୨୫୩ ଜଣଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ହୋର୍ଡିଂ ଲାଗିଲା

ଭୁବନେଶ୍ୱର: ଲଗାତର ଭାବେ ଗତ କିଛି ବର୍ଷ ଧରି ହୋଲ୍‌ଡିଂ ଟିକସ ଫାଙ୍କୁଥିବା ୨୫୩ଜଣ ଖିଲାପକାରୀଙ୍କ ଚଳନ୍ତି ଓ ଅଚଳନ୍ତି ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ବିଏମ୍‌ସି ପଦକ୍ଷେପ ନେଇଛି। ପ୍ରଥମେ ରେଡ୍‌ ନୋଟିସ୍‌ ଜାରି କରିବା ପରେ ଯେଉଁମାନେ ହୋଲ୍‌ଡିଂ ଟିକସ ପୈଠ କଲେନି ସେମାନଙ୍କର ନାମ ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ହୋର୍ଡିଂରେ ଲଗାଯାଇଛି। ଏହାସହ ସେମାନଙ୍କ ନାମରେ ସାର୍ଟିଫିକେଟ୍‌ କେସ୍‌ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୩୦ତାରିଖ ସୁଦ୍ଧା ଟିକସ ପୈଠ ନକଲେ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି ଡେପୁଟି କମିସନର୍‌ (ରାଜସ୍ୱ) ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ଗତ କିଛି ବର୍ଷ ହେଲା କେତେକ ବ୍ୟକ୍ତି/ସଂସ୍ଥା ବିଏମ୍‌ସିକୁ ଟିକସ ଫାଙ୍କି ଆସୁଛନ୍ତି। ବିଭିନ୍ନ ସମୟରେ ନୋଟିସ୍‌ କରିବା ସତ୍ତ୍ୱେ ଟିକସ ପୈଠ କରୁନାହାନ୍ତି। ମାର୍ଚ୍ଚ ମାସ ପୂର୍ବରୁ ଏହିଭଳି ୨୮୪ଜଣଙ୍କୁ ରେଡ୍‌ ନୋଟିସ୍‌ ଜାରି ହୋଇଥିଲା। ଏଥିରୁ ୩୧ଜଣ ୫୪ଲକ୍ଷ ଟଙ୍କା ପୈଠ କରିଥିବାବେଳେ ବାକି ୨୫୩ଜଣଙ୍କ ଉପରେ ପ୍ରାୟ ୮କୋଟି ୬୦ଲକ୍ଷ ଟଙ୍କା ବାକି ପଡ଼ିଛି। ସେମାନେ ନୋଟିସ୍‌ର ଉତ୍ତର ବି ଦେଇନାହାନ୍ତି। ତେଣୁ ରାଜଧାନୀର ପ୍ରାୟ ୧୦ଟି ପ୍ରମୁଖ ସ୍ଥାନରେ ଏଭଳି ଖିଲାପକାରୀଙ୍କ ନାମ ଥିବା ହୋର୍ଡିଂ ଲଗାଯାଇଛି।

ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନଙ୍କର ୧୦ହଜାର ଟଙ୍କାରୁ ଅଧିକ ହୋଲ୍‌ଡିଂ ଟିକସ ବାକି ଅଛି ସେମାନଙ୍କ ନାମ ହୋର୍ଡିଂରେ ସ୍ଥାନ ପାଇଛି। ରାଜଧାନୀରେ ନିଜକୁ ପ୍ରତିଷ୍ଠିତ ବୋଲି ପ୍ରଚାର କରୁଥିବା ବ୍ୟକ୍ତି/ସଂସ୍ଥାମାନେ କିପରି ସରକାରଙ୍କୁ ଟିକସ୍‌ ଫାଙ୍କି ସାମ୍ରାଜ୍ୟ ବଢ଼ାଇଛନ୍ତି ତାହାର ତାଲିକା ପ୍ରକାଶ କରିଛୁ। ଏପରିକି କେତୋଟି ହସ୍ପିଟାଲ, ଇଞ୍ଜିନିୟରିଂ କଲେଜ, +୨ କଲେଜ, ଗାଡ଼ି ସୋ’ରୁମ୍‌, ବିଲଡର୍‌ ସଂସ୍ଥା, ଉଦ୍ୟୋଗପତିଙ୍କର ଏକ ଲକ୍ଷ ଟଙ୍କାରୁ ଆରମ୍ଭ କରି ୬୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ବାକି ଅଛି। କେବଳ ଏତିକି ନୁହେଁ ଗୋଟିଏ ଲେଖାଏ ପରିବାରର ବିଭିନ୍ନ ସଦସ୍ୟଙ୍କର ବକେୟା ଟିକସ ହିସାବ କଲେ ଏହା ଏକ କୋଟି ଟଙ୍କା ଅତିକ୍ରମ କରିଯିବ। ରାଜଧାନୀରେ ଏକ ଗାଡ଼ି ସୋ’ରୁମ୍‌ର ସତ୍ତ୍ୱାଧିକାରୀ ପ୍ରାୟ ୬୯ଲକ୍ଷ ଟଙ୍କା ଟିକସ ଫାଙ୍କିଥିବାବେଳେ ତାଙ୍କ ସ୍ୱାମୀ ପ୍ରାୟ ୪୪ଲକ୍ଷ ଟିକସ ଫାଙ୍କିଛନ୍ତି। ୧୦ଲକ୍ଷରୁ ଅଧିକ ଟିକସ ଫାଙ୍କିଥିବା ଲୋକ ୨୦ଜଣରୁ ଅଧିକ ଅଛନ୍ତି। ପ୍ରତିବର୍ଷ ଏମାନଙ୍କୁ ନୋଟିସ୍‌ କରାଯାଉଥିଲେ ହେଁ ଟିକସ ପୈଠ କରୁନାହାନ୍ତି। ତେଣୁ ଚଳିତବର୍ଷ ପ୍ରଥମ କରି ସାର୍ଟିଫିକେଟ୍‌ କେସ୍‌ କରାଯାଇଛି। ଏଥର ଟିକସ ପୈଠ ନକଲେ ସମ୍ପତ୍ତି ବାଜ୍ୟାପ୍ତ କରାଯିବ। ସମସ୍ତ ଜୋନାଲ ଡେପୁଟି କମିସନର୍‌ଙ୍କୁ ସାର୍ଟିଫିକେଟ୍‌ କେସ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଦକ୍ଷିଣ ପୂର୍ବ ଜୋନ୍‌ ପକ୍ଷରୁ ଦୁଇଟି ସାର୍ଟିଫିକେଟ୍‌ କେସ୍‌ ହୋଇଛି। ଏଥିରୁ ଜଣେ ଖିଲାପକାରୀଙ୍କର ପ୍ରାୟ ୯ଲକ୍ଷ ଟଙ୍କା ହୋଲ୍‌ଡିଂ ଟିକସ ବାକିଥିବାବେଳେ ସେ ୩ଲକ୍ଷ ଟଙ୍କା ଜମା କରିଛନ୍ତି। ଆସନ୍ତା ୩୦ତାରିଖ ସୁଦ୍ଧା ବାକି ଟଙ୍କା ଜମା କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଯଦି ଏହି ସମୟରେ ବକେୟା ଟିକସ ନଦେବେ ତେବେ ସମ୍ପତ୍ତି ବାଜ୍ୟାପ୍ତ କରାଯିବ। ଚଳିତବର୍ଷ ବିଏମ୍‌ସି ବିଭିନ୍ନ ସୂତ୍ରରୁ ୧୧୦କୋଟି ଟଙ୍କା ଆୟ କରିବାକୁ ଟାର୍ଗେଟ୍‌ ରଖିଥିବାବେଳେ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ପ୍ରାୟ ୮୦କୋଟି ରାଜସ୍ୱ ଆଦାୟ କରିଥିଲା। ବାକି ୩୦ କୋଟି ବିଭିନ୍ନ ସୂତ୍ରରୁ ଆଦାୟ କରିବାକୁ ଟାର୍ଗେଟ୍‌ ରଖିଛି। ଏଥିରେ ହୋଲଡିଂ ଟିକସରୁ ୮.୬କୋଟି, ବିଜ୍ଞାପନରୁ ୧୩କୋଟି, ଟ୍ରେଡ୍‌ ଲାଇସେନ୍ସରୁ ୩କୋଟି, କେବୁଲ୍‌ରୁ ୧କୋଟି, ପାର୍କିଂ ବାବଦକୁ ୨କୋଟି, ମାର୍କେଟ ଭଡ଼ା ବାବଦକୁ ୨କୋଟି, ଯାତ୍ରୀନିବାସ, କଲ୍ୟାଣମଣ୍ଡପ, ସେସ୍‌ପୁଲ୍‌ ଏବଂ ଅନ୍ୟାନ୍ୟ ଭଡ଼ା ବାବଦକୁ ପ୍ରାୟ ୧୫କୋଟି ଆଦାୟ କରିବାକୁ ଟାର୍ଗେଟ୍‌ ରଖିଛି। ଅନ୍ୟପକ୍ଷରେ ୟୁଜର୍ସ ଫି’ ଉପରେ ହାଇକୋର୍ଟ ରୋକ୍‌ ଲଗାଇଥିବାରୁ ଏହା ଆଦାୟ କରାଯାଇପାରୁନି। ୟୁଜର୍ସ ଫି’ ଆଦାୟ ହୋଇଥିଲେ ବିଏମ୍‌ସି ଆଉ ୨୦କୋଟି ଅଧିକ ପାଇଥାନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର