ହାଇକୋର୍ଟଙ୍କ ଆଦେଶକୁ ମାନୁନି ବିଏମ୍‌ସି

ଭୁବନେଶ୍ୱର: ନିଜ ନିଷ୍ପତ୍ତିକୁ ନିଜେ ମାନିବାକୁ ଅପ୍ରସ୍ତୁତ। ଏପରିକି ହାଇକୋର୍ଟଙ୍କ ଆଦେଶକୁ ଖାତିର କରୁନି ବିଏମ୍‌ସି। ଲୋକଙ୍କୁ ସୁବିଧା, ସୁଯୋଗ ଯୋଗାଇବା ସଂସ୍ଥା ଏବେ ଅଡ଼ୁଆରେ ପକାଉଛି। ଅଭିଯୋଗ ଅନୁଯାୟୀ, ମେହେରପଲ୍ଲୀର ପ୍ରସ୍ତାବିତ ସନ୍ତୋଷୀ ବିହାର ପାର୍କ ପାର୍ଶ୍ୱରେ ଥିବା ପ୍ଲଟ୍‌ ନମ୍ବର ୮୨୬ (ଖାତା ନମ୍ବର ୬୪୪/୩୦୬) ଘରୋଇ ଜାଗାକୁ ସଂଯୋଗ କରୁଥିବା ରାସ୍ତାକୁ ବିଏମ୍‌ସି ପକ୍ଷରୁ ବନ୍ଦ କରିଦିଆଯାଇଛି। ଏହି ରାସ୍ତା ବନ୍ଦ ହେବା ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷ କହିଥିଲେ ଯେ ଯେଉଁ ପାର୍ଶ୍ୱରେ ରାସ୍ତା ଅଛି ତାହା ପାର୍କରେ ସାମିଲ୍‌ ହେବ, ପାର୍କର ଅପରପାର୍ଶ୍ୱରେ ଜମି ମାଲିକଙ୍କୁ ରାସ୍ତା ଦିଆଯିବ। କିନ୍ତୁ ଏବେ ଦୁଇ ପାର୍ଶ୍ୱରେ ପାଚେରି ନିର୍ମାଣ କରି ଘରୋଇ ଜାଗାକୁ ବାଟ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଜମିର ମାଲିକ ଚିନ୍ମୟ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଏଠାରେ ପାଚେରି ନିର୍ମାଣ କରୁଛନ୍ତି। କୋର୍ଟଙ୍କ ସ୍ଥଗିତାଦେଶର ନକଲ ସେ ବିଭାଗୀୟ ଅଧିକାରୀଙ୍କୁ ଦେଇଥିଲେ ହେଁ ସେମାନେ କହୁଛନ୍ତି ଯେ, ଆମକୁ ହାଇକୋର୍ଟଙ୍କ ଆଦେଶ ଡାକରେ ମିଳିନି। ତେଣୁ ଆମେ କିଛି କରିପାରିବୁନି। ଅପରପକ୍ଷେ ଚିନ୍ମୟ କହିଛନ୍ତି ଯେ ୧୪ବର୍ଷ ହେଲା ମୋ ଜାଗାକୁ ଏହି ରାସ୍ତା ଥିଲା। କିନ୍ତୁ କର୍ତ୍ତୃପକ୍ଷ ଏହାକୁ ବଦଳାଇଦେଲେ। ଏପରିକି ମୋତେ କେଉଁଠି ରାସ୍ତା ଦେବେ, ତାହା ଚିହ୍ନଟ କରି ଦେଖାଇଥିଲେ। ହେଲେ ଏବେ ରାସ୍ତା ଦେଉନାହାନ୍ତି କି କୋର୍ଟଙ୍କ ଆଦେଶ ମାନୁନାହାନ୍ତି।

ସମ୍ବନ୍ଧିତ ଖବର