ଭୁବନେଶ୍ୱର : ଆଗକୁ ଆସୁଛି ବିଏମ୍ସି ନିର୍ବାଚନ। ତା’ପରେ ସାଧାରଣ ନିର୍ବାଚନ। ରାଜଧାନୀରେ ହେଉଥିବା ମତଦାନର ସିଂହଭାଗ ବସ୍ତିରେ ହେଉଥିବାରୁ ବସ୍ତିବାସିନ୍ଦାଙ୍କ ତୁଷ୍ଟୀକରଣ ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏହାର ପ୍ରତିଫଳନ ଦେଖିବାକୁ ମିଳିବ ୨୦୧୮-୧୯ ଆର୍ଥିକ ବର୍ଷ ବଜେଟ୍ରେ। ବିଏମ୍ସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ୪୨୨ କୋଟି ୧୦ ଲକ୍ଷ ଟଙ୍କାର ଚିଠା ବଜେଟ୍ରେ ବସ୍ତିର ବିକାଶକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି। ଆଜି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷମାନଙ୍କୁ ନେଇ ବସିଥିବା ପ୍ରାକ୍-ବଜେଟ୍ ବୈଠକରେ ଏହିପରି ଆଭାସ ମିଳିଛି।
୨୦୧୯ ଜାନୁଆରି ୯ରେ ବର୍ତ୍ତମାନର କାଉନ୍ସିଲ୍ର କାର୍ଯ୍ୟକାଳ ସରୁଛି। ଯଦି ସମସ୍ତ ପ୍ରକ୍ରିୟା ସ୍ୱାଭାବିକ ଚାଲେ, ତେବେ ୨୦୧୮-୧୯ ଆର୍ଥିକ ବର୍ଷରେ ହିଁ ବିଏମ୍ସି ନିର୍ବାଚନ ଅନୁଷ୍ଠିତ ହେବ। ପୁଣି ତାହାର ଦୁଇ ମାସ ପରେ ସାଧାରଣ ନିର୍ବାଚନ। ଭୁବନେଶ୍ୱର ପୌରସଂସ୍ଥା ମହାନଗର ନିଗମ ମାନ୍ୟତା ପାଇଲା ପରେ ଏ ଯାଏଁ ତିନିଟି ନିର୍ବାଚନ ସାମ୍ନା କରିଛି। ପ୍ରଥମ ଥର ନିର୍ବାଚନ ପରେ ବିଜେପି ସହ ମେଣ୍ଟ କରି ବିଏମ୍ସି ଦଖଲ କରିଥିଲା ବିଜେଡି। ପରବର୍ତ୍ତୀ ଦୁଇଟି ନିର୍ବାଚନରେ ବିଜେଡି ନିରଙ୍କୁଶ କ୍ଷମତା ପାଇଁ ବିଏମ୍ସି କବ୍ଜା କରିଥିଲା।
ପ୍ରତି ନିର୍ବାଚନରେ ଭୋଟ୍ ରାଜନୀତିରେ ବସ୍ତିବାସିନ୍ଦା ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଦେଖାଯାଉଛି। ଅନ୍ୟ ଅଞ୍ଚଳ ଅପେକ୍ଷା ବସ୍ତିରେ ମତଦାନ ଅଧିକ ରହୁଛି। ସେଥିପାଇଁ ବସ୍ତିବାସିନ୍ଦାଙ୍କୁ ତୁଷ୍ଟିକରଣ କରିବାର କୌଣସି ସୁଯୋଗକୁ ଶାସକ ଦଳ ହାତଛଡ଼ା କରି ନାହିଁ। ୨୦୧୮-୧୯ ବଜେଟ୍ ପ୍ରସ୍ତୁତି ବେଳେ ବସ୍ତି ଅଞ୍ଚଳ ଓ ବସ୍ତିବାସିନ୍ଦାଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଉଭୟ ବିଏମ୍ସି ଓ ସିଏମ୍ସିକୁ ଦଳ ପକ୍ଷରୁ ଅଲିଖିତ ନିର୍ଦ୍ଦେଶ ଜାରି ହୋଇଛି। ସେହି ଅନୁଯାୟୀ ବିଏମ୍ସିର ବଜେଟ୍ ବି ପ୍ରସ୍ତୁତ କରାଯାଇଛି। ନିର୍ବାଚନ ଓ ବସ୍ତିବାସିନ୍ଦାଙ୍କୁ ନଜରରେ ରଖି ଯେଉଁ ଚିଠା ବଜେଟ୍ ପ୍ରସ୍ତୁତ ହୋଇଛି, ସେଥିରେ କୌଣସି ଆଖିଦୃଶିଆ ସଂଶୋଧନର ସମ୍ଭାବନା କମ୍। କାରଣ ୬୭ ଆସନ ବିଶିଷ୍ଟ ବିଏମ୍ସିରେ ମାତ୍ର ୪ ଜଣଙ୍କୁ ବାଦ୍ ଦେଲେ ଅନ୍ୟମାନେ ଶାସକ ବିଜେଡିର। ଯେହେତୁ ଦଳୀୟ ନିଷ୍ପତ୍ତି ଆଧାରରେ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି, ତେଣୁ ତାହାକୁ ବଦଳାଇବାକୁ କେହି ସାହସ ନ କରିବା ସ୍ୱାଭାବିକ। ଯାହା ହେବ, କେବଳ ଔପଚାରିକତା ଦୃଷ୍ଟିରୁ।
ଆଜି ବିଏମ୍ସି କାର୍ଯ୍ୟାଳୟରେ ସ୍ୱତନ୍ତ୍ର ପ୍ରାକ୍ ବଜେଟ୍ ବୈଠକ ବସିଥିଲା। ଏଥିରେ ନିଗମର ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଯୋଗ ଦେଇଥିଲେ। ପ୍ରସ୍ତୁତ ହୋଇଥିବା ୪୨୨ କୋଟି ୧୦ ଲକ୍ଷ ଟଙ୍କାର ଚିଠା ବଜେଟ୍ ଉପରେ ଆଲୋଚନା ହୋଇଥିଲା। ଏହି ବଜେଟ୍କୁ ବଳକା ରାଜସ୍ୱ ବଜେଟ୍ କରିବାକୁ ଯୋଜନା ହୋଇଛି ବୋଲି ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର କହିଛନ୍ତି। ସହରବାସୀଙ୍କ ସାମଗ୍ରିକ ବିକାଶ ସହ ବସ୍ତିବାସିନ୍ଦାଙ୍କ ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ଫାଇନାନ୍ସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସେକ୍ ନିଜାମୁଦ୍ଦିନ୍ କହିଛନ୍ତି। ତେବେ ବଜେଟ୍ରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି ବୋଲି କୁହାଯାଉଥିଲେ ବି ବାସ୍ତବରେ ବସ୍ତିକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ଆସନ୍ତା ୨୮ ତାରିଖ ସୁଦ୍ଧା ବିଏମ୍ସି କାଉନ୍ସିଲ୍ ବୈଠକରେ ଚିଠା ବଜେଟ୍ ଆଗତ ହେବ। ଏହି ଚିଠା ବଜେଟ୍କୁ ତର୍ଜମା କରିବା ପାଇଁ କର୍ପୋରେଟର୍ମାନଙ୍କୁ ଏକ ମାସ ସମୟ ଦିଆଯିବ। ଏକ ମାସ ମଧ୍ୟରେ କର୍ପୋରେଟରମାନେ ସେମାନଙ୍କ ଆବଶ୍ୟକ ମତାମତ ଏବଂ ସଂଶୋଧନ ପ୍ରସ୍ତାବ ଦେବେ। ଏହା ପରେ ଫେବ୍ରୁଆରି ମାସରେ ଚୂଡ଼ାନ୍ତ ବଜେଟ୍ ପାରିତ ହେବ। ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ଆକ୍ଟର ଧାରା ୧୩୭ ଅନୁସାରେ ପୌର ନିଗମଗୁଡ଼ିକ ସେମାନଙ୍କ ଯୋଜନାଗୁଡ଼ିକ ସହ ଆୟ ବ୍ୟୟର ଅଟକଳ କରି ଚିଠା ବଜେଟ୍ ପ୍ରସ୍ତୁତ କରିବେ ତଥା କର୍ପୋରେଟରମାନଙ୍କ ମତାମତ ନେଇ ଚୂଡ଼ାନ୍ତ ବଜେଟ୍ ଆଗତ କରିବେ। ଚିଠା ବଜେଟ୍ ପ୍ରସ୍ତୁତର ଏକ ମାସ ପରେ ଚୂଡ଼ାନ୍ତ ବଜେଟ୍ ଆଗତ ହେବା ନିୟମ ରହିଛି। ସୂଚନାଯୋଗ୍ୟ ଯେ ଗତ ଆର୍ଥିକ ବର୍ଷରେ ୩୯୪ କୋଟି ୫୯ ଲକ୍ଷ ଟଙ୍କାର ବଜେଟ୍ ଗୃହୀତ ହୋଇଥିଲା।