ଡେଙ୍ଗୁ, ପରିମଳକୁ ନେଇ କମ୍ପିଲା ବିଏମ୍‌ସି ବୈଠକ: ଅଧାରୁ ଉଠିଗଲେ ସାଂସଦଙ୍କ ପ୍ରତିନିଧି

ଧାରଣା ଦେଲେ ମହିଳା କର୍ପୋରେଟର, ଅଧା ପ୍ରସ୍ତାବ ରହିଗଲା

ଭୁବନେଶ୍ବର: ଡେଙ୍ଗୁ ଓ ପରିମଳ ବ୍ୟବସ୍ଥାକୁ ନେଇ କମ୍ପିଛି ବିଏମ୍‌ସି ବୈଠକ। ଡେଙ୍ଗୁ ବ୍ୟାପୁଛି। ଲୋକେ ଆତଙ୍କିତ ହୋଇ ରହିଛନ୍ତି। କିନ୍ତୁ କମିସନର କହୁଛନ୍ତି ଡେଙ୍ଗୁରେ କେହି ମୃତ୍ୟୁ ବରଣ କରିନାହାନ୍ତି। ଏହାକୁ ନେଇ ଦୀର୍ଘ ସମୟ ଧରି ହୋ ହଲ୍ଲା ହୋଇଛି। ଠିକ୍‌ ସେହିଭଳି ପରିମଳ ପରିଚାଳନା ବ୍ୟବସ୍ଥାକୁ କର୍ପୋରେଟରମାନେ ଘୋର ବିରୋଧ କରିଛନ୍ତି। ପୂର୍ବାପେକ୍ଷା ଖର୍ଚ୍ଚ ବହୁଗୁଣ ବଢ଼ିଥିଲେ ମଧ୍ୟ ସଫେଇର ଗୁଣବତ୍ତା କମିଛି। ଏଥିରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍‌ ହେଉଛି। ସେହିଭଳି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତିଥି ହେଉଥିବା ବେଳେ କର୍ପୋରେଟଙ୍କୁ ଡକା ଯାଉନାହିଁ ବୋଲି ଜଣେ ସ୍ବାଧୀନ କର୍ପୋରେଟର୍‌ ଅଭିଯୋଗ କରିଥିଲେ। ଏହାକୁ ନେଇ ସେ ହୋ ହଲ୍ଲା କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ବୁଝାଇବାରୁ ଭୟଙ୍କର ପରିସ୍ଥିତି ଉପୁଜିଛି। ଜଣେ ବିଜେପି କର୍ପୋରେଟର ମହିଳା କର୍ପୋରେଟରଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସମ୍ପୃକ୍ତ ମହିଳା କର୍ପୋରେଟର ଜଣକ କିଛି ସମୟ ଧାରଣା ମଧ୍ୟ ଦେଇଥିଲେ। ପ୍ରବଳ ହୋ ହଲ୍ଲା ମଧ୍ୟରେ ଅନେକ ପ୍ରସ୍ତାବ ଅଧା ରହିଗଲା, ଆଲୋଚନା ହୋଇ ପାରିଲା ନାହିଁ।

ରାଜସ୍ବ ଆଦାୟ ହେଉଥିବା ରସିଦ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ସାଂସଦଙ୍କ ପ୍ରତିନିଧି ମଦନ ମୋହନ ପ୍ରଧାନ ଏ ନେଇ ବୈଠକରେ ପ୍ରଶ୍ନ କରିଥିଲେ। ପାଖାପାଖି ୨୦ଟି ପ୍ରଶ୍ନର ସେ ଉତ୍ତର ଚାହିଥିଲେ। କିନ୍ତୁ ଏତେ ପ୍ରଶ୍ନର ଉତ୍ତର ଦେଇ ହେବନି ବୋଲି ମେୟର କହିବାରୁ ସେ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ। ସେହିଭଳି ଜାଗା ମିସନ୍‌ରେ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିବା ପାଇଁ କାମ ଥିବା କହି ଅଧାରୁ ଉଠିଯିବାରୁ ହୋ ହଲ୍ଲା ହୋଇଥିଲା।
କର୍ପୋରେସନକୁ ନ ଜଣାଇ ଅଧିକାରୀମାନେ ବହୁ ଖର୍ଚ୍ଚ କରୁଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। କେତେକ ଖର୍ଚ୍ଚ ଉପରେ ନୃପେଶ ନାୟକ ପ୍ରଶ୍ନ ଉଠାଇଥିଲେ। ଏହା ପରେ ‘ଟିମ୍‌ ସାଇନ୍‌’ ଗଠନ ପ୍ରସଙ୍ଗରେ କାହିଁକି କର୍ପୋ‌ରେସନର ସ୍ବୀକୃତି ନିଆଗଲା ନାହିଁ ବୋଲି ଅପରୂପ ରାଉତ ପ୍ରଶ୍ନ କରିଥିଲେ। ଟିମ୍‌ ସାଇନ୍‌ର କାର୍ଯ୍ୟୋତ୍ତର ସ୍ବୀକୃତି ନେବା ପାଇଁ ବୈଠକରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ସ୍ବୀକୃତି ମିଳିନଥିଲା।

ବିଏମ୍‌ସି ମାସିକ ବୈଠକରେ ସାମ୍ବାଦିକଙ୍କୁ ଅନୁମତି ନାହିଁ। ଏଠାରେ ଯାହା ହେଉଛି ସାଧାରଣ ଲୋକଙ୍କ ପାଇଁ ହେଉଛି ଓ ସେମାନେ ଏହା ଜାଣିବା ଦରକାର। ଏଣୁ ସାମ୍ବାଦିକଙ୍କୁ ଏହା ଭିତରକୁ ଅନୁମତି ଦିଆଯାଉ। ଏହା ଭିତରେ କ’ଣ ହେଉଛି ସାଧାରଣ ଲୋକେ ଜାଣନ୍ତୁ ବୋଲି ଅପରୂପ ରାଉତ କହିଥିଲେ। ଏହା ଉପରେ ବିଚାର କରାଯିବ ବୋଲି କୁହାଯାଇଛି। ସେହିଭଳି ବର୍ଷକୁ ୧୦ ପ୍ରତିଶତ ବୃଦ୍ଧିରେ ପିଏମ୍‌ୟୁ ସେଲ୍‌କୁ ଆଉ ୩ ବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯାଇଛି। ଏଥିରେ ପାଖାପାଖି ୨୦ ଲକ୍ଷ ଖର୍ଚ୍ଚ ହେଉଛି। କର୍ପୋରେସନର ବିନାନୁମତିରେ କାହିଁକି ନବୀକରଣ ହେଲା? ସେମାନେ କଣ କରୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା। କିନ୍ତୁ ଏ ନେଇ କେହି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। କର୍ପୋରେଟର ଗୀତାଞ୍ଜଳୀ ସାହୁ କହିଥିଲେ, ମାସକୁ କର୍ପୋରେଟରମାନଙ୍କୁ ୭ଶହ ଟଙ୍କା ପାରିଶ୍ରମିକ ମିଳୁଛି। ଏଭଳି ‌ଅପମାନ ନ ଦେଇ ଏହି ପାଣ୍ଠିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ପାଣ୍ଠିକୁ ପଠାଇ ଦିଅ ବୋଲି ସେ କହିଥିଲେ।

ଜାଗା ମିସନ୍‌କୁ ନେଇ ମଧ୍ୟ ହୋ ହଲ୍ଲା ହୋଇଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟାଯିବାକୁ ବସିଥିବା ବେଳେ ହଜାର ହଜାର ଯୋଗ୍ୟ ଏଥିରୁ ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ପାଇଁ କ’ଣ କରାଯିବ? ତାଙ୍କ ଅଭିଯୋଗ କେବେ ଶୁଣିବ ବୋଲି ପ୍ରଶ୍ନ ଉଠିଥିଲା। ପ୍ରମାଣପତ୍ର ବଣ୍ଟନ ପରେ ଯଦି ଅଯୋଗ୍ୟ ବାହାରନ୍ତି ତେବେ ଏସ୍‌ଡିଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏସବୁ କଥା ପରେ ବିଚାର କରାଯିବ ବୋଲି ମେୟର କହିଥିଲେ। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୖଠକରେ ଜଟଣୀ ବିଧାୟକ ସୁର ରାଉତରାୟ, କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ ଓ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର