ବିଏମସିର ‘ମିଲ୍ ଫର୍ ପ୍ଲାଷ୍ଟିକ୍’ ଯୋଜନା ଆ‌ରମ୍ଭ: ଅଧ କିଲୋ ପ୍ଲାଷ୍ଟିକ ବର୍ଜ୍ୟ ଦେଲେ, ଆହାର କେନ୍ଦ୍ରରେ ମାଗଣା ଭ‌ୋଜନ କଲେ

ଭୁବନେଶ୍ବର:  ଅଧ କିଲୋ ପ୍ଲାଷ୍ଟିକ ବର୍ଜ୍ୟ ଦେଲେ ପ୍ରତିବଦଳରେ ଆହାର କେନ୍ଦ୍ରରେ ମିଳିବ ମାଗଣାରେ ଭୋଜନ । ଆଜି ଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏଭଳି ଅଭିନବ ଯୋଜନା ଆରମ୍ଭ କରିଛି । ମହାନଗର ନିଗମ ଅଞ୍ଚଳରେ ଥିବା ୧୧ଟି ଆହାର କେନ୍ଦ୍ରରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ଏହା ସୂଚିତ କରାଯାଇଛି।

ବିଏମସିର ଯୋଜନା ଅନୁସାରେ, ଯେଉଁ ବ୍ୟକ୍ତି ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରି ଆହାର କେନ୍ଦ୍ରରେ ଜମା କରିବେ, ତାଙ୍କୁ ମାଗଣାରେ ଭୋଜନ ଦିଆଯିବ । ଅଧ କିଲୋ ପ୍ଲାଷ୍ଟିକ୍ ପାଇଁ ଗୋଟିଏ ମିଲ୍ ମିଳିବ ।  ତେବେ ଦିନକୁ ଜଣେ ସର୍ବାଧିକ ଏକ କିଲୋଗ୍ରାମ ପ୍ଲାଷ୍ଟିକ ଆହାର କେନ୍ଦ୍ରରେ ଜମା ଦେଇପାରିବେ ।

ପୂର୍ବରୁ ତେଲେଙ୍ଗାନାରେ କେଜିଏ ପ୍ଲାଷ୍ଟିକ ବର୍ଜ୍ୟ ବଦଳରେ କେଜିଏ ଚାଉଳ ଅଭିଯାନ ଆରମ୍ଭ ହୋଇଛି । ଏହି  ଢାଞ୍ଚାରେ ବିଏମସି ମିଲ୍ ଫର୍ ପ୍ଲାଷ୍ଟିକ୍ କାର୍ଯ୍ୟକାରୀ କରିଛି । ୟୁଏନଡିପି ଓ ଟଚଷ୍ଟୋନ ଫାଉଣ୍ଡେସନ ସହ ମିଶି ବିଏମସି ଏହି ଯୋଜନା  କାର୍ଯ୍ୟକାରୀ କରାଯାଇଛି ।  ସୋମବାର କଳ୍ପନା ଛକରେ ଥିବା ଆହାର କେନ୍ଦ୍ରରେ ମିଲ୍ ଫର୍ ପ୍ଲାଷ୍ଟିକ୍ ଅଭିଯାନକୁ ବିଏମସି ଆରମ୍ଭ କରିଛି । ଏହାସହ କ୍ୟାପିଟାଲ ହସ୍ପିଟାଲ ପରିସରରରେ ଥିବା ଆହାର କେନ୍ଦ୍ର, ସମ୍ ହସ୍ପିଟାଲ ପାଖ , କଳିଙ୍ଗ ହସ୍ପିଟାଲ ପାଖ, ନୂଆପଲ୍ଲୀ, ରସୁଲଗଡ, ଏମସ୍ ପାଖରେ ଦୁଇଟି ଆହାର କେନ୍ଦ୍ର, ମାଷ୍ଟରକ୍ୟାଣ୍ଟିନ୍ ସିଟି ବସଷ୍ଟାଣ୍ଡ ପାଖ, ବରମୁଣ୍ଡା ବସଷ୍ଟାଣ୍ଡ ପରିସର ଓ ୟୁନିଟ-୨ ମାର୍କେଟ ବିଲ୍ଡିଂ ପାଖ ଭଳି ସହରର ମୋଟ ୧୧ଟି ଆହାର କେନ୍ଦ୍ରରେ ପ୍ଲାଷ୍ଟିକ୍ ବଦଳରେ ମାଗଣା ଆହାର ଦିଆଯାଇଛି।

ସୂଚନା ଅନୁସାରେ, ଟଚଷ୍ଟୋନ୍ ଫାଉଣ୍ଡେସନରେ ସଦସ୍ୟମାନେ ସମସ୍ତ ଆହାର କେନ୍ଦ୍ରରେ ରହି ଲୋକଙ୍କଠାରୁ ପ୍ଲାଷ୍ଟିକ୍ ବର୍ଜ୍ୟ ରଖିବେ । ଏକ ରେଜିଷ୍ଟ୍ରାରରେ ପ୍ଲାଷ୍ଟିକ୍ ସାମଗ୍ରୀ ଦେଉଥିବା ଲୋକଙ୍କ ନାମ , ମୋବାଇଲ ନମ୍ବର , ପ୍ଲାଷ୍ଟିକକୁ ଓଜନ କରି ଏହାର ପରିମାଣ ଓ ଦସ୍ତଖତ ରଖିବେ । ଆହାର କେନ୍ଦ୍ରରେ ଜମା ହେଉଥିବା ପ୍ଲାଷ୍ଟିକକୁ ବର୍ଜ୍ୟକୁ ୟୁଏନଡିପି ସଂଗ୍ରହ କରିବ । ତେବେ ୟୁଏନଡିପି ଏହାକୁ କୌଣସି ସଂସ୍ଥାକୁ ବିକ୍ରି କରିବନି । ଏହାକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାରଣ କରି ପୁନଃ ବ୍ୟବହାରକ୍ଷମ କରାଯିବ ।

ସମ୍ବନ୍ଧିତ ଖବର