ଅନାଧିକୃତ ବିଜ୍ଞାପନ ସଂସ୍ଥାକୁ ବିଏମ୍‌ସିର ଛାଟ: ୧୭ ସଂସ୍ଥାକୁ ନୋଟିସ୍‌

୭ ଦିନ ମଧ୍ୟରେ ଦେୟ ପଇଠ ନକଲେ ସାର୍ଟିଫିକେଟ୍‌ ମକଦ୍ଦମା, ଉତ୍ତର ଜୋନ୍‌ ଦ୍ୱାରା ୧୩ ଛାତରୁ ହଟିଲା ହୋର୍ଡିଂ

ଭୁବନେଶ୍ୱର: ଅନଧିକୃତ ବିଜ୍ଞାପନ ସଂସ୍ଥାକୁ ବିଏମ୍‌ସିର ଛାଟ। ସହର ମଧ୍ୟରେ ଅନାଧିକୃତ ବିଜ୍ଞାପନ କାର୍ଯ୍ୟ ପାଇଁ ୧୭ଟି ସଂସ୍ଥାକୁ ୧୩.୬ ଲକ୍ଷ ଟଙ୍କାର ଦେୟ ପଇଠ କରିବା ପାଇଁ ନୋଟିସ୍‌ ଜାରି କରାଯାଇଛି। ବିଏମ୍‌ସି ବିଜ୍ଞାପନ ନିୟମ-୨୦୦୬କୁ ଭିତ୍ତି କରି ଅନୁମତି ବିନା କାର୍ଯ୍ୟ କରିଥିବା ସଂସ୍ଥାଗୁଡ଼ିକ ହୋର୍ଡିଂ ଉଚ୍ଛେଦ ସମୟରେ ନୋଟିସ୍‌ ଦିଆଯାଇଛି। ସାତ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥା ଦେୟ ପଇଠ ନକଲେ ସାର୍ଟିଫିକେଟ୍‌ ମକଦ୍ଦମା ହେବ। ବିଏମ୍‌ସିର ଉକ୍ତ ରେଗୁଲେସନ୍‌ ଅନୁଯାୟୀ, ୧୦୦ ବର୍ଗଫୁଟ୍‌ ଆକାର ମଧ୍ୟରେ ବିଜ୍ଞାପନ ଉଚ୍ଛେଦ ପାଇଁ ପ୍ରତି ବିଜ୍ଞାପନ ବାବଦକୁ ୫ ହଜାର ଟଙ୍କା ଆଦାୟ କରାଯିବ। ଯଦି ଏହାର ଆକାର ୧୦୦ ବର୍ଗଫୁଟରୁ ଅଧିକ ହେବ ତେବେ ଉଚ୍ଛେଦ ଦେୟ ୭୦୦୦ ଟଙ୍କା ଆଦାୟ ହେବ। ନୋଟିସ୍‌ ଜାରି ହୋଇଥିବା ୧୭ଟି ସଂସ୍ଥାଗୁ୍‌ଡ଼ିକ ହେଲା ଜାଭା ଟେକ୍‌ନୋକ୍ରାଟ୍‌, ସିପ୍ରା ଏକାଡେମି, କଳିଙ୍ଗ ଏକାଡେମି, ଆରିହାନ୍ତ ଏକାଡେମି, ଆଇବିଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏବିଏସିୟୁଏସ୍‌, ଭେଟା, ଷ୍ଟୁଡିଓ-୧୧, କଗ୍‌ନିଟିଭ୍‌ ପଏଣ୍ଟ, ଏନ୍‌ଆଇସିଇଟି, ଏଣ୍ଡେଭର, ପ୍ରଜ୍ଞା, ଚାଣକ୍ୟ, ଦିଶା, କେନ୍‌ସଫ୍‌ଟ ଏବଂ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ପଲାସପଲ୍ଲୀ ରହିଛି।

ବିଏମ୍‌ସି ଡେପୁଟି କମିସନର୍‌(ରାଜସ୍ଵ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ସହରର ଆକାଶ ଶୋଭାକୁ ପ୍ରାଞ୍ଜଳ ଦେଖାଇବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଛି। ବିଶ୍ୱକପ୍‌ ହକି ଲାଗି ଚିହ୍ନଟ ହୋଇଥିବା ୪୦କିମି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବିଜ୍ଞାପନ ଦୃଷ୍ଟିରୋଧ କରି ସୌନ୍ଦର୍ଯ୍ୟ ନଷ୍ଟ କରୁଥିବାରୁ ଅଧିକୃତ ବିଜ୍ଞାପନ ହୋର୍ଡିଂଗୁଡ଼ିକ ଉଚ୍ଛେଦ କରିବାକୁ ବିଏମ୍‌ସି ବାଧ୍ୟ ହୋଇଛି। ଏଥିପାଇଁ ସମ୍ପୃକ୍ତ ସଂସ୍ଥା ଉଚ୍ଛେଦ ଦେୟ ପଇଠ କରିବାକୁ ନୋଟିସ୍‌ ଦିଆଯାଇଛି। ଯଦି ନୋଟିସ୍‌ ପାଇବାର ୭ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥାଗୁଡିକ ଦେୟ ପଇଠ ନ କରନ୍ତି, ତେବେ ବିଏମ୍‌ସି ବାଧ୍ୟ ହୋଇ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି(ଓପିଡିଆର୍‌) ଆଇନ-୧୯୬୨ର ଆଶ୍ରୟ ନେବ। ଓପିଡିଆର୍‌ ଆଇନ୍‌ର କଡ଼ା ନିୟମାବଳୀ ଅନୁଯାୟୀ ମକଦ୍ଦମା ଫଏସଲା ନହେବା ଯାଏଁ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ଏହି ମକଦ୍ଦମା ସହିତ ସଂଯୁକ୍ତ ରହିବ। ବର୍ତମାନ ସୁଦ୍ଧା ବିଏମ୍‌ସିର ବିଭିନ୍ନ ସ୍କ୍ଵାଡ୍‌ ଦ୍ୱାରା ୪୦ କିମି ଗୁରୁତ୍ୱପୂର୍ଣ୍ଣ ରାସ୍ତାଗୁଡ଼ିକର ଉଭୟ ପାର୍ଶ୍ୱ ଛାତ ଉପର ହୋର୍ଡିଂ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି। ବିଶ୍ୱକପ୍‌ ହକିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ପ୍ରଥମ କରି ବିଏମ୍‌ସି ଉତ୍ତର ଜୋନ୍‌ ଦ୍ୱାରା ୧୩ଟି ଛାତ ଉପର ହୋର୍ଡିଂ କଢ଼ା ଯାଇଥିବା ବେଳେ ଏହି କାର୍ଯ୍ୟ ବିଭିନ୍ନ ଜୋନ୍‌ଗୁଡ଼ିକରେ କରାଯିବ। ବାଣୀବିହାର, ସିଆର୍‌ପିରୁ ଡିଏଭି ପବ୍ଲିକ୍‌ ସ୍କୁଲ ପର୍ଯ୍ୟନ୍ତ ଏବେ ଚାଲୁ ରହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨୦୧୩ ଅନୁଯାୟୀ ଆଉଟ୍‌ଡୋର ବିଜ୍ଞାପନ ରାଜସ୍ଵ ଦେୟ ଦ୍ୱାରା ପରିଚାଳିତ ହେବା ଉଚିତ୍‌ ନୁହେଁ। ବରଂ ସହରର ବିକାଶ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ ଦିଗକୁ ନେଇ ପରିଚାଳିତ ହେବା ଆବଶ୍ୟକ। ଉକ୍ତ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସ୍ୱାୟତ୍ତ ସଂସ୍ଥା ଅଧୀନ ସହରାଞ୍ଚଳରେ ଯଦି କୌଣସି ବିଜ୍ଞାପନ/ହୋର୍ଡିଂ ଇତ୍ୟାଦି ଅପମାନ ସୂଚକ ହୋଇଥାଏ, ଖରାପ ଢଙ୍ଗରେ ଥାଏ, ଦୃଶ୍ୟ ଓ ଭାଷା ଇତ୍ୟାଦି ଅସଙ୍ଗତି ଥାଏ, ସ୍ଥାପତ୍ୟ ଦିଗ, ଦୃଷ୍ଟିଭଙ୍ଗୀ ଏବଂ ଟ୍ରାଫିକ୍‌ ସୁରକ୍ଷା ଦିଗରୁ ଉପଯୁକ୍ତ ନଥାଏ ସମ୍ପୃକ୍ତ ସ୍ୱାୟତ୍ତ ସଂସ୍ଥା ଏହାର ଅନୁମୋଦନ ନାକଚ କରିଦେଇ ପାରିବ।

ସମ୍ବନ୍ଧିତ ଖବର