଜନୀତିର ପଶାପାଲିରେ ରାଜଧାନୀ ଭୁବନେଶ୍ବରର ବିକାଶ। ବେଶ କିଛି ମାସ ହେବ ରାସ୍ତାଘାଟଠାରୁ ଆରମ୍ଭ କରି ୱାର୍ଡର ବିକାଶ କାର୍ଯ୍ୟ ଗତି ଧରୁନି। କେଉଁଠି ୱାର୍ଡ କାର୍ଯ୍ୟାଳୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି ତ କେଉଁଠି ରାସ୍ତାଘାଟ, ନାଳ, ପାର୍କ ଓ ଅନ୍ୟାନ୍ୟ ବିକାଶ କାମ ଅଟକିଛି। ଏହାକୁ ନେଇ ପ୍ରତିଥର କର୍ପୋରେସନ୍ ବୈଠକରେ ତମ୍ବି ତୋଫାନ ହେଉଛି। କର୍ପୋରେଟର୍ମାନେ ଜବାବ ମାଗୁଛନ୍ତି। କିନ୍ତୁ ମେୟର ସବୁଥର ଅନୁଦାନ ନ ଥିବା କହି ହାତ ଟେକି ଦେଉଛନ୍ତି। ରାଜ୍ୟ ସରକାରଙ୍କୁ ଚିଠି ଲେଖିଛୁ, ଅନୁଦାନ ମିଳିଲେ କାମ ହେବ ବୋଲି ସଫେଇ ଦେଉଛନ୍ତି। କିନ୍ତୁ ସବୁରି ମୂଳରେ ଗତବର୍ଷର ପ୍ରାୟ ୩୦୦ କୋଟି ଟଙ୍କାର ବ୍ୟୟ ଭାର ବୋଲି ଜଣାପଡ଼ିଛି। କର୍ପୋରେଟର୍ମାନେ କହିଛନ୍ତି, ବିଗତ ବର୍ଷଗୁଡ଼ିକରେ ବଜେଟ୍ରେ ଏଭଳି ସମସ୍ୟା ନ ଥିଲା। କିନ୍ତୁ ଯେବେଠୁ ସରକାର ବଦଳିଛନ୍ତି, ସତେ ଯେପରି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଞ୍ଚଳର ବିକାଶ ମନ୍ଥର ପଡ଼ିଯାଇଛି। ବିଏମ୍ସି ବିଜେଡି ଦଖଲରେ ଓ ସରକାରରେ ବିଜେପି ଥିବାରୁ ଏଭଳି ଆର୍ଥିକ ଅସ୍ଥିରତା ଦେଖାଦେଇଛି।
୨୦୨୪-୨୫ ଆର୍ଥିକ ବର୍ଷରେ ବିଏମ୍ସି ବଜେଟ୍ ପ୍ରାୟ ୧୫୧୪ କୋଟି ଟଙ୍କା ଥିଲା। ଏଥିରେ ସରକାରୀ ଅନୁଦାନ ପ୍ରାୟ ୫୫୦ କୋଟି ଟଙ୍କା ଓ ୨୦୨୩-୨୪ ବର୍ଷର ବଳକା ବଜେଟ୍ ଥିଲା ୬୩୨.୯୫ କୋଟି ଟଙ୍କା। ସରକାରୀ ଅନୁଦାନରୁ ରାଜସ୍ବ ଅନୁଦାନ ୨୫୫.୯୫ କୋଟି ଓ ପୁଞ୍ଜି ଅନୁଦାନ ୨୯୦.୨୧ କୋଟି ଟଙ୍କା ଥିଲା। ବାକି ଟିକସ, ଭଡ଼ା, ୟୁଜର୍ସ ଫି, ହୋର୍ଡିଂ ଆଦି କ୍ଷେତ୍ରରୁ ଆୟ ହେଉଥିଲା। ଚଳିତବର୍ଷର ବଜେଟ୍ ୧୪୩.୧୩ କୋଟି ଟଙ୍କାର ବଳକା ଖାତାରୁ ଆରମ୍ଭ ହୋଇଛି ଏବଂ ସଂପୂର୍ଣ୍ଣ ବଜେଟ୍ ପରିମାଣ ହଜାରେ କୋଟି ତଳକୁ ଖସିଆସିଛି। ୨୦୨୫-୨୬ ବର୍ଷ ପାଇଁ ବିଏମ୍ସି ୯୫୮.୭୮ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛି। ଯେଉଁଥିରେ ପ୍ରାୟ ୪୪୮ କୋଟି ଟଙ୍କାର ସରକାରୀ ଅନୁଦାନକୁ ହିସାବକୁ ନିଆଯାଇଛି। ଏଥିରେ ୨୦୧.୩୪ କୋଟି ଟଙ୍କା ରାଜସ୍ବ ଅନୁଦାନ ଓ ୨୪୭.୮୭ କୋଟି ଟଙ୍କାର ପୁଞ୍ଜି ଅନୁଦାନ ରହିଛି। ପ୍ରାୟ ୫୦୦ କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରୁ ଆୟ ଲକ୍ଷ୍ୟ ରଖାଯାଇଛି।
ସବୁ ୱାର୍ଡରେ ବିକାଶ ଅଧପନ୍ତରିଆ
ଟଙ୍କା ନାହିଁ କହି ହାତ ଟେକିଦେଉଛି ବିଏମ୍ସି
ଗତବର୍ଷ ବାର୍ଷିକ ବଜେଟ୍ ଥିଲା ୧୫୧୪ କୋଟି, ଏ ବର୍ଷ ୯୫୮ କୋଟି
୪୪ ନମ୍ବର ୱାର୍ଡ ବିଜେଡି କର୍ପୋରେଟର୍ ଅଜିତ ବେହେରା କହିଛନ୍ତି, ୬୭ଟି ୱାର୍ଡରୁ ଏବେ ବି ୨୭ଟି ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନି। ଏଥିପାଇଁ ସରକାର ଜାଗା କି ଅନୁଦାନ ଦେଉନାହାନ୍ତି। ବିଏମ୍ସିରେ ଥିବା ଜନ ଆରୋଗ୍ୟ କେନ୍ଦ୍ର ଅବସ୍ଥା ବି ସମାନ। ଅନୁଦାନ ଆସୁନଥିବାରୁ ଏଠାରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହେବାରେ ଲାଗିଛି। ପୂର୍ବରୁ ପ୍ରତି ୱାର୍ଡର ଖର୍ଚ୍ଚ ୧ କୋଟି ଟଙ୍କା ଥିଲା। ବିଜେପି ସରକାରକୁ ଆସିବା ପରେ ୱାର୍ଡ ଖର୍ଚ୍ଚ ୫୦ଲକ୍ଷ ଟଙ୍କାକୁ କମାଇ ଦିଆଯାଇଛି। ୩୯ ନମ୍ବର ୱାର୍ଡ ବିଜେପି କର୍ପୋରେଟର୍ ଗୀତାଞ୍ଜଳି ସାହୁ କହିଛନ୍ତି, ବିଜେପି ସରକାରକୁ ଆସିବା ପରେ ବିଏମ୍ସିକୁ ଅନୁଦାନ ବନ୍ଦ କଥା ମିଛ। ନିକଟରେ ସରକାର ସହରାଞ୍ଚଳ ଜଳବନ୍ଦି ସମସ୍ୟା ଦୂର ପାଇଁ ୨୦୦ କୋଟି ଟଙ୍କା ଦେଇଥିଲେ। ମୁକ୍ତା, ଜାଗା ମିସନ୍ ବଦଳରେ ସହରୀ ବିକାଶ ଯୋଜନାରେ ବି ଅନୁଦାନ ଦେଇଛନ୍ତି। କିନ୍ତୁ ଏହି ଟଙ୍କା ଅନ୍ୟ ବାଟରେ ଖର୍ଚ୍ଚ କରାଯାଉଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଅମଳରେ ମୁକ୍ତା, ଜାଗା ମିସନ୍ ଆଦି ଯୋଜନାରେ ପ୍ରାୟ ୩୦୦ କୋଟି ଟଙ୍କା ବିନା ଅନୁମତିରେ ଖର୍ଚ୍ଚ କରାଯାଇଥିଲା। ଏଣୁ ସରକାର ଏହି ଟଙ୍କା ଦେବାକୁ ରାଜି ନୁହନ୍ତି। ଅପରପକ୍ଷେ ବିଏମ୍ସି ସରକାରଙ୍କ ପ୍ରଦତ୍ତ ଟଙ୍କା ଠିକାଦାରଙ୍କ ବକେୟା ଓ ଅନ୍ୟ କାମରେ ଶୁଝୁଛି। ଯାହା ପାଣ୍ଠି ଅଭାବର କାରଣ।
ମେୟର ସୁଲୋଚନା ଦାସ କହିଛନ୍ତି, ସରକାର ଆମକୁ ଯେଭଳି ଅନୁଦାନ ଦେବା କଥା ଦେଉଛନ୍ତି। କିନ୍ତୁ ପୂର୍ବବର୍ଷର ପ୍ରାୟ ୩୦୦ କୋଟି ଟଙ୍କା ମୁକ୍ତା, ଜାଗା ମିସନ୍, କଚ୍ଚା ରାସ୍ତାକୁ ପକ୍କା କରିବାରେ ଖର୍ଚ୍ଚ କରାଯାଇଥିଲା। ଏହି ଟଙ୍କାର ଅଭାବ ରହିଛି। ଏହି ଟଙ୍କା ଦେବାକୁ ସରକାରଙ୍କୁ ଚିଠି ଲେଖିଛୁ। ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା ବି ହୋଇଛି।