ଭୁବନେଶ୍ବର: ସ୍ଲମ୍ କ୍ବାର୍ଟର୍ସ ପ୍ରସଙ୍ଗରେ ବିଏମ୍ସିକୁ ବଡ଼ ଝଟ୍କା ଲାଗିଛି। କ୍ବାର୍ଟର୍ସରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ହାଇକୋର୍ଟ ହାରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବିଏମ୍ସିକୁ ନିରାଶ ହେବାକୁ ପଡ଼ିଛି। ଉପଯୁକ୍ତ କାମଗଜପତ୍ର ଉପସ୍ଥାପନ କରିପାରି ନଥିବାରୁ ପିଟିସନ ଖାରଜ ହୋଇଯାଇଛି। ଅର୍ଥାତ୍ ଏବେ ଏହି କ୍ବାର୍ଟର୍ସ ସମ୍ପୃକ୍ତ କର୍ମଚାରୀଙ୍କର। ଏଣେ ଏହି ରାୟ ଅଧାରରେ ଆଉ ଗୋଟିଏ ହେଲେ କ୍ବାର୍ଟର୍ସ ବିଏମ୍ସି ନିଜ ଅଧୀନରେ ରଖିପାରିବ ନାହିଁ।
ଏହି ସ୍ଲମ୍ କ୍ବାର୍ଟର୍ସରେ ରହୁଥିବା ଶିବ ନାରାୟଣ ପାତ୍ରଙ୍କୁ ବିଏମ୍ସି କ୍ବାର୍ଟର୍ସ ଛାଡ଼ିବାକୁ ଚିଠି ଲେଖିବାରୁ ସେ ହାଇକୋର୍ଟ ଯାଇଥିଲେ। ୨୦୧୯ ମସିହାରେ କୋର୍ଟ ବିଏମ୍ସିକୁ ରିଟ୍ ପିଟିସନ ଦାଖଲ କରିବାକୁ କହିଥିଲେ। ହେଲେ ବିଏମ୍ସି ୪ ବର୍ଷ ପରେ ଅର୍ଥାତ୍ ୨୦୨୩ରେ ପିଟିସନ ଦାଖଲ କରିବାରୁ ମାମଲା ହାରି ଯାଇଥିଲା। ତେବେ ତୁରନ୍ତ ରିଟ୍ ନ କରି କାହିଁକି ୪ ବର୍ଷ ପରେ ବିଏମ୍ସି ଆବେଦନ କଲା ତାହାକୁ ନେଇ ତନାଘନା ହୋଇଥିଲା। ଆବଶ୍ୟକୀୟ କାଗଜପତ୍ର ଯୋଗାଡ଼ କରୁଥିବା ନେଇ ସେତେବେଳେ ବିଏମ୍ସି କହିଥିଲା। ବାସ୍ତବରେ ଜଣେ ଡିଏଲ୍ଆର କର୍ମଚାରୀ ଏହି ହାଇକୋର୍ଟ ମାମଲାଗୁଡ଼ିକର କାଗଜପତ୍ର ଡିଲ୍ କରୁଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡ଼ିଥିଲା। ତେବେ ରିଟ୍ ଖାରଜ ହେବା ପରେ ବିଏମ୍ସି ସୁପ୍ରିମକୋର୍ଟ ଯାଇଥିଲା। ସେଠାରେ ମଧ୍ୟ ଉପଯୁକ୍ତ ନଥି ଦାଖଲ କରି ନପାରିବାରୁ ମାମଲା ହାରିଛି। ପ୍ରଶ୍ନ ଉଠିଛି କି ହାଇକୋର୍ଟରେ ଲଢ଼ିବା ପାଇଁ କାଗଜପତ୍ର ଯୋଗାଡ଼ କରୁ କରୁ ୪ ବର୍ଷ ବିତିଥିଲା ତେବେ କୁଆଡ଼େ ଗଲା ସେ କାଗଜପତ୍ର? ବିଏମ୍ସି ସୁପ୍ରିମକୋର୍ଟରେ ହାରିଗଲା କେମିତି?
୧୯୫୭ ମସିହାରେ କେନ୍ଦ୍ର ସରକାର ‘ସ୍ଲମ୍ କ୍ଲିୟରାନ୍ସ ହାଉସିଂ ସ୍କିମ୍’ରେ ୟୁନିଟ୍-୩ ମାଳିସାହି, ପୁରୁଣା ଭୁବନେଶ୍ବର ହାଡ଼ିପୋଖରୀ ଓ ଶ୍ରୀରାମନଗରରେ ସାଧାରଣ ପ୍ରଶାସନ (ଜିଏ) ବିଭାଗ ଜମିରେ ୧୮୫ଟି କ୍ବାର୍ଟର୍ସ ତିଆରି କରିଥିଲେ। ସ୍ବଳ୍ପ ଭଡ଼ାରେ ଘରଗୁଡ଼ିକୁ ବସ୍ତିବାସିନ୍ଦା ଓ ସ୍ବଳ୍ପ ଆୟକାରୀ ଲୋକଙ୍କୁ ଦେବା ପାଇଁ ନିୟମ ରହିଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ, ଗୃହ ବିଭାଗ, ପୂର୍ତ୍ତ ବିଭାଗ, ଭୁବନେଶ୍ବର ମ୍ୟୁନିସିପାଲିଟି (ଏବେ ବିଏମ୍ସି) ଅଧିକାରୀଙ୍କୁ ନେଇ ୧୯୭୩ ମସିହା ଅକ୍ଟୋବର ୧୦ରେ ‘ସ୍ଲମ୍ କ୍ବାର୍ଟର୍ସ ଆଲଟ୍ମେଣ୍ଟ କମିଟି’ ଗଠନ ହୋଇଥିଲା। କମିଟିର ପ୍ରଥମ ବୈଠକ ୧୯୭୪ ଜୁନ୍ ୨୪ ତାରିଖରେ ବସିଥିଲା। ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ଭଡ଼ା ମିଳିବ ନାହିଁ ବା ସମସ୍ୟା ହେବା ଆଶଙ୍କା କରି ସରକାରୀ କର୍ମଚାରୀଙ୍କୁ ଏହି କ୍ବାର୍ଟର୍ସ ବାଣ୍ଟିବା ପାଇଁ କମିଟି ଯୋଜନା କରି କିଛି କର୍ମଚାରୀମାନଙ୍କୁ ବାଣ୍ଟି ଦେଇଥିଲା। ଚାକିରି ସରିବା ପରେ କ୍ବାର୍ଟର୍ସ ଫେରାଇବେ ଓ ତାଙ୍କର କୌଣସି ପରିବାରବର୍ଗଙ୍କୁ କ୍ବାର୍ଟର ସ୍ଥାନାନ୍ତର ହୋଇପାରିବ ନାହିଁ ବୋଲି ସର୍ତ୍ତ ରହିଥିଲା। କିଛି ଦିନ ଭଡ଼ା ଆଦାୟ କରିବା ପରେ ବିଏମ୍ସି ଆଉ ଭଡ଼ା ଆଦାୟ କରିନଥିଲା। ଭଡ଼ା ଆଦାୟ କରିଥିଲେ ହୁଏତ ଭଡ଼ାଟିଆଙ୍କୁ ଘରୁ ହଟାଇବା ଭଳି ସେମାନଙ୍କୁ ବିଏମ୍ସି ହଟାଇ ପାରିଥାନ୍ତା। କିନ୍ତୁ ସେ ସୁଯୋଗ ଏବେ ନାହିଁ। ସରକାରୀ କର୍ମଚାରୀଙ୍କୁ ବାଣ୍ଟି ଏହି କମିଟି ସ୍ଲମ୍ କ୍ବାର୍ଟର୍ସ ପାଇଁ ଧାର୍ଯ୍ୟ ନିୟମାବଳୀକୁ ଉଲ୍ଲଂଘନ କରିଥିବା ବେଳେ ବିଏମ୍ସିର ଆଉ ଏକ ତ୍ରୁଟି ଆବେଦନକାରୀଙ୍କୁ ସୁହାଇଥିଲା। ଏହାର ସୁଯୋଗ ନେଇ ପରବର୍ତ୍ତୀ ସମୟରେ କ୍ବାର୍ଟର୍ସରେ ରହୁଥିବା ଅଧିକାଂଶ ଲୋକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓ ତାଙ୍କ ସପକ୍ଷରେ ରାୟ ଆସିଥିଲା। ଏବେ ବିଏମ୍ସି ସୁପ୍ରିମକୋର୍ଟରେ ହାରିବା ପରେ ସମସ୍ତ କ୍ବାର୍ଟର୍ସ ବିଏମ୍ସି ହାତରୁ ଯିବା ଥୟ ହୋଇଛି।