ରାଜସ୍ୱ ଆଦାୟ ପାଇଁ ବିଏମ୍‌ସିର ନୂଆ ଉପାୟ : ଟାର୍ଗେଟ୍‌ ରାଜସ୍ୱ ଆଦାୟ ପରେ ଦରମା

ଫେବ୍ରୁଆରି ଓ ମାର୍ଚ୍ଚ ମାସର ଦରମା ଏପ୍ରିଲରେ
ସବୁ ସରକାରୀ ସଂସ୍ଥାଠାରୁ ହୋଲଡିଂ ଟିକସ ଆଦାୟ କରିବାକୁ ନୋଟିସ୍‌
ବିଏମ୍‌ସି ଏନ୍‌ଓସି ବାବଦକୁ ୩୦କୋଟି ମିଳିବ

ଭୁବନେଶ୍ବର : ଦେଢ଼ ମାସରେ ପ୍ରାୟ ୮୦କୋଟି ରାଜସ୍ବ ଆଦାୟ କଲେ ହିଁ ଟାର୍ଗେଟ୍‌ ପୂରଣ ହେବ। ଯାହା ବିଏମ୍‌ସି କର୍ତ୍ତୃପକ୍ଷଙ୍କର ନିଦ ହଜାଇ ଦିଆଯାଇଛି। ୱାର୍ଡ ଅଫିସର ଓ ୱାର୍ଡ ସୁପରଭାଇଜରମାନଙ୍କୁ ରାଜସ୍ବ ଆଦାୟ ନ କଲେ ଜିଲ୍ଲା ପାର୍ ବଦଳି କରିବାର ଧମକ ଦିଆଯାଇ ଥିଲେ ହେଁ ଏବେ ବିଏମ୍‌ସି ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ରତ୍ୟେକ ଦିନ ପ୍ରତ୍ୟେକ ୱାର୍ଡ ଅଫିସରଙ୍କ କାର୍ଯ୍ୟ ସମୀକ୍ଷା ହେବ। ଫେବ୍ରୁଆରି ଓ ମାର୍ଚ୍ଚ ମାସରେ କେତେ ରାଜସ୍ବ ଆଦାୟ କଲେ ତା’ର ହିସାବ ହେବ। ଯଦି ଟାର୍ଗେଟ୍ ଠାରୁ ଅଧିକ ରାଜସ୍ବ ଆଦାୟ କରିଥିବେ ତେବେ ଏପ୍ରିଲରେ ଏହି ଦୁଇ ମାସର ଦରମା ମିଳିବ। ନଚେତ୍ ଦରମା ଦିଆଯିବନି।

ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୱାର୍ଡ ଅଫିସରମାନଙ୍କ ପ୍ରତିଦିନର କାର୍ଯ୍ୟ ସମୀକ୍ଷା ହେବ। ଏଥିରେ ‌େସମାନେ ନୂଆ ନିୟମ ଅନୁଯାୟୀ କେତେ ଘରର ମୂଲ୍ୟାୟନ କଲେ, କେତେ ଘରର ପୁନଃମୂଲ୍ୟାୟନ କଲେ, କେତେ ଟଙ୍କା ଆଦାୟ କଲେ, କେତେଜଣଙ୍କର ଅନଲାଇନ୍‌ରେ ଏଣ୍ଟ୍ରି କଲେ ତାହା ଦେଖାଯିବ। ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଏହାକୁ ନିୟମିତ ଯାଞ୍ଚ କରି‌େବ। ସେହିପରି ପ୍ରତ୍ୟେକଟି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ କାର୍ଯ୍ୟାଳୟରୁ ହୋଲଡିଂ ଟିକସ ଆଦାୟ ହେବ। ଏଥର ସବୁ ବିଭାଗର କାର୍ଯ୍ୟାଳୟରୁ ବକେୟା ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସବୁ ବିଭାଗକୁ ବି ଜଣାଇ ଦିଆଯାଇଛି।

ସମସ୍ତ କଲ୍ୟାଣ ମଣ୍ଡପ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଠାରୁ ହୋଲଡିଂ ଟିକସ ଆଦାୟ ହେବ। ଯେଉଁ କଲ୍ୟାଣମଣ୍ଡପଗୁଡ଼ିକ ସର୍ବନିମ୍ନ ଭିତ୍ତିଭୂମି ଯୋଗାଇବେନି ସେମାନଙ୍କୁ ଆଗକୁ ଟ୍ରେଡ୍‌ ଲାଇସେନ୍ସ ନଦେବାକୁ ନିଷ୍ପତ୍ତି ହୋଇଛି। ଇନ୍ଦ୍ରଧନୁ ମାର୍କେଟ୍‌ରେ ବିଏମ୍‌ସିର ଥିବା ସମସ୍ତ ସମ୍ପତ୍ତିର ପୁନଃ ମୂଲ୍ୟାୟନ ହେବ। ସବୁଥିରୁ ହୋଲଡିଂ ଟିକସ ଆଦାୟ ହେବ। ଏଥିରେ ପୂର୍ବ ବକେୟା ବି ଆଦାୟ ହେବ। ସେହିପରି ଯେଉଁ ରିଅଲଇଷ୍ଟେଟ୍ ସଂସ୍ଥା ଓ ବିଲଡର୍‌ମାନେ ବିଏମ୍‌ସିରୁ ଏନ୍‌ଓସି ନନେଇ ଘର ବିକିଦେଉଥିବାରୁ ବିଏମ୍‌ସି ରାଜସ୍ବ ପାଉନି। ତେଣୁ ସମସ୍ତ ରିଅଲଇଷ୍ଟେଟ୍ ସଂସ୍ଥାଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଅକୁପାନ୍ସି ସାର୍ଟିଫିକେଟ୍‌ ନେବାକୁ କୁହାଯାଇଛି। ଏହି ଅକୁପାନ୍ସି ସାର୍ଟିଫିକେଟ୍ ପାଇବା ପରେ ହିଁ ଏନ୍ଓସି ମିଳିବ। ଆଗକୁ ସମସ୍ତ ପ୍ରକଳ୍ପ ପାଇଁ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ଥିବାବେଳେ ଏବେ ପୂର୍ବରୁ ବକେୟା ଥିବା ୩୦କୋଟି ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସିଟି ଇଞ୍ଜିନିୟର ପଦ‌କ୍ଷେପ ନେବେ।

ସମ୍ବନ୍ଧିତ ଖବର