ଦୁର୍ଗାପୂଜା ପାଇଁ ଏସ୍‌ଓପି ଜାରି କଲା ବିଏମ୍‌ସି: ମଣ୍ଡପରେ ଦର୍ଶନ କରିବେନି ଭକ୍ତ

କେବଳ ପୂଜା ବିଧି ପାଳନ ହେବ, ମେଲୋଡ଼ିକୁ ଅନୁମତି ନାହିଁ, ବିସର୍ଜନ ଶୋଭାଯାତ୍ରାରେ ରହିବେ ୧୦

ଭୁବନେଶ୍ବର : ରାଜଧାନୀରେ ଏ ବର୍ଷ ଦୁର୍ଗାପୂଜା କୋଭିଡ୍‌ କଟକଣା ଭିତରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିଏମ୍‌ସି ପକ୍ଷରୁ ଏସ୍‌ଓପି ଜାରି କାଯାଇଛି। ଏସ୍‌ଓପି ପାଳନ ନ କଲେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି।

ଏସ୍‌ଓପି ମୁତାବକ; ମଣ୍ଡପରେ ପୂଜା ହୋଇପାରିବ, ହେଲେ ଘର ଭଳି। ଅର୍ଥାତ୍‌ କେବଳ ପୂଜା ବିଧି ସମ୍ପନ୍ନ ହେବ, କୌଣସି ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ। ୪ ଫୁଟ୍‌ର ମୂର୍ତ୍ତି ହେବ, ମଣ୍ଡପରେ ୭ ଜଣରୁ ଅଧିକ ରହିପାରିବେ ନାହିଁ। ଯେଉଁମାନେ ରହିବେ ସେମାନେ ଉଭୟ ଡୋଜ୍‌ ଟିକା ନେଇଥିବା ନିଶ୍ଚିତ କରିବେ। ମଣ୍ଡପକୁ ୩ ଦିଗରୁ ଢଙ୍କା ଯିବ। ଅର୍ଥାତ୍‌ ଯିବା ଆସିବା ପାଇଁ ଏହି ତିନି ଦିଗରେ କୌଣସି ସୁଯୋଗ ରହିବ ନାହିଁ। ଯେଉଁ ଗୋଟିଏ ଦିଗ ଖୋଲା ରହିବ, ତାହା ମଧ୍ୟ ସବୁବେଳେ ଖୋଲା ହେବ ନାହିଁ। କେବଳ ଯିବା ଆସିବା ସମୟରେ ଖୋଲା ହେବ। ଏହି ବାଟ ଦେଇ ଯେଭଳି ଦୂରରୁ ଦର୍ଶନ ହୋଇପାରୁ ନଥିବ ସେ ନେଇ ଆୟୋଜକ ନିଶ୍ଚିତ କରିବେ। ମଣ୍ଡପରେ ଉପସ୍ଥିତ ରହୁଥିବା ସମସ୍ତ ଆୟୋଜକ, ପୂଜକ ଓ ଅନ୍ୟମାନେ କୋଭିଡ୍‌ କଟକଣା ପାଳନ କରିବେ। କୌଣସି ପରିସ୍ଥତିରେ ମାଇକ୍‌ କିମ୍ବା ଅନ୍ୟ କୌଣସି ମ୍ୟୁଜିକ୍‌ ସିଷ୍ଟମ୍‌ ବାଜି ପାରିବ ନାହିଁ। ମେଲୋଡି କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ଯେଉଁଥିରେ ଭିଡ଼ ହେବା ସମ୍ଭାବନା ରହିଛି, ତାହା ମଧ୍ୟ ପୂଜା କମିଟି ଆୟୋଜନ କରିପାରିବେ ନାହିଁ। ଏ ସବୁ ନିଶ୍ଚିତ କରି ଆୟୋଜକ ପୂଜା ଆୟୋଜନ ପାଇଁ ସ୍ବୀକୃତି ନେବେ। ଏହି ସ୍ବୀକୃତିପତ୍ର ଓ ଉଭୟ ଡୋଜ୍‌ ଟିକା ପ୍ରମାଣପତ୍ର ଆୟୋଜକ ନିଜ ପାଖରେ ପ୍ରସ୍ତୁତ ରଖିବେ, କର୍ତ୍ତୃପକ୍ଷ ଯାଞ୍ଚ କଲା ବେଳେ ଯେଭଳି ତୁରନ୍ତ ଦେଖାଇ ପାରୁଥିବେ।

ସେହିଭଳି ବିସର୍ଜନ ପାଇଁ ମଧ୍ୟ କଟକଣା ରହିଛି। ବିସର୍ଜନ ଶୋଭାଯାତ୍ରାରେ ମାତ୍ର ୧୦ ଜଣ କର୍ମକର୍ତ୍ତା ରହିପାରିବେ। ବିସର୍ଜନ ସମୟରେ ସେମାନେ ଯେଭଳି କୋଭିଡ୍‌ କଟକଣା ପାଳୁଥିବେ ତାହା ଆୟୋଜକ ନିଶ୍ଚିତ କରିବେ। ମୂର୍ତ୍ତି ବିସର୍ଜନ କେବଳ ବିଏମ୍‌ସି ତିଆରି କରିବାକୁ ଥିବା ଅସ୍ଥାୟୀ ପୋଖରୀରେ ହେବ। ଅନ୍ୟ କେଉଁଠି ବିସର୍ଜନ କଲେ ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର