ଭୁବନେଶ୍ୱର: ରାମମନ୍ଦିର ନିକଟ ଖାଓଗଳି ଦୋକାନ ଭଡ଼ାକୁ ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଓ ଖାଓଗଳି ଦୋକାନୀଙ୍କ ଭିତରେ ଲାଗିଥିବା କଳି ତୁଟିଛି। ଖାଓଗଳି ଦୋକାନୀମାନେ ବହୁଦିନରୁ ଦୋକାନ ଭଡ଼ା କମାଇବାକୁ ଦାବି କରି ଆସୁଥିଲେ। ଆନ୍ଦୋଳନ ଓ ରାସ୍ତାରୋକ ପରେ ଶେଷରେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଦୋକାନ ଭଡ଼ା କମାଇଛନ୍ତି। ଖାଓଗଳିରେ ୩୧ଟି ଦୋକାନ ରହିଥିବାବେଳେ ୧ରୁ ୧୫ ନମ୍ବର ପର୍ଯ୍ୟନ୍ତ ଦୋକାନ ପାଇଁ ମାସିକ ଭଡ଼ା ୩ହଜାର ଟଙ୍କା ଓ ୧୬ରୁ ୩୧ ନମ୍ବର ପର୍ଯ୍ୟନ୍ତ ଦୋକାନ ଭଡ଼ା ୨ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଏହାକୁ ଖାଓଗଳି ବଜାର କମିଟି ସ୍ବାଗତ କରିଥିଲେ ବି ଭିତ୍ତିଭୂମିର ଅଭାବ ଓ ବ୍ୟବସାୟ ପାଇଁ ସ୍ବଳ୍ପ ସମୟର ଅନୁମତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଯେଉଁଠି ବିଏମ୍ସି ଦୋକାନ ଦେଇ ଭଡ଼ା ମାତ୍ର ୧ହଜାର ଟଙ୍କା ନେଉଛି, ସେଠି ଆମେ ନିଜ ଖର୍ଚ୍ଚରେ ଦୋକାନ କରି ୪ଗୁଣା ଅଧିକ ଭଡ଼ା ଦେଉଛୁ। ଅମାନତ ରାଶି(ସିକ୍ୟୁରିଟି ଡିପୋଜିଟ୍) ବି ୨୫ହଜାର ଟଙ୍କା ପଇଠ କରିଛୁ। କିନ୍ତୁ ଆମକୁ ସେଭଳି ଭିତ୍ତିଭୂମି ପ୍ରଦାନ କରାନଯିବା ଦୁର୍ଭାଗ୍ୟଜନକ ବୋଲି ଖାଓଗଳି ବଜାର କମିଟି ସଭାପତି ରଶ୍ମିତା ଖଟେଇ କହିଛନ୍ତି।
ଖାଓଗଳିରେ ୩୧ଟି ଦୋକାନ ରହିଛି ଓ ୩୦ଜଣ ଦୋକାନୀ ବ୍ୟବସାୟ କରି ଆସୁଛନ୍ତି। ୨୦୨୨ ମସିହା ମେ ମାସ ୧ ତାରିଖରୁ ଦୋକାନୀମାନଙ୍କୁ ଦୋକାନଭଡ଼ା ବାବଦରେ ୬ହଜାର ଟଙ୍କା ଓ ୧୮ ପ୍ରତିଶତ ଜିଏସ୍ଟି ଦେବାକୁ ଭୁବନେଶ୍ବର ମହାନଗର ନିଗମ ଚିଠି କରିଥିଲା। ଏହା ବିରୋଧରେ ଖାଓଗଳି ବଜାର କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସେବେଠୁ ଦୋକାନୀମାନେ ନିୟମିତ ଭଡ଼ା ଦେଇନଥିଲେ। ଭଡ଼ାକୁ ନେଇ ବହୁ ବାଦବିବାଦ ପରେ ୨୦୨୪ ନଭେମ୍ବର ୧୫ରେ ପୁନର୍ବାର ଭୁବନେଶ୍ବର ମହାନଗର ନିଗମ ଦୋକାନୀଙ୍କୁ ଭଡ଼ା କମାଇବା ସଂପର୍କିତ ଆଉ ଏକ ଚିଠି କରିଥିଲା। ଯେଉଁଥିରେ ୧ରୁ ୧୫ ନମ୍ବର ଦୋକାନ ପାଇଁ ୪ହଜାର ଟଙ୍କା ଓ ୧୬ରୁ ୩୨ ନମ୍ବର ଦୋକାନ ପାଇଁ ୩ହଜାର ଟଙ୍କା ସହ ଏହା ଉପରେ ୧୮ ପ୍ରତିଶତ ଜିଏସ୍ଟି ଧାର୍ଯ୍ୟ କରିଥିଲା। ଏହାକୁ ବି ଦୋକାନୀମାନେ ବିରୋଧ କରିଥିଲେ। ହାଇକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଧାର୍ଯ୍ୟ ଭଡ଼ା ଦେବେନି ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗତ ମେ ୧୭ ତାରିଖରେ ହଠାତ୍ ଭୁବନେଶ୍ବର ମହାନଗର ନିଗମ ଖାଓଗଳି ଦୋକାନ ଉଚ୍ଛେଦ ଆରମ୍ଭ କରିଥିଲା। ଏହାକୁ ବିରୋଧ କରି ଦୋକାନୀମାନେ ବିଏମ୍ସି ଗାଡ଼ି ଆଗରେ ଶୋଇଥିଲେ। ଜନପଥକୁ ଅବରୋଧ କରିବା ସହ ଧାରଣାରେ ବସିଥିଲେ। ବୁଝାସୁଝା ପରେ ଦୋକାନୀମାନେ ଆନ୍ଦୋଳନରୁ ହଟିଥିଲେ। ପରେ ସେହିଦିନ ରାତିରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍ସି ଅଧିକାରୀ ଓ ଖାଓଗଳି ଦୋକାନୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଦୋକାନୀମାନେ ଭଡ଼ା କମାଇବାକୁ ଦାବି କରିଥିଲେ। ବିଏମ୍ସି କର୍ପୋରେସନ୍ ବୈଠକରେ ମଞ୍ଜୁରି ପରେ ଭଡ଼ା କମାଯାଇଛି। ଚଳିତମାସରେ ଦୋକାନୀମାନେ ପ୍ରଥମ ଭଡ଼ା (ଜୁନ୍ ମାସ ବାବଦରେ) ଦେଇଛନ୍ତି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଖାଓଗଳି ଦୋକାନୀଙ୍କ ପାଇଁ ଧାର୍ଯ୍ୟ ଭଡ଼ା ପିଛିଲା ଭାବେ ଗତ ଜୁନ୍ ୧ ତାରିଖରୁ ଲାଗୁ ହୋଇଛି। ୨୦୨୪ ଏପ୍ରିଲ ୧ରୁ ୨୦୨୫ ମେ ୩୧ ପର୍ଯ୍ୟନ୍ତ ଯେଉଁ ଦୋକାନୀମାନେ ଭଡ଼ା ବାକି ରଖିଛନ୍ତି, ସେମାନେ ୪ଟି କିସ୍ତିରେ ଟଙ୍କା ପଇଠ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୨ ମେ ୧ରୁ ବାକି ଥିବା ଭଡ଼ା ଉପରେ ବି ବିଚାର କରାଯାଉଛି। ଖାଓଗଳି ବଜାର କମିଟି ସଭାପତି ଶ୍ରୀମତୀ ଖଟେଇ କହିଛନ୍ତି, ଭଡ଼ା କମ୍ ପରେ ଆମେ ୩୫୪୦(ଜିଏସ୍ଟି ସହ) ଓ ୨୩୬୦(ଜିଏସ୍ଟି ସହ) ଭଡ଼ା ଦେଇ ସାରିଛୁ। ଆମକୁ ମାତ୍ର ୫ ଘଣ୍ଟା ବେପାର ଅନୁମତି ମିଳୁଛି। ସେଡ୍ ନ ଥିବାରୁ ବର୍ଷା ହେଲେ ଦୋକାନ ବନ୍ଦ। ଏଣୁ ୧୨ ଘଣ୍ଟା ବେପାର ଅନୁମତି ସହ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp