ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ବିଏମ୍‌ସି କଲ୍ୟାଣମଣ୍ଡପ ଏକ ମୌଳିକ ଆବଶ୍ୟକତା। ଏହା ଜାଣି ବି କଲ୍ୟାଣମଣ୍ଡପର ଭଡ଼ା ବୃଦ୍ଧି କରି ସେବା ବଦଳରେ ଶୋଷଣ ନୀତି ଆପଣାଇଛନ୍ତି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ। ଯାହାକୁ ବିଭିନ୍ନ ମହଲରୁ ଦୃଢ଼ ବିରୋଧ କରାଯାଇଛି। ତୁରନ୍ତ ବର୍ଦ୍ଧିତ ଭଡ଼ା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେପଟେ ଭୁବନେଶ୍ବର ମହାନଗର ନିଗମର କଳେବର ବଢ଼ୁଥିବାରୁ ଦିନକୁ ଦିନ କଲ୍ୟାଣମଣ୍ଡପର ଆବଶ୍ୟକତା ବି ବଢ଼ିବାରେ ଲାଗିଛି। ଭଡ଼ା ବୃଦ୍ଧି ପରିବର୍ତ୍ତେ ନୂଆ କଲ୍ୟାଣମଣ୍ଡପ କରି ଲୋକଙ୍କ ଆବଶ୍ୟକତା ପୂରଣ କରିବା ଜରୁରି ହୋଇପଡ଼ିଛି। କିନ୍ତୁ ସେଭଳି ନ କରି ସାଧାରଣ ଲୋକଙ୍କ ଅସହାୟତାର ସୁଯୋଗ ନେଇ ପ୍ରକାରାନ୍ତ‌ରେ ବେସରକାରୀ କଲ୍ୟାଣମଣ୍ଡପର ରାଜସ୍ବ ବୃଦ୍ଧିରେ ଲାଗି ପଡ଼ିଛି ବିଏମସି।

Advertisment

ଭୁବନେଶ୍ବର ମହାନଗର ନିଗମ ଦ୍ବାରା ପରିଚାଳିତ ୟୁନିଟ୍‌-୬ କଲ୍ୟାଣମଣ୍ଡପ ଓ ୟୁନିଟ୍‌-୮ ଗୋଷ୍ଠୀକେନ୍ଦ୍ରର ବୁକିଂ ଦର ବୃଦ୍ଧି ସଂପର୍କରେ ଗତ ମାର୍ଚ୍ଚ ୨୪ ତାରିଖରେ ଅତିରିକ୍ତ ଆୟୁକ୍ତଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୟୁନିଟ୍‌-୬ କଲ୍ୟାଣମଣ୍ଡପର ଭଡ଼ା ୧୭ହଜାର ୭୦୦ ଟଙ୍କା ଓ ୟୁନିଟ୍‌-୮ ଗୋଷ୍ଠୀ କେନ୍ଦ୍ରର ଭଡ଼ା ୧୧ହଜାର ୮୦୦ ଟଙ୍କା ବୃଦ୍ଧି କରାଯାଇଛି। ୟୁନିଟ୍‌-୬ କଲ୍ୟାମଣ୍ଡପର ପୂର୍ବ ଭଡ଼ା ୩୦ହଜାର ୬୮୦ ଟଙ୍କା ଥିବାବେଳେ ବର୍ତ୍ତମାନ ୪୮ହଜାର ୩୮୦ ଟଙ୍କା ହୋଇଛି। ସେହିଭଳି ୟୁନିଟ୍‌-୮ ଗୋଷ୍ଠୀ କେନ୍ଦ୍ର ଭଡ଼ା ପୂର୍ବରୁ ୨୩ହଜାର ୬୦୦ ଟଙ୍କା ଥିବାବେଳେ ବର୍ତ୍ତମାନ ୩୫ହଜାର ୪୦୦ ଟଙ୍କା କରାଯାଇଛି। ଯେଉଁଥିରେ ଜିଏସ୍‌ଟି ଓ ସିଜିଏସ୍‌ଟି ଦର ବି ବୃଦ୍ଧି ଘଟିଛି। ଦୁଇସ୍ଥାନରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ପରେ ଏହି ଦର ଲାଗୁ କରିବାକୁ ଯୋଜନା କରାଯାଇଛି। ଗତ ମହାନଗର ନିଗମ କର୍ପୋରେସନ୍‌ ବୈଠକରେ ବି ଏ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଭୁବନେଶ୍ବର ମହାନଗର ନିଗମରେ ୮ଟି କଲ୍ୟାଣମଣ୍ଡପ ଓ ତିନିଟି ଗୋଷ୍ଠୀକେନ୍ଦ୍ର ଥିବା ବେଳେ ବାକି କଲ୍ୟାଣମଣ୍ଡପ ଓ ଗୋଷ୍ଠୀକେନ୍ଦ୍ରର ବି ପର୍ଯ୍ୟାୟକ୍ରମେ ଦରବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

‘ଦରବୃଦ୍ଧି ସମୟରେ ଧାର୍ଯ୍ୟ ଦର କିଛି ନୁହେଁ’
ଭୁବନେଶ୍ବର ମହାନଗର ନିଗମରେ ଯେବେ କଲ୍ୟାଣ ମଣ୍ଡପ ଆରମ୍ଭ ହୋଇଥିଲା, ସେବେଠୁ ଦରବୃଦ୍ଧି ହୋଇନଥିଲା। ଏ ଭିତରେ ଦରଦାମ ବଢ଼ିଛି, ମଜୁରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦର ବଢ଼ିଛି। ଏଥିରେ ପୁରୁଣା ଦରରେ କଲ୍ୟାଣମଣ୍ଡପ ଚଳାଇବା କଷ୍ଟକର। ଏଥିସହ କଲ୍ୟାଣମଣ୍ଡପ ନିୟମିତ ରକ୍ଷଣାବେକ୍ଷଣ ଓ ମରାମତି ଆବଶ୍ୟକ କରୁଛି। ଏ ବାବଦରେ ବି ଅଧିକ ଖର୍ଚ୍ଚ ଆବଶ୍ୟକ ପଡ଼ୁଛି। ଆବଶ୍ୟକତାକୁ ଆଖି ଆଗରେ ରଖି କଲ୍ୟାଣମଣ୍ଡପ ଦର ବୃଦ୍ଧି କରାଯାଇଛି। ଦରବୃଦ୍ଧି ବି ସେତେ ଅଧିକ ନୁହେଁ। ଆମେ ଯେଉଁ ଦର ଧାର୍ଯ୍ୟ କରିଛୁ, ତାହା ବେସରକାରୀ କଲ୍ୟାଣମଣ୍ଡପ ତୁଳନାରେ କିଛି ନୁହେଁ। ବାକି ଯେଉଁ କଲ୍ୟାଣମଣ୍ଡପ ସବୁ ଭଙ୍ଗାଯାଇଥିଲା, ତାର ପୁନରୁଦ୍ଧାର କାମ ଜାରି ରହିଛି। ଚଳିତବର୍ଷର ବିବାହ ଋତୁ ଶେଷ ପରେ ସମସ୍ତ କଲ୍ୟାଣମଣ୍ଡପର ପୁନରୁଦ୍ଧାର ଓ ଆବଶ୍ୟକ ମରାମତି କାମ କରାଯିବ।  ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପକୁ ଅତ୍ୟାଧୁନିକ କରାଯିବ।  ମାତ୍ର ଏହାର ଦର ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କୁ ସୁହାଇବ।
ସୁଲୋଚନା ଦାସ, ମେୟର, ବିଏମ୍‌ସି
‘ଭଡ଼ା ନ ବଢ଼ାଇ ନୂଆ କଲ୍ୟାଣମଣ୍ଡପ କରନ୍ତୁ’
ବିଏମ୍‌ସିରେ କଲ୍ୟାଣମଣ୍ଡପ ଏକ ମୌଳିକ ଆବଶ୍ୟକତା। କିନ୍ତୁ କଲ୍ୟାଣମଣ୍ଡପ ନୂଆ ଗଢ଼ିବା ପରିବର୍ତ୍ତେ ଭାଙ୍ଗିବାରେ ଲାଗିଛି ବିଏମସି। ୟୁନିଟ୍‌-୮ କଲ୍ୟାଣମଣ୍ଡପକୁ ବିଏମ୍‌ସି ଷ୍ଟାଫ କ୍ବାଟର୍ସ ଭାବେ ବ୍ୟବହାର କରୁଛି। କଲ୍ୟାଣମଣ୍ଡପର ଭଡ଼ା ବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ। ଅପରପକ୍ଷେ, ବିବାହ ଆଦିରେ ଯେଉଁ ବାସନକୁସନ ଆବଶ୍ୟକ ପଡ଼ୁଛି, ତାକୁ ବି ବିଏମ୍‌ସି ଦେବା କଥା। କିନ୍ତୁ ବାହାରୁ ଭଡ଼ା ଦେଇ ଲୋକେ ବ୍ୟବହାର କରୁଛନ୍ତି। ରାଜସ୍ବ ବୃଦ୍ଧି ପାଇଁ ଅନ୍ୟ ଦିଗ ରହିଛି। କିନ୍ତୁ କଲ୍ୟାଣମଣ୍ଡପ ଭଳି ମୌଳିକ ସୁବିଧା କ୍ଷେତ୍ରରେ ଦରବୃଦ୍ଧି ଅନୁଚିତ।
ଜଗନ୍ନାଥ ପ୍ରଧାନ, ବିଜେପି ନେତା
‘ପୁନଃ ବିଚାର କରନ୍ତୁ’
କଲ୍ୟାଣମଣ୍ଡପର ଦରବୃଦ୍ଧି ଆଦୌ ଠିକ୍‌ ନୁହେଁ। ବିଏମ୍‌ସି କଲ୍ୟାଣମଣ୍ଡପର ଦରବୃଦ୍ଧି କରି ଗରିବଙ୍କୁ ପେଟକୁ ଲାତ ମାରୁଛି। ଅପରପକ୍ଷେ ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର ଆଦି ସ୍ଥାନରେ କଲ୍ୟାଣମଣ୍ଡପ ସବୁ ଭାଙ୍ଗି ଦିଆଗଲା। ଆଉ ବିଏମ୍‌ସିରେ ହାତଗଣତି କଲ୍ୟାଣମଣ୍ଡପ ଅଛି। ଆବଶ୍ୟକତା ଦୃଷ୍ଟିରୁ ବିଏମ୍‌ସି ଅଧିକ କଲ୍ୟାଣମଣ୍ଡପ କରିବା ଦରକାର। ଦରବୃଦ୍ଧିକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି। ମେୟର ଏବଂ କମିସନରଙ୍କୁ ଅନୁରୋଧ, ଏ ଦିଗରେ ଅଧିକ ବିଚାରବିମର୍ଶ କରନ୍ତୁ, ଯାହା ନିଷ୍ପତ୍ତି ନେଉଛନ୍ତି, ଭାବିଚିନ୍ତି କରନ୍ତୁ। ଯେଉଁ ଦରବୃଦ୍ଧି କରିଛନ୍ତି, ତାକୁ କମାଇବାକୁ ଅନୁରୋଧ।
ବିଶ୍ବଜିତ ଦାସ, ଜିଲ୍ଲା କଂଗ୍ରେସ ସଭାପତି, ଖୋର୍ଦ୍ଧା
‘ଗରିବ ଓ ମଧ୍ୟବିତ୍ତଙ୍କୁ ବାଧିବ’
ବର୍ତ୍ତମାନ ସରକାର ଗରିବ ତଥା ସାଧାରଣ ଲୋକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି। ମାତ୍ର ୟୁନିଟ୍-୬ କଲ୍ୟାଣମଣ୍ଡପ ଓ ୟୁନିଟ୍-୮ଗୋଷ୍ଠୀକେନ୍ଦ୍ରର ଭଡ଼ା ବୃଦ୍ଧି ଗରିବ ଓ ସାଧାରଣ ଲୋକଙ୍କୁ ବାଧିବ। ଧନୀ ଲୋକମାନେ ବଡ଼ ବଡ଼ ହୋଟେଲ ଓ ମଣ୍ଡପରେ ବିବାହ କରୁଛନ୍ତି। ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସରକାରୀ କଲ୍ୟାଣମଣ୍ଡପ ସାହାଭରସା। ତୁରନ୍ତ ବର୍ଦ୍ଧିତ ଭଡ଼ା ପ୍ରତ୍ୟାହର କରାଯାଉ।
ନିଶାକର ରାଉତ, ସମ୍ପାଦକ ବରିଷ୍ଠ ନାଗରିକ ସଂଘ, ସହିଦନଗର
‘ସରକାରୀ କଲ୍ୟାଣମଣ୍ଡପ ଉପରେ ଭରସା’
ବିଏମ୍‌ସିରେ ବାରମ୍ବାର କଲ୍ୟାଣମଣ୍ଡପ ପାଇଁ ଦାବି କରିଛୁ। ହେଲେ ଏହାର କୌଣସି ସୁଫଳ ମିଳୁନି। ଅଞ୍ଚଳରେ କଲ୍ୟାଣମଣ୍ଡପ ନଥିବା ଯୋଗୁ କେ-୭ କଲ୍ୟାଣମଣ୍ଡପ ଉପରେ ନିର୍ଭର କରିବାକୁ ହେଉଛି। ୩ ମାସ ଆଗରୁ ବୁକିଂ କରିବାକୁ ଗଲେ ମଧ୍ୟ ମଣ୍ଡପ ମିଳୁନାହିଁ। ମଧ୍ୟବିତ୍ତ ପରିବାର ପାଇଁ ସରକାରୀ କଲ୍ୟାଣମଣ୍ଡପ ଛଡ଼ା ଆଉ କେଉଁଠି ବାହାଘର, ବ୍ରତଘର ବୋଝ ଉପରେ ନଳିତା ବିଡ଼ା ହେଉଛି।   
ମହେଶ୍ବର ସାହୁ, ସଭାପତି, କେ-୪ ଆବାସିକ ଉନ୍ନୟନ କଲ୍ୟାଣ ସଂଘ, କଳିଙ୍ଗନଗର
ଭଡ଼ା ବୃଦ୍ଧି ଚିନ୍ତାଜନକ
ବିଏମ୍‌ସି କଲ୍ୟାଣମଣ୍ଡପଗୁଡ଼ିକର ଭଡ଼ା ବୃଦ୍ଧି ଦୁର୍ଭାଗ୍ୟଜନକ। ପୁରୁଣା ଭୁବନେଶ୍ବରରେ ଥିବା କଲ୍ୟାଣମଣ୍ଡପରେ ଥାନା ଚାଲୁଛି। ନୂତନ ମଣ୍ଡପ ବିଏମ୍‌ସି କରୁନଥିବା ‌ବେଳେ ଆଉ ଦର ବୃଦ୍ଧି ବାସିନ୍ଦାଙ୍କୁ ବାଧିକ। ମଣ୍ଡପଗୁଡ଼ିକରେ ପାର୍କିଂ ବ୍ୟବସ୍ଥା ନାହିଁ କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ବିଏମ୍‌ସି ଅଧିକ କଲ୍ୟାଣମଣ୍ଡପ ନିର୍ମାଣ ବଦଳରେ ଭଡ଼ା ବୃଦ୍ଧି ଚିନ୍ତାଜନକ।
ରମାକାନ୍ତ ମହାନ୍ତି, କୋଷାଧ୍ୟକ୍ଷ,ଏକାମ୍ର ବରିଷ୍ଠ ନାଗରିକ ସଂଘ