କୋଭିଡ୍‌ ହସ୍ପିଟାଲ ପାଇଁ ବିଏମ୍‌ସିର ନୂଆ ବ୍ୟବସ୍ଥା: ବିନା ରେଫେରାଲ୍‌ରେ ଭର୍ତ୍ତି ମନା

୧୯୨୯ରେ ଫୋନ୍‌ କରି ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ
ହେଲ୍‌ପ-ଡେସ୍କରେ ଅଧିକ କର୍ମଚାରୀ ନିୟୋଜିତ ହେବେ
ହସ୍ପିଟାଲ ବାହାରେ ଆକ୍ରାନ୍ତ ଅପେକ୍ଷା କରିବେନି

ଭୁବନେଶ୍ବର : ରାଜଧାନୀରେ ୭ଟି ଉତ୍ସର୍ଗୀକୃତ କୋଭିଡ୍‌ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଚିକିତ୍ସା କରାଯାଉଛି। ହସ୍ପିଟାଲରେ ଶଯ୍ୟା ଖାଲି ଅଛି ବୋଲି ବିଏମ୍‌ସି କହୁଛି, ହେଲେ ଲୋକ କହୁଛନ୍ତି, ହସ୍ପିଟାଲରେ ଆମକୁ ଶଯ୍ୟା ମିଳୁନି। ବିଏମ୍‌ସିକୁ ଫୋନ୍‌ କଲେ ବି ଆମ୍ବୁଲାନ୍ସ ଆସୁନି। ଆମ୍ବୁଲାନ୍ସ ଆସିବା ବେଳକୁ ରୋଗୀ ଗୁରୁତର ହୋଇଯାଉଛନ୍ତି।

ବିଏମ୍‌ସି ନିକଟରେ ଏ ନେଇ ମାଳମାଳ ଅଭିଯୋଗ ପହଞ୍ଚିବା ପରେ ବିଏମ୍‌ସି ପକ୍ଷରୁ ଆଜି ସମସ୍ତ କୋଭିଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ଏହାପରେ ନିଷ୍ପତ୍ତି ହୋଇଛି ଯେ ବାହାର ଜିଲ୍ଲାରୁ ଆସୁଥିବା କୌଣସି ଆକ୍ରାନ୍ତଙ୍କ ପାଖରେ ହସ୍ପିଟାଲର ରେଫେରାଲ୍ ସାର୍ଟିଫିକେଟ୍ ନ ଥିଲେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯିବନି। ଯେଉଁମାନେ ବାହାର ଜିଲ୍ଲାରୁ ଆସୁଛନ୍ତି, ସେମାନେ ସରକାରୀ ବା ଘରୋଇ ହସ୍ପିଟାଲର ରେଫେରାଲ୍‌ ଆଣି ଆସନ୍ତୁ। ଭୁବନେଶ୍ବର ଭିତରର ଆକ୍ରାନ୍ତ ବିଏମ୍‌ସି ମାଧ୍ୟମରେ ହସ୍ପିଟାଲ ଯାଆନ୍ତୁ।

Odisha Diary

ବିଏମ୍‌ସିର କୋଭିଡ୍-୧୯ ନୋଡାଲ ଅଫିସର୍‌ ଶୁଭେନ୍ଦୁ ସାହୁଙ୍କ କହିବାନୁଯାୟୀ, ଆମେ ସମସ୍ତ ଆକ୍ରାନ୍ତଙ୍କୁ ଗୁଣାତ୍ମକ ସେବା ଯୋଗାଇବାକୁ ଉଦ୍ୟମ ଜାରି ରଖିଛୁ। ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଆମ ପାଖରେ ୪୦ଟି ଆମ୍ବୁଲାନ୍ସ ଅଛି। ଲୋକ ଫୋନ୍‌ କରିବା ପରେ ଆମ୍ବୁଲାନ୍ସ ପଠାଯାଉଛି। ଯଦି କାହା ପାଖରେ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେଉଛି, ସେ ୧୯୨୯ ନମ୍ବରରେ ଫୋନ୍‌ କରି ସ୍ଥିତି ସମ୍ପର୍କରେ ଜଣାନ୍ତୁ। ସେ ନିଜ ବ୍ୟବସ୍ଥାରେ ହସ୍ପିଟାଲ ଯାଇପାରିବେ ବୋଲି କୁହନ୍ତୁ। ଏହାପରେ ୧୯୨୯ କଲ୍‌ ସେଣ୍ଟରରେ ବସିଥିବା ଡାକ୍ତର ଯଦି ଆକ୍ରାନ୍ତର ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣି ହସ୍ପିଟାଲରେ ଭର୍ତ୍ତି ପାଇଁ ରେଫର୍‌ କରିବେ, ତେବେ ସେ ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆକ୍ରାନ୍ତଙ୍କର ସବିଶେଷ ତଥ୍ୟ ଦେଇ ଦେବେ। ଏହାପରେ ଆକ୍ରାନ୍ତ ନିଜ ବ୍ୟବସ୍ଥାରେ ଗଲେ ବି ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ। କିନ୍ତୁ ୧୯୨୯ ନମ୍ବରରୁ ଅନୁମତି ମିଳିବା ପରେ ହିଁ ହସ୍ପିଟାଲକୁ ନିଜ ବ୍ୟବସ୍ଥାରେ ଯିବେ। ନଚେତ୍ ସେଠାରେ ଆଡମିସନ୍ ପାଇଁ ଅନୁମତି ମିଳିବନି ବୋଲି ଶ୍ରୀ ସାହୁ କହିଛନ୍ତି।

ସେହିପରି ଏବେ ବାହାର ଜିଲ୍ଲାରୁ ଓ ବିଭିନ୍ନ ଘରୋଇ ହସ୍ପିଟାଲରୁ ଆକ୍ରାନ୍ତମାନେ ବିନା ରେଫେରାଲ୍‌ ସାର୍ଟିଫି‌କେଟ୍‌ରେ କୋଭିଡ୍‌ ହସ୍ପିଟାଲକୁ ଆସୁଛନ୍ତି। ହସ୍ପିଟାଲ ବାହାରେ ଛିଡ଼ା ହୋଇ ଆଡମିସନ୍ ପାଇଁ କହୁଛନ୍ତି। ଏହାଦ୍ବାରା ବହୁ ସମସ୍ୟା ଉପୁଜୁଛି। ତେଣୁ କୋଭିଡ୍‌ ହସ୍ପିଟାଲଗୁଡ଼ିକୁ କୁହାଯାଇଛି ଯେ ସେମାନେ ବିନା ରେଫେରାଲ୍‌ ସାର୍ଟିଫିକେଟ୍‌ରେ କାହାକୁ ବି ଭର୍ତ୍ତି କରିବେନି। ଏହାବାଦ୍ କୁହାଯାଇଛି ଯେ ଯେଉଁ ହସ୍ପିଟାଲ କର୍ତ୍ତୃପକ୍ଷ/ଡାକ୍ତର ଭୁବନେଶ୍ବରର କୋଭିଡ୍‌ ହସ୍ପିଟାଲକୁ ଆକ୍ରାନ୍ତଙ୍କୁ ରେଫର୍ କରିବେ, ସେମାନେ ତାହା ପୂର୍ବରୁ ଉକ୍ତ କୋଭିଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆ‌ଲୋଚନା କରିବେ। ଯଦି କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷ ଶଯ୍ୟା ଅଛି ବୋଲି ଜଣାଇବେ, ତେବେ ଆକ୍ରାନ୍ତଙ୍କୁ ରେଫର୍ କରିବେ ନଚେତ୍ ଅନ୍ୟ ହସ୍ପିଟାଲ ସହ ଯୋଗାଯୋଗ କରିବେ।

କୋଭିଡ ହସ୍ପିଟାଲରେ ଆକ୍ରାନ୍ତ ପହଞ୍ଚିବା ପରେ ତାଙ୍କର ସମସ୍ତ ସୂଚନା, ରେଫେରାଲ୍‌ ସାର୍ଟିଫିକେଟ୍ ଯାଞ୍ଚ କରିବେ। ଏପରିକି କୌଣସି ଆକ୍ରାନ୍ତଙ୍କୁ ଅଧିକ ସମୟ ଅପେକ୍ଷା କରାଇବେନି। ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବେ। ଆଡମିସନ୍ ସମୟରେ ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ। ତାଙ୍କୁ ଯେଉଁ ଶଯ୍ୟା ଆବଶ୍ୟକ ଥିବ, ସେଥିରେ ଭର୍ତ୍ତି କରିବେ। କୌଣସି ପରିସ୍ଥିତିରେ ବି ଆକ୍ରାନ୍ତଙ୍କୁ ହସ୍ପିଟାଲ ବାହାରେ ଅଧିକ ସମୟ ରଖିବେନି। ଏହାବାଦ୍ ସମସ୍ତ କୋଭିଡ୍‌ ହସ୍ପିଟାଲର ହେଲ୍ପ-ଡେସ୍କରେ ୨୪ଘଣ୍ଟା କର୍ମଚାରୀ ନିୟୋଜିତ ହେବେ। ସେମାନେ ପ୍ରତି ଫୋନ୍‌ କଲ୍‌ର ଉତ୍ତର ଦେବେ। କୌଣସି ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କୁ ନିରାଶ କରିବେନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି।

Odisha News Insight

ସବୁ ହସ୍ପିଟାଲର ବିଦ୍ୟୁତ୍‌ ଉପକରଣ ଯାଞ୍ଚ ହେଉଛି
କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଲେ, ଯେପରି ତାହାର ତୁରନ୍ତ ମୁକାବିଲା କରିହେବ, ସେଥିପାଇଁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ହେଲେ ହସ୍ପିଟାଲରେ ଯେପରି ସର୍ଟସର୍କିଟ୍ ଜନିତ ଦୁର୍ଘଟଣା ହେବନି, ସେଥିପାଇଁ ସବୁ କୋଭିଡ୍‌ ହସ୍ପିଟାଲରେ ବିଦ୍ୟୁତ୍‌ ଉପକରଣ ଯାଞ୍ଚ ଚାଲିଛି। ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସବୁ କୋଭିଡ୍‌ ହସ୍ପିଟାଲକୁ ଯାଇ ସବୁ ସୁଇଚ୍‌, ଫ୍ୟାନ୍, ପ୍ଲଗ୍, ଏସି, ବିଦ୍ୟୁତ୍‌ ସଂଯୋଗ ହୋଇଥିବା ସ୍ଥାନଗୁଡ଼ିକୁ ଯାଞ୍ଚ କରୁଛନ୍ତି। ଯେଉଁଠାରେ ତ୍ରୁଟି ଅଛି, ସେଗୁଡ଼ିକୁ ତୁରନ୍ତ ବଦଳାଇବାକୁ କୁହାଯାଉଛି। ହସ୍ପିଟାଲରେ କୌଣସି ପ୍ରକାରର ଅଗ୍ନିକାଣ୍ଡ ଯେପରି ନ ଘଟିବ, ସେଥିପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ନିଆଯାଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏବେ ୬ଟି କୋଭିଡ୍‌ ହସ୍ପିଟାଲର ଯାଞ୍ଚ ପ୍ରାୟ ସରିଥିବା ବେଳେ ହାଇଟେକ୍ ହସ୍ପିଟାଲ୍‌ର ଯାଞ୍ଚ ବାକି ଥିବା ଜଣାପଡ଼ିଛି।

ମୃତଦେହ ନେବାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି
କରୋନା ଆକ୍ରାନ୍ତଙ୍କର ହସ୍ପିଟାଲରେ ମୃତ୍ୟୁ ହେଲେ, ମୃତଦେହ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ୮ରୁ ୧୦ଘଣ୍ଟା ଲଗାଇ ଦେଉଛନ୍ତି। ଫଳରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ସବୁ କୋଭିଡ୍ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଯଥାସମ୍ଭବ ଶୀଘ୍ର ମୃତ ଶରୀର ବିଏମ୍‌ସିକୁ ହସ୍ତାନ୍ତର କରାଯାଉ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ।

୧୯୨୯ରେ ପରାମର୍ଶ ଦେବାକୁ ଆଉ ତିନି ଡାକ୍ତର
କୋଭିଡ ଆକ୍ରାନ୍ତ ବିଭିନ୍ନ ଡାକ୍ତରୀ ପରାମର୍ଶ ପାଇବାକୁ ୧୯୨୯ନମ୍ବରରେ ଫୋନ୍‌ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। ୨୪ ଘଣ୍ଟା ଯେତେବେଳେ ଯିଏ ବି ୧୯୨୯ ନମ୍ବରକୁ ଫୋନ୍‌ କରି ପରାମର୍ଶ ପାଇପାରିବେ। ଏଥିପାଇଁ ଆଉ ତିନିଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଏବେ ୬ଜଣ ଡାକ୍ତର କଣ୍ଟ୍ରୋଲ ରୁମ୍‌ରେ ବସୁଥିବା ବେଳେ ମଙ୍ଗଳବାରଠାରୁ ୯ଜଣ କମ୍ୟୁନିଟି ମେଡିସିନ୍ ସ୍ପେସା‌ଲିଷ୍ଟ ବିଭିନ୍ନ ସମୟରେ ପରାମର୍ଶ ଦେବେ।

ସମ୍ବନ୍ଧିତ ଖବର