ବିଏମ୍‌ସି ଡାକ୍ତରଖାନା: ୧ରୁ ଯୋଗଦେବେ ୮ ନୂଆ ଡାକ୍ତର

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବିଏମ୍‌ସି ଡାକ୍ତରଖାନାରୁ ବଦଳି କରାଯାଉଥିବା ଡାକ୍ତରଙ୍କ ବଦଳରେ ୮ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ନଂ୨୧୪୯ରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଯୋଗଦେବାକୁ ଥିବା ଡାକ୍ତରମାନେ ହେଲେ, ଡା. ସୁଶାନ୍ତ ନାୟକ(ଫିଜୋଥେରାପି), ଡା. ମଞ୍ଜୁରାଣୀ ଜେନା(ସ୍ବତନ୍ତ୍ର ମେଡିସିନ୍‌), ଡା. ଆରତୀ ନାୟକ(ସ୍ତ୍ରୀ ଓ ପ୍ରସୂତି), ଡା. ସତ୍ୟବତ୍ର ପଣ୍ଡା(ସ୍ତ୍ରୀ ଓ ପ୍ରସୂତି), ଡା. ମନୋରଞ୍ଜନ ରାଉତ(ଶିଶୁ ବିଭାଗ), ଡା. ଗଣେଶ ପ୍ରସାଦ ଦାଶ, ଡା. ସରୋଜ ରଞ୍ଜନ ସ୍ବାଇଁ ଓ ଡା. କଲ୍ୟାଣ କୁମାର ସର୍କାର।

ସୂଚନା‌ଯୋଗ୍ୟ, ବିଏମ୍‌ସି ଡାକ୍ତରଖାନା‌‌ରେ କାର୍ଯ୍ୟରତ ମୁଖ୍ୟ ଚିକିତ୍ସା ଅଧିକାରୀ ସମେତ ମୋଟ ୮ଜଣଙ୍କ ଡାକ୍ତରଙ୍କ ପ୍ରମୋସନ୍‌ ହେବା ସହ ଏଠାରୁ ଅନ୍ୟତ୍ର ବଦଳି ହୋଇଛି। ତେବେ ଏହି ଡାକ୍ତରମାନଙ୍କ ବଦଳି ପରେ ତାଙ୍କ ସ୍ଥାନରେ କିଏ ଯୋଗ ଦେବେ, ସେ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇ ନଥିବାରୁ ରୋଗୀସେବା ସଂପୂର୍ଣ୍ଣ ବ୍ୟାହତ ହେବା ନେଇ ଆଶଙ୍କା ଦେଖାଦେଇଥିଲା। ଏ ସଂପର୍କରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ସେତେବେଳେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପ୍ରମୋସନ୍‌ ହୋଇଥିବା ଡାକ୍ତରଙ୍କ ବଦଳରେ ନୂତନ ଡାକ୍ତର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେମାନଙ୍କୁ ରିଲିଭ୍‌ ଅର୍ଡର ଦିଆଯିବ ନାହିଁ ବୋଲି କହିଥିଲେ। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ଫେବ୍ରୁଆରି ୧ ତାରିଖରେ ନୂତନ ଡାକ୍ତର ଯୋଗଦେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର