ବିଏମ୍‌ସିର ମଶା ମିସନ୍‌: ଉତ୍ପାତ ପରେ ଚେତିଲେ

ସାନ୍ଦ୍ରତା ମପା ‌େହଉନି, ବୁଲୁଛି ଟିଫା ମେସିନ୍‌

ଭୁବନେଶ୍ୱର : ମଶାଙ୍କ ଉତ୍ପାତ ପରେ ଚେତିଛି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ବାରମ୍ବାର ଅଭିଯୋଗ, ନିୟମିତ ଖବର ପ୍ରକାଶ ଓ କ୍ରମାଗତ ଭାବରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ରାଜଧାନୀରେ ମଶା ମାରିବା ପାଇଁ ଆରମ୍ଭ କରିଛି ମିସନ୍‌। ମାସେ ଭିତରେ ଯେଭଳି ୬୭ ୱାର୍ଡରେ ମଶାଧୂଆଁ ଦିଆଯିବ ସେ ନେଇ ସମୟ ସୀମା ଧାର୍ଯ୍ୟ କରିଛି। ଅତି କମ୍‌ରେ ଦୁଇଟି ୱାର୍ଡରେ ଯେଭଳି ଧୂଆଁ ଦିଆଯାଇପାରିବ ସେହି ଲକ୍ଷ୍ୟ ନେଇ ଧୂଆଁ ଦେବା ଆରମ୍ଭ ହୋଇଛି। ଧାର୍ଯ୍ୟ ସମୟ ସୀମାରେ ଏହି କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ଜାରି ରହିଥିବା ବିଏମ୍‌ସି କହିଛି।

ହେଲେ ମଶାଙ୍କ ସାନ୍ଦ୍ରତା ଅର୍ଥାତ୍‌ ଗୋଟିଏ ଘନଫୁଟ ଅଞ୍ଚଳରେ କେତେ ମଶା ଅଛନ୍ତି ତାହା ମାପ କରାଯାଉନି। କେବଳ ଅନୁମାନ କରି ମେସିନ୍‌ ଧୂଆଁ ଦେଉଛି। ଫଳରେ ଏହି ଧୂଆଁ କାମରେ ନ ଲାଗିବା ଥୟ ହୋଇଛି। ଅନ୍ୟପଟେ ଦୁଇ ସପ୍ତାହରେ ଥରେ ଡ୍ରେନ୍‌ରେ ଟେମେଫସ୍‌ ଓ ଏମ୍‌ଏଲ୍‌ ତେଲ ସ୍ପ୍ରେ’ କରାଯାଉଥିବା ବିଏମ୍‌ସି କହୁଛି। ହେଲେ ଏତେ ମଶା ଆସୁଛନ୍ତି କୁଆଡ଼ୁ? ଅର୍ଥାତ୍‌ ତେଲ ସ୍ପ୍ରେ’ ହେଉ ନାହିଁ। କେବଳ ତେଲ କିଣା ଯାଉଥିବା ଦର୍ଶାଇ ଏହା ବାବଦରେ ମଞ୍ଜୁର ଅର୍ଥ ଲୁଟି ନିଆଯାଉଥିବା ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପଟେ ଗ୍ରାମାଞ୍ଚଳରେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ସରକାର ନାନା ଯୋଜନା କରିଛନ୍ତି। ଔଷଧ ଲଗା ମଶାରୀ ମାଗଣା‌ରେ ବାଣ୍ଟିବା ଠାରୁ ଆରମ୍ଭ କରି ମଶା ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଔଷଧ ମଧ୍ୟ ମାଗଣାରେ ବାଣ୍ଟୁଛନ୍ତି। ହେଲେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବିଏମ୍‌ସିର କୌଣସି ବ୍ୟବସ୍ଥା ନାହିଁ। ଅଭିଯୋଗ ହେବା ପରେ କିମ୍ବା ରୋଗ ବ୍ୟାପିବା ପରେ ବିଏମ୍‌ସି ନିଦ ଭାଙ୍ଗୁଛି।

rappler.com

ନିକଟ ଅତୀତରେ ରାଜଧାନୀରେ ଡେଙ୍ଗୁ ଉଗ୍ରରୂପ ନେଇଥିଲା। ଦିନକୁ ୫୦ରୁ ୭୦ ଆକ୍ରାନ୍ତ ହେଉଥିଲେ। ମଶା ମରା ଯାଉନଥିବାରୁ ରାଜଧାନୀରେ ବିଚିତ୍ର ଅବସ୍ଥା ସୃଷ୍ଟି ହୋଇଥିଲା। ଏହା ପରେ ବିଏମ୍‌ସି ଚେତିଥିଲା। ସ୍ବତନ୍ତ୍ର ଦଳ ଗଠନ କରି ମଶାଙ୍କ ଉତ୍ପତ୍ତିସ୍ଥଳ ନଷ୍ଟ କରିବା ସହ ପାଣି ଜମୁଥିବା ସ୍ଥାନରୁ ପାଣି ନଷ୍ଟ କରିବା ପରେ ଡେଙ୍ଗୁ ନିୟନ୍ତ୍ରଣକୁ ଆସିଥିଲା। ଏବେ ପୁଣି ଥରେ ବିଏମ୍‌ସି ମଶା ନଷ୍ଟ କରିବା ପାଇଁ ଅଣ୍ଟା ଭିଡ଼ିଛି। ବିଏମ୍‌ସିର ୪ଟି ବଡ଼ ଥର୍ମାଲ ଟିଫା ମେସିନ୍‌ ରହିଥିବା ବେଳେ ୨ଟି ଛୋଟ ଟିଫା ମେସିନ୍‌ ରହିଛି। ଦୈନିକ ଏହି ୬ଟି ମେସିନ୍‌ ବୁଲି ଧୂଆଁ ଦେଉଛି। ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ୭ଟି ୱାର୍ଡରେ ଧୂଆଁ ଦିଆ ହୋଇଥିବା ବିଏମ୍‌ସି ଦର୍ଶାଇଛି। ଏହି କାର୍ଯ୍ୟରେ ଗାଡ଼ି ଚାଳକଙ୍କୁ ମିଶାଇ ପ୍ରାୟ ୧୫ ଜଣ କର୍ମଚାରୀ କାମରେ ଲାଗିଛନ୍ତି। କିନ୍ତୁ ସବୁ ଗଳିରେ ଏହି ଧୂଆଁ ଦିଆଯାଉନାହିଁ। କେବଳ କେତୋଟି ପ୍ରମୁଖ ରାସ୍ତାରେ ବୁଲି ଏହି ଗାଡ଼ି ଫେରି ଆସୁଛି। ଏଣେ ସାନ୍ଦ୍ରତା ମଧ୍ୟ ମାପ କରାଯାଇ ନାହିଁ। ଫଳରେ ଯେଉଁ ଅଞ୍ଚଳ‌ରେ ମଶା ଅଧିକ ତାହାକୁ ଟାର୍ଗେଟ କରାଯାଉ ନାହିଁ। ଫଳରେ ଏହି ମଶା ଧୂଆଁ ଦେବା କେବଳ ଧର୍ମକୁ ଆଖିଠାର ହୋଇଛି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ବର୍ଷା ଋତୁ ଶେଷ ଆଡ଼କୁ ମଶାଙ୍କର ବଂଶ ବୃଦ୍ଧି ହୋଇଥାଏ। ସ୍ଥିର ପାଣିରେ ହିଁ ଏମାନେ ଅଣ୍ଡା ଦେଇଥାନ୍ତି। ଅଧିକ ଖରା କିମ୍ବା ଅଧିକ ଶୀତରେ ଏମାନେ ବଞ୍ଚିପାରନ୍ତି ନାହିଁ। ବିଶେଷକରି ନଭେମ୍ବରରୁ ମଶାଙ୍କ ଉତ୍ପାତ ବଢ଼ିଥାଏ। ପ୍ରାୟ ଫେବ୍ରୁଆରି ପର୍ଯ୍ୟନ୍ତ ଏମାନେ ଉତ୍ପାତ କରିଥାନ୍ତି। ଏହାକୁ ଆଖି ଆଗରେ ରଖି ଧୂଆଁ ଓ ମଶା ତେଲ ସ୍ପ୍ରେ’ ଉପରେ ଗୁରୁତ୍ବ ଦିଆ ଯାଇଥାଏ।

ସମ୍ବନ୍ଧିତ ଖବର