ଭୁବନେଶ୍ୱର: ବିଏମ୍ସି ଅଞ୍ଚଳରେ ଅନେକ କାମ ଅଧାପନ୍ତରିଆ ହୋଇପଡ଼ିଛି। ଟଙ୍କା ଅଭାବରୁ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏପ୍ରିଲରେ ଦିଆଯାଉଥିବା ୱାର୍ଡ ବଜେଟ୍ ଏଯାଏ ଅନୁମୋଦନ ହୋଇନାହିଁ। ବର୍ଷା ଆରମ୍ଭ ହୋଇ ଯାଇଥିଲେ ହେଁ ୱାର୍ଡମାନଙ୍କରେ ଡ୍ରେନ୍ ସଫା ହୋଇନି କି ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପଡ଼ିନାହିଁ। ୱାର୍ଡମାନଙ୍କରେ ସମସ୍ତ ଉନ୍ନୟନ କାମ ଠପ୍ ହୋଇ ଯାଇଛି। ଏମିତିକି କେତେକ କାମ ସରିଥିଲେ ମଧ୍ୟ ଠିକା ସଂସ୍ଥା ବିଲ୍ ପାଉନାହିଁ। ଆଜି ବିଏମ୍ସିର ୩୨ତମ ସାଧାରଣ ବୈଠକରେ ଏଭଳି କିଛି ଅସନ୍ତୋଷ ପ୍ରକାଶ ପାଇଛି।
ଖୁବ୍ଶୀଘ୍ର ଆବଣ୍ଟିତ ହେବ ସହିଦନଗର ହାଟପିଣ୍ଡି
ସହରରେ ହେବ କୁକୁର ଗଣନା
ଟଙ୍କା ଅନୁମୋଦନ ହେଉନି, ୱାର୍ଡରେ ଉନ୍ନୟନ କାମ ଠପ୍
ଅସନ୍ତୋଷ ଝାଡ଼ିଲେ କର୍ପୋରେଟର
ଚୁକ୍ତି ଅନୁସାରେ ଟଙ୍କା ଦେଉନାହାନ୍ତି ବିଜ୍ଞାପନ ଲଗାଉଥିବା ସଂସ୍ଥା
କାହିଁକି ସରକାର ଅର୍ଥ ଅନୁମୋଦନ କରୁନାହାନ୍ତି ବୋଲି କର୍ପୋରେଟରମାନେ ପ୍ରଶ୍ନ ଉଠାଇଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କର୍ପୋରେଟର ଅଜିତ ବେହେରା ଦାବି କରିଥିଲେ। ଅନ୍ୟପଟେ ସରକାର ଆର୍ଥିକ ସହାୟତା ଯୋଗାଇ ଦେଲେ ବକେୟା ଥିବା ଅର୍ଥ ପୈଠ କରାଯିବା ସହ ଅଧା ରହିଥିବା କାମଗୁଡ଼ିକ କରାଯିବ ବୋଲି ଅଧିକାରୀମାନେ କହିଥିଲେ। ଏଥିସହ ଡ୍ରେନରୁ ପଙ୍କ ଉଦ୍ଧାର କରିବା ଓ ମୁକୁଳା ଡ୍ରେନଗୁଡିକ ଉପରେ ସ୍ଲାବ ପକାଇବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଆଗକୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ବିଏମ୍ସି ଅଞ୍ଚଳରେ ବିଜ୍ଞାପନ ଲଗାଉଥିବା ସଂସ୍ଥାମାନେ ଚୁକ୍ତି ଅନୁସାରେ କାହିଁକି ଟଙ୍କା ଦେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ କର୍ପୋରେଟର ଭରତ ଲେଙ୍କା। ଯାହାକୁ ଅଧିକାଂଶ କର୍ପୋରେଟର ସମର୍ଥନ କରିଥିଲେ। ମୁଖ୍ୟତଃ ୪ଟି ପ୍ରମୁଖ ବିଜ୍ଞାପନ ଲଗାଉଥିବା ସଂସ୍ଥା କୋଟି କୋଟି ଟଙ୍କା ବକେୟା ରଖିଛନ୍ତି। ତେବେ ଏକ କମିଟି ଗଠନ କରି ପ୍ରତ୍ୟେକ ସଂସ୍ଥାକୁ ଚୁକ୍ତିପତ୍ର ଅନୁସାରେ ଅର୍ଥ ସୁଧ ସହିତ ଆଦାୟ ହେବ। ଏଥିପାଇଁ ଉକ୍ତ ସଂସ୍ଥାକୁ ନୋଟିସ କରାଯିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନେ ବକେୟା ଅର୍ଥ ପୈଠ ନକଲେ, ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।
ହ୍ୱାଟ୍ସଆପରେ ସବୁ ସେବା
ଏଣିକି ଲୋକମାନେ ବିଭିନ୍ନ ପ୍ରକାର ଟାକ୍ସ ଦେବାକୁ ଆଉ ବିଏମ୍ସି ଅଫିସ କିମ୍ବା ଵାର୍ଡ ଅଫିସ ଯିବାକୁ ପଡ଼ିବ ନାହିଁ। ମୋବାଇଲ ହ୍ୱାଟ୍ସଆପରେ ସେମାନେ ସମସ୍ତ ପ୍ରକାର ଟାକ୍ସ ଦେଇପାରିବେ। କେବଳ ସେତିକି ନୁହେଁ, ସାଧାରଣ ଲୋକଙ୍କ ପାଇଁ ବିଏମ୍ସି ପକ୍ଷରୁ ଉଭୟ ଓଡ଼ିଆ ଓ ଇଂରାଜିରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି। ବିଏମ୍ସିର ବିଭିନ୍ନ ସେବା ଯଥା ପରିମଳ ସେବା, ବିବାହ ପ୍ରମାଣପତ୍ର, ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପ ବୁକିଂ, ପ୍ଲାନିଂ ମଞ୍ଜୁରୀ ଆଦି ପାଇଁ ଗ୍ରାହକମାନେ ୭୬୫୩୦୧୧୮୩୨ ନମ୍ବରରେ ହ୍ବାଟ୍ସଆପ୍ରେ ଯୋଗାଯୋଗ କରିପାରିବେ। ତିନିଟି ଭାଷା ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ଏହି ସେବା ଉପଲବ୍ଧ ହେବ।
ଚଳିତ ବର୍ଷ ଡେଙ୍ଗୁ ପ୍ରତି ସମସ୍ତେ ସଜାଗ ରହିବା ସହ ରୋଗୀ ସଂଖ୍ୟା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଠିକ୍ ସେମିତି ଡାଇରିଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାସ୍ତା ପାର୍ଶ୍ୱ ଏବଂ ବିଭିନ୍ନ ହୋଟେଲରେ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବିଏମ୍ସି ଅଂଚଳରେ କୁକୁର ଗଣନା ଓ କୁକୁର ବନ୍ଧ୍ୟାକରଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ସହିଦନଗର ହାଟପିଣ୍ଡିକୁ ଖୁବ୍ଶୀଘ୍ର ଆବଣ୍ଟନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିସନର ରତ୍ନାକର ସାହୁ, ଶୁଭେନ୍ଦୁ କୁମାର ସାହୁ, କୈଳାସ ଚନ୍ଦ୍ର ଦାସ, ସିଟି ଇଂଜିନିୟର ବିଳାସ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ବୈଠକରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା, କର୍ପୋରେଟର, ଲାଇନ ଡିପାର୍ଟମେଣ୍ଟର ପ୍ରତିନିଧି, ବିଏମ୍ସିର ଉପବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକକୁ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ସଂଯୋଜନା କରିଥିଲେ।