ଭୁବନେଶ୍ୱର: ସାଂସଦ ବିଏମ୍‌ସିରେ ପଶି ନଳା ସଫା ନେଇ ତନାଘନା କରିବା ପରେ ଜୁନ୍‌ ୨୦ ତାରିଖ ସୁଦ୍ଧା ସମସ୍ତ ନଳା ସଫା କରିବା ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅବଧି ଘୁଞ୍ଚି ଘୁଞ୍ଚି ଯାଉଛି। ସମସ୍ତ ଏଜେନ୍‌ସିକୁ ଡାକି ବିଏମ୍‌ସି ତାଗିଦ କରିଥିଲା। ହେଲେ ଜୁନ୍‌ ୨୦ ଚାଲିଗଲା ସିନା ସମସ୍ତ ନଳା ସଫା ହୋଇ ପାରିଲା ନାହିଁ। ଏକାଧିକ ଏଜେନ୍‌ସି କାମ ସାରିବା ପାଇଁ ସମୟ ମାଗିଲେ। ଆଜି ବିଏମ୍‌ସିରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏ ନେଇ ଆଲୋଚନା ହେବା ପରେ ନୂଆ ଡେଡ୍‌ ଲାଇନ୍‌ ଜୁଲାଇ ୧୫ ଧାର୍ଯ୍ୟ ହୋଇଛି। ଏହି ତାରିଖ ସୁଦ୍ଧା ନଳା ସଫା ନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ତେବେ ବିଏମ୍‌ସିକୁ ଫସାଇଛି ପୂର୍ତ୍ତ ବିଭାଗର ୩୬୦ କିଲୋମିଟର ଡ୍ରେନ୍। ଏହି ଡ୍ରେନ୍‌ ବିଏମ୍‌ସି ଅଧୀନକୁ ଆସିବା ପରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଥିବା କାରଣରୁ ସଫା ପାଇଁ ଟେଣ୍ଡର ହୋଇପାରି ନଥିଲା। ନିର୍ବାଚନ କମିସନରଙ୍କ ଠାରୁ ଅନୁମତି ଆସିବା ପରେ ଟେଣ୍ଡର ହୋଇଛି। କିନ୍ତୁ କାମ ଆରମ୍ଭ କରିବା ବେଳେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଡ୍ରେନ ଉପରେ ଘର ତିଆରି ହୋଇଥିବା ବେଳେ ଆଉ କେତେକ ଡ୍ରେନ ଭିତରେ ବିଦ୍ୟୁତ୍ ତାର ଯାଇଛି। ଫଳରେ ଜେସିବି ସାହାଯ୍ୟରେ ଡ୍ରେନ୍‌ ସଫା କରିବା ବେଳେ ଅଘଟଣ ଘଟିବା ଆଶଙ୍କା ରହିଛି। ଏହି ତାର ହଟାଇବା ପରେ ଯାଇ ସଫା ହୋଇ ପାରିବ ବୋଲି ଠିକା ସଂସ୍ଥା କହିଛନ୍ତି। ଏଣୁ ବିଦ୍ୟୁତ ବିଭାଗକୁ ଚିଠି ଲେଖାଯିବ। ଏହି ତାର ହଟିବା ପରେ ସଫା ହେବ। ଏଣୁ ଚଳିତ ଋତୁରେ ଏହା ସମ୍ଭବ ନୁହେଁ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆଜି ଇଞ୍ଜିନିୟରିଂ ଓ ବିଭିନ୍ନ ଏଜେନ୍ସି ସହ ବିଏମ୍‌ସିର ସମସ୍ତ ଆଭ୍ୟନ୍ତରୀଣ ଓ ମୁଖ୍ୟ ଡ୍ରେନରୁ ପଙ୍କୋଦ୍ଧାର କାମର ସମୀକ୍ଷା ହୋଇଥିଲା। ଏଜେନ୍ସିଗୁଡିକ କେତେ କେତେ କାମ କରିଛନ୍ତି, ପଙ୍କୋଦ୍ଧାର ଠିକ୍ ଭାବେ ହେଉଛି କି ନାହିଁ ଓ ଡ୍ରେନରୁ ବାହାରୁଥିବା ପଙ୍କ ସଙ୍ଗେ ସଙ୍ଗେ କାହିଁକି ଉଠା ହେଉନାହିଁ ଉପରେ ଗୁରୁତ୍ବ ଦିଆଯାଇଥିଲା। ୧୧ଟି ପ୍ରମୁଖ ଡ୍ରେନ ଓ ୪ଟି ଶାଖା ଡ୍ରେନର କାମ ଆଲୋଚନା ବେଳେ ଜଣାପଡ଼ିଥିଲା କି ଆଭ୍ୟନ୍ତରୀଣ ଡ୍ରେନଗୁଡିକର ଆଭ୍ୟନ୍ତରୀଣ ଡ୍ରେନଗୁଡିକର ପ୍ରାୟ ୮୫ ପ୍ରତିଶତ ସଫେଇ ହୋଇଛି। ଏହି କାମ ୩୦ ତାରିଖ ଭିତରେ ସଂପୂର୍ଣ୍ଣ ହୋଇଯିବ। ଯେଉଁ କେତେକ ଆଭ୍ୟନ୍ତରୀଣ ଡ୍ରେନର କାମ ବାକି ରହିଛି ତାହା ତୁରନ୍ତ ସାରିବା ପାଇଁ ମେୟର ନିର୍ଦେଶ ଦେଇଥିଲେ। ପ୍ରମୁଖ ଡ୍ରେନଗୁଡିକର କାମ ଧାର୍ଯ୍ୟ ଅବଧିରେ ସାରିବାକୁ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିପଦସଙ୍କୁଳ ବା ସମ୍ବେଦନଶୀଳ ଜାଗାରେ ତାରବାଡ଼ କରିବାକୁ କୁହାଯାଇଛି। ଏନ୍‌ଜିଟି ଓ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତ କାମ କରିବାକୁ ଏଜେନ୍ସିମାନଙ୍କୁ କୁହାଯାଇଛି।