ୱାର୍ଡ ଅଫିସର୍‌ଙ୍କ ନାମରେ ଟଙ୍କା ହେରଫେର୍‌ ଅଭିଯୋଗ : ଦେଖିଲେ ଗିରଫ କରିବାକୁ ବିଏମ୍‌ସିର ଏତଲା

୫୧ନଂ ୱାର୍ଡ ଅଫିସର୍‌ ନିଲମ୍ବିତ

ଭୁବନେଶ୍ବର : ବିଏମ୍‌ସିର ୱାର୍ଡ-୫ର ପୂର୍ବତନ ୱାର୍ଡ ଅଫିସର ତଥା‌ ୱାର୍ଡ-୨୭ର ୱାର୍ଡ ଅଫିସର ମାନସ କୁମାର ପ୍ରଧାନଙ୍କ ନାମରେ ଅର୍ଥ ହେରଫେର, ସରକାରୀ କାଗଜପତ୍ର, ରେଜିଷ୍ଟର, ରସିଦ୍ ବହି ଉଦ୍ଦେଶ୍ୟମୂଳକ ଭାବେ ଦାଖଲ ନକରିବା ଅଭିଯୋଗ ବିଏମ୍‌ସି ଆଣିଛି। ଆଜି ଏନେଇ ବିଏମ୍‌ସି ପକ୍ଷରୁ ମଞ୍ଚେଶ୍ବର ଥାନରେ ବିଧିବଦ୍ଧ ଅଭିଯୋଗ କରାଯାଇଛି। ବିଏମ୍‌ସି ପକ୍ଷରୁ ଉତ୍ତର ଜୋନ୍ ଡେପୁଟି କମିସନର ପ୍ରମୋଦ ପୃଷ୍ଟି ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି। ମାନସ କୁମାର ପ୍ରଧାନଙ୍କୁ ଦେଖିବା ‌କ୍ଷଣି ଗିରଫ କରିବାକୁ ଏଫ୍‌ଆଇଆର୍‌ରେ ଲେଖା ଯାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ମାନସ କୁମାର ପ୍ରଧାନ ୱାର୍ଡ-୫ର ୱାର୍ଡ ଅଫିସର ଭାବେ କାର୍ଯ୍ୟ କରୁଥି‌େଲ। ତାଙ୍କୁ ବ୍ୟବସ୍ଥିତ ଭାବେ ୱାର୍ଡ-୫ରୁ ୱାର୍ଡ-୨୭କୁ ବଦଳି କରାଯାଇଥିଲା। ସେପ୍ଟେମ୍ବର ୪, ୨୦୧୯ରେ ବଦଳି ଆଦେଶ ସଂଖ୍ୟା ୧୮୮୬ରେ ତାଙ୍କୁ ୱାର୍ଡ-୫ରୁ ରିଲିଭ୍‌ କରିବା ସହ ତାଙ୍କ ଦାୟିତ୍ବରେ ଥିବା ସମସ୍ତ ନଥିପତ୍ର ଓ ଅଗ୍ରୀମ ଟଙ୍କା ଆଦିକୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା। ହେଲେ ବଦଳି ‌ନିର୍ଦ୍ଦେଶ ହେବାର ୬ମାସ ପରେ ବି ଶ୍ରୀ ପ୍ରଧାନ କାର୍ଯ୍ୟାଳୟକୁ ଆସୁନାହାନ୍ତି କି ବାଚିକ ଓ ଲିଖିତ ଆଦେଶକୁ ଗ୍ରହଣ କରୁନାହାନ୍ତି। ଶ୍ରୀ ପ୍ରଧାନ ନିଜେ ଆସି କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରୁନଥିବାରୁ ତାଙ୍କର ଅଣ‌ପେସାଦାର ଆଚରଣ କର୍ତ୍ତୃପକ୍ଷଙ୍କୁ ସନ୍ଦେହରେ ପକାଇଛି।

ଏପରିକି ଶ୍ରୀ ପ୍ରଧାନ ଫନି ସହାୟତା ଅଗ୍ରୀମ ଟଙ୍କା, ନୂଆ ୱାର୍ଡ କାର୍ଯ୍ୟାଳୟ ପାଇଁ ଅଗ୍ରୀମ ଟଙ୍କା ବାବଦକୁ ପ୍ରାୟ ୧ଲକ୍ଷ ୭ହଜାର ଟଙ୍କା, ଆବଶ୍ୟକୀୟ ନଥିପତ୍ର ଯଥା ‌ଦୈନନ୍ଦିନ ଆଦାୟ ରେଜିଷ୍ଟର, ଡିମାଣ୍ଡ କଲେକ୍ସନ ବାଲାନ୍ସ, ଆସେସମେଣ୍ଟ ରେଜିଷ୍ଟର, ଫାଇଲ୍‌, ୱାର୍ଡ-୫ର ରସିଦ୍ ବହି ଆଦି ଦାଖଲ କରିନାହାନ୍ତି। ସେ କୌଣସି ରେକର୍ଡ ଦେଇନଥିବାରୁ ୱାର୍ଡ ୫ରେ ରାଜସ୍ବ ଆଦାୟ ବାଧାପ୍ରାପ୍ତ ହେବା ସହ ଅନଲାଇନ୍‌ରେ ତଥ୍ୟ ଅପ୍‌ ଟୁ ଡେଟ୍‌ ହୋଇପାରୁନି ବୋଲି ଉତ୍ତର ଜୋନ୍ ଡେପୁଟି କମିସନର ପ୍ରମୋଦ ପୃଷ୍ଟି କହିଛନ୍ତି। ଶ୍ରୀ ପ୍ରଧାନଙ୍କ ଏତାଦୃଶ କାର୍ଯ୍ୟ ଜଣାପଡ଼ିବା ପରେ ବିଏମ୍‌ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବିଏମ୍‌ସିର ଉତ୍ତର ଜୋନ୍‌ ଡେପୁଟି କମିସନର ଆଜି ଏତଲା ଦେଇଛନ୍ତି।

ସେହିପରି ୱାର୍ଡ-୫୧ର ୱାର୍ଡ ଅଫିସର ଈଶ୍ବର ସ୍ବାଇଁ ଜାଣିଶୁଣି ରାଜସ୍ବ ଆଦାୟ କାର୍ଯ୍ୟରେ ଅନିୟମିତ ଆଚରଣ କରୁଥିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର