ବିଏମ୍‌ସି ଡାକ୍ତରଖାନାରେ ବହୁ ବିଭାଗ ବନ୍ଦ

ପୁଣି ଧାରଣାରେ ବସିଲେ ଲୋକେ

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବିଏମ୍‌ସି ଡାକ୍ତରଖାନାର ବହୁ ବିଭାଗ ବନ୍ଦ ରହିଛି। ଗତ ସ୍ୱାୟତ୍ତ ଶାସନ ଦିବସରେ ହସ୍ପିଟାଲର ବିଭିନ୍ନ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏହା ପୂରଣ ନହେବାରୁ ପୁଣି ସ୍ଥାନୀୟ ଲୋକେ ଆଜିଠାରୁ ଧାରଣା ଦେଇଛନ୍ତି। ଡକ୍ତରଖାନାରେ ଥିବା ଲାପ୍ରୋସ୍କୋପି ମେସିନ ୬ବର୍ଷରୁ ଅଧିକ ସମୟ ଧରି ଅଚଳ ହୋଇ ପଡ଼ିଛି। ସେହିପରି ଏଣ୍ଡୋସ୍କପି ମେସିନ ସାଢ଼େ ତିନି ବର୍ଷ ହେବ କୋଣସି କାମରେ ଲାଗୁନାହିଁ। ଅଲ୍‌ଟ୍ରାସାଉଣ୍ଡ ବିଭାଗରେ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ନାହାନ୍ତି। ଯାହା ଫଳରେ ଏହି ବିଭାଗ ୪ବର୍ଷ ହେବ ବନ୍ଦ ରହିଛି। ସେହିପରି ଇଏନ୍‌ଟି ବିଭାଗର ଅବସ୍ଥା ବି ସମାନ। ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକନଟି ୯ମାସରୁ ଊର୍ଧ ସମୟ ଧରି ବନ୍ଦ ହୋଇରହିଛି। ଅନ୍ୟ ବ୍ୟକ୍ତିଙ୍କୁ ଏଠାରେ ଔଷଧ ଦୋକାନ କରିବା ପାଇଁ ଅନୁମତି ନଥିବାରୁ ଏଠାକୁ ଆସୁଥିବା ଲୋକେ ଔଷଧ ପାଉ ନାହାନ୍ତି। ଏହା ଯୋଗୁଁ ଲୋକେ ନାନା ହଇରାଣ ହେଉଛନ୍ତି।

ବିଶେଷ କରି ରାତିରେ ଆସୁଥିବା ରୋଗୀ ଏଠାରେ କୌଣସି ମେଡିସିନ୍‌ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଅନେକ ସମସ୍ୟା ନେଇ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ପୂର୍ବରୁ ଧାରଣା ଦିଆଯାଇଥିଲା। ସେତେବେଳେ ସ୍ଥାନୀୟ ବିଧାୟକ, ସାଂସଦ ଓ ମେୟର ଆସି ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ସମସ୍ୟାର ସମାଧାନ ହୋଇନାହିଁ। ତେଣୁ ଏହାର ପ୍ରତିବାଦରେ ଆଜି ମଞ୍ଚର ସଭାପତି ଭୀଷ୍ମ ନାରୟଣ ନାୟକଙ୍କ ନେତୃତ୍ଵରେ ଜଗତଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ବସନ୍ତ ମହାପାତ୍ର, ଶ୍ରୀକାନ୍ତ ପାକଲ, ଜ୍ଞାନରଞ୍ଜନ ପାଲ, ସଂଗ୍ରାମ ସାହୁ, ବିକାଶ ମହାନ୍ତି, ବ୍ରହ୍ମାନନ୍ଦ ଉପାଧ୍ୟୟ, ସ୍ୱପ୍ନାରାଣୀ ସାମଲ, ରୋଜିନା ମିଶ୍ର, ସଞ୍ଜୁଲତା ପଟ୍ଟନାୟକ, ରୋଜିନା ମିଶ୍ର, ସଞ୍ଜୁକ୍ତା ପାତ୍ର, ବାସନ୍ତି ସ୍ୱାଇଁ, ଲକ୍ଷ୍ମୀପ୍ରିୟା ବିଶ୍ୱାଳ, ଅମ୍ରିତା ଦାସ, ଲିଙ୍ଗରାଜ ହାତୀ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ସେପଟେ ଆଗାମୀ ଦିନରେ ଡାକ୍ତରଖାନା ସମସ୍ୟା ନେଇ ବଡ଼ ଧରଣର ସଂଗ୍ରାମ କରାଯିବ ବୋଲି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଅମିୟ ଦାଶ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର