ଆଜି ବସିବ ବିଏମ୍‌ସି ବୈଠକ: ଗଠନ ହେବ ଷ୍ଟାଣ୍ଡିଂ କମିଟି

୯ କମିଟି ଅଧ୍ୟକ୍ଷ ପଦକୁ ନେଇ ଲବି, ବିଜେପି କର୍ପୋରେଟରଙ୍କୁ ସୁଯୋଗ ମିଳିବ ତ?

ଭୁବନେଶ୍ବର : ନବନିର୍ବାଚିତ ଜନପ୍ରତିନିଧିମାନେ ବିଏମ୍‌ସିରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡେପୁଟି ମେୟର ନିର୍ବାଚନ ସରିଛି। ଏବେ ସମସ୍ତଙ୍କ ନଜର ବିଏମ୍‌ସିର ଷ୍ଟାଣ୍ଡିଂ କମିଟି ଉପ‌ରେ ରହିଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ ହେବ। ଯେଉଁଥିପାଇଁ ବୁଧବାର ବିଏମ୍‌ସିର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟା ୩୦ରେ ବସିବାକୁ ଥିବା ଏହି ବୈଠକରେ କମିଟି ସଦସ୍ୟମାନଙ୍କୁ ଚୟନ କରାଯିବ। କେଉଁ କର୍ପୋରେଟର କେଉଁ କମିଟିର ସଦସ୍ୟ ରହିବେ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ଡେପୁଟି ମେୟର ପଦ ଆଶାୟୀ ଥିବା କର୍ପୋରେଟର ଏବେ କମିଟି ଅଧ୍ୟକ୍ଷ ହେବାକୁ ଆଶା ବାନ୍ଧି ବସିଛନ୍ତି। କିଏ ମେୟରଙ୍କ ନିକଟତର ହୋଇ କମିଟି ଅଧ୍ୟକ୍ଷ ହେବାକୁ ଚେଷ୍ଟା କରୁଛନ୍ତି ତ ଆଉ କିଏ ମନ୍ତ୍ରୀ, ବିଧାୟକଙ୍କ ପାଖରେ ପହଞ୍ଚି ଲବି ଆରମ୍ଭ କରି ଦେଇଛନ୍ତି। ଦଳର ଶୀର୍ଷ ନେତୃତ୍ବଙ୍କ ପାଖରେ କିଛି କର୍ପୋରେଟର ପହଞ୍ଚିବାକୁ ଉଦ୍ୟମ କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।

ବିଏମ୍‌ସିରେ ୯ଟି ଷ୍ଟାଣ୍ଡିଂ କମିଟି ଓ ଗୋଟିଏ ଅତିରିକ୍ତ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ। ଯେଉଁଥିରେ ୪ଟି ପ୍ରମୁଖ କମିଟି ରହିଛି। ଟ୍ୟାକ୍ସ, ଫାଇନାନ୍‌ସ ଓ ଆକାଉଣ୍ଟସ୍‌କୁ ନେଇ ଗୋଟିଏ କମିଟି ହୋଇଥିବା ବେଳେ ଜନସ୍ବାସ୍ଥ୍ୟ କମିଟିରେ ବିଦ୍ୟୁତ୍‌, ପାନୀୟ ଜଳ, ଡ୍ରେନେଜ୍‌ ଓ ପରିବେଶକୁ ନେଇ କମିଟି ରହିଛି। ସେହିପରି ଅନ୍ୟତମ ପ୍ରମୁଖ ଦୁଇଟି କମିଟି ହେଉଛି ନିର୍ମାଣ ଏବଂ ପ୍ଲାନିଂ ଓ ଆକାଉଣ୍ଟ୍‌ସ୍‌। ଏହାବ୍ୟତୀତ ଶିକ୍ଷା, ଚିତ୍ତ ବିନୋଦନ ଓ ସଂସ୍କୃତି, ଲାଇସେନ୍ସ୍‌ ଓ ଅପିଲ୍‌ସ୍‌, କଣ୍ଟ୍ରାକ୍ଟ୍‌ସ୍‌, କର୍ପୋରେସନ ଏଷ୍ଟାବ୍ଲିସ୍‌ମେଣ୍ଟ ଏବଂ ଅଭିଯୋଗ ଓ ସାମାଜିକ ନ୍ୟାୟ କମିଟି ରହିଛି। ସ୍ଲମ୍‌ ରିସେଟେଲ୍‌ମେଣ୍ଟ ଅତିରିକ୍ତ ଷ୍ଟାଣ୍ଡିଂ କମିଟି ବି ଗଠନ କରାଯିବ। କଣ୍ଟ୍ରାକ୍ଟ୍‌ସ୍‌ କମିଟିରେ ମେୟର ମୁଖ୍ୟ ରହିବେ। ଅନ୍ୟ କମିଟିରେ କର୍ପୋରେଟରମାନେ ରହିବେ। ପ୍ରତି କମିଟିରେ ୭ ଜଣ ଲେଖାଏଁ ସଦସ୍ୟ ରହିବେ। ଏଥିରେ କର୍ପୋରେଟରଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ମଧ୍ୟ ସଦସ୍ୟ ରହିବେ। ନିର୍ଦ୍ଧାରିତ ସମୟରେ କମିଟି ବୈଠକ ବସିବ। ବୈଠକରେ ସମ୍ପୃକ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ କାର୍ଯର ସମୀକ୍ଷା ହେବ। କମିଟି ସୁପାରିସ ବିନା କୌଣସି କାମ ହେବ ନାହିଁ।

ଏହି କମିଟିଗୁଡ଼ିକୁ ନେଇ ଏବେ ଅଙ୍କ କଷା ଚାଲିଛି। କମିଟିର ମୁଖ୍ୟମାନେ କେବଳ ନିଜ ୱାର୍ଡ ନୁହେଁ, ବରଂ ସମଗ୍ର ଭୁବନେଶ୍ବର ଲୋକଙ୍କ ସହ ଯୋଗଯୋ‌ଗରେ ରହିବାର ସୁଯୋଗ ମିଳିବ। ଏଣୁ ବରିଷ୍ଠ କର୍ପୋରେଟର ଏବେ ପ୍ରମୁଖ ୪ଟି କମିଟି ଉପରେ ଆଖି ପକାଇଛନ୍ତି। ବିଶେଷକରି ଏକାଧିକ ଥରିଆ କର୍ପୋରେଟରଙ୍କ ଆଶା ଟିକିଏ ଅଧିକ ରହିଛି। ସବୁ ଆ‌ଡ଼ୁ ନିରାଶ ହୋଇଥିବାରୁ କିଛି ନ ହେଲେ ପ୍ରମୁଖ କମିଟିର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇ କାର୍ଯ୍ୟ କରିବେ ବୋଲି ଆଶାବାନ୍ଧି ବସିଛନ୍ତି। ତେବେ କାହାକୁ କେଉଁ ପଦ ମିଳିବ ତାହା ଏବେଠାରୁ କହିବା ମୁସ୍କିଲ ହୋଇପଡ଼ିଛି। କାରଣ ଚଳିତ ବିଏମ୍‌ସି ନିର୍ବାଚନରେ ବିଜେଡି ଯେଉଁଭଳି ଭାବେ ମେୟର, ଡେପୁଟି ମେୟର, କର୍ପୋରେଟର ପ୍ରାର୍ଥୀ ଚୟନ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ସେହି ଅନୁଯାୟୀ କମିଟିରେ ମଧ୍ୟ ଏପାଖ ସେପାଖ କରାଯିବାର ଆଶଙ୍କା ରହିଛି। ତେବେ ଅଭିଜ୍ଞ କର୍ପୋରେଟରଙ୍କୁ କମିଟି ମୁଖିଆ କରାଯିବା‌ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପିର ୧୦ ଜଣ କର୍ପୋରେଟର ରହିଥିବାରୁ କୌଣସି କମିଟିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବା ନେଇ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର