ଭୁବନେଶ୍ୱର: ‘କେଶରୀ ଏନ୍‌କ୍ଲେଭ୍‌’ ଘର ପାଇଥିବା ଶାନ୍ତିପଲ୍ଲୀ ବସ୍ତି ବାସିନ୍ଦାଙ୍କ ମଧ୍ୟରୁ ଦୁଇ ଜଣ ହିତାଧିକାରୀଙ୍କର ଭୁବନେଶ୍ବରରେ ପ୍ଲଟ୍‌ ଓ ରେସ୍ତୋରାଁ ଥିବା ଜଣାପଡ଼ିବା ପରେ ବିଏମ୍‌ସିର ବୁଦ୍ଧି ଉଦୟ ହୋଇଛି। ପ୍ରତ୍ୟେକ ହାଉସିଂ ପ୍ରକଳ୍ପରେ କେହି ଜାଲିଆତି କରି ଘର ପାଇଛନ୍ତି କି ବୋଲି ସର୍ଭେ ଆରମ୍ଭ ହୋଇଛି। ଏହି ମର୍ମରେ କେଶରୀ ଏନ୍‌କ୍ଲେଭ୍‌ ବାସିନ୍ଦାଙ୍କୁ ପ୍ରଥମ ନୋଟିସ୍‌ ହୋଇଛି। ସେମାନଙ୍କୁ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲ୍ୟୁଏସ୍‌) ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି। ହିତାଧିକାରୀ ନୋଟିସ୍‌ ପାଇବା ପରେ ଉତ୍‌କ୍ଷୀପ୍ତ ହୋଇଛନ୍ତି। ଆଜି ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ୧୪ ଥର ଚେକ୍‌ କରି ଘର ଦେଲ, ଏବେ କାଇଁ ମନେ ପଡ଼ିଲା? ସେତେବେଳେ ଜାଣି ପାରିଲନି ନା ସରକାର ବଦଳିଲା ବୋଲି ହିତାଧିକାରୀ ବି ବଦଳେଇ ଦେବେ? ଏଭଳି ପ୍ରଶ୍ନ କରିଛନ୍ତି କେଶରୀ ଏନ୍‌କ୍ଲେଭ୍‌ର ଶତାଧିକ ଅନ୍ତେବାସୀ। ଘରୁ ଉଚ୍ଛେଦ ହେଲେ ବା ଆବଣ୍ଟନ ବାତିଲ୍‌ ହେଲେ ‌ସମୂହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି। 

Advertisment

‘ଇଡବ୍ଲ୍ୟୁଏସ୍‌ ସାର୍ଟିଫିକେଟ୍‌ ଦିଅ’
ବାରମ୍ବାର ଯାଞ୍ଚ କଲେ, ଏବେ କାଇଁ ମନେପଡ଼ିଲା?
ଶାନ୍ତିପଲ୍ଲୀରେ ଉତ୍ତେଜନା

ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କୁ ରେ’ (ରାଜୀବ ଆବାସ ଯୋଜନା)ରେ ଆବାସ ଯୋଗାଇ ଦେବା ପାଇଁ ୨୦୧୦ ମସିହାରେ ପ୍ରଥମ ସର୍ଭେ ହୋଇଥିଲା। ୨୦୧୨ ମସିହାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ୨୦୧୩ ମସିହାରେ ଆବାସ ନିର୍ମାଣ କରିବାକୁ ଘରୋଇ ସଂସ୍ଥା ସହ ବିଡିଏ ଚୁକ୍ତି କରିଥିଲା। ମୋଟ୍‌ ୧,୩୦୦ ଘର ତିଆରି ହେବାକୁ ଥିବା ବେଳେ ୨୦୨୩ ବେଳକୁ ୫୬୦ ଘର ତିଆରି ହୋଇଥିଲା। ଏହାକୁ ‘କେଶରୀ ଏନ୍‌କ୍ଲେଭ୍‌’ ନାମ ଦିଆଯାଇଥିଲା। କିନ୍ତୁ ସେହି ୧୦ ବର୍ଷ ଭିତରେ ଏହି ବସ୍ତିରେ ପରିବାର ସଂଖ୍ୟା ମଧ୍ୟ ବଢ଼ି ଯାଇଥିଲା। ବିଏମ୍‌ସି ଓ ବିଡିଏ ମିଶି ୩ ଥର ସର୍ଭେ କଲେ। ଦଫା ଦଫାରେ ଉଭୟ ସଂସ୍ଥା ହିତାଧିକାରୀମାନଙ୍କର ୬ଥର କାଗଜପତ୍ର ଯାଞ୍ଚ ହୋଇଥିଲା। ୨୦୨୩ ମସିହା ନଭେମ୍ବର ୨୧ରେ ଶାନ୍ତିପଲ୍ଲୀ ବସ୍ତିବାସିନ୍ଦାଙ୍କୁ ଏହି ‘କେଶରୀ ଏନ୍‌କ୍ଲେଭ୍‌’ରେ ଦଖଲ ଦେବା ଆରମ୍ଭ ହୋଇଥିଲା। ଦଫା ଦଫାରେ ପ୍ରାୟ ୫ଶହ ହିତାଧିକାରୀଙ୍କୁ ଘର ଦିଆଯାଇଥିଲା। 

ବିଡିଏ ଓ ବିଏମ୍‌ସି ଦୁଇଟି ସରକାରୀ ସଂସ୍ଥାର ଯାଞ୍ଚ ପରେ ବି ଏଥିରେ ଅଯୋଗ୍ୟଙ୍କୁ ଘର ମିଳିଥିଲା। ଚଳିତ ବର୍ଷ ଅଭି‌ଯୋଗ ହେବା ପରେ ବିଏମ୍‌ସି ତଦନ୍ତ କରିଥିଲା‌। ତଦନ୍ତ ବେଳେ ଦୁଇଜଣ ହିତାଧିକାରୀଙ୍କର ଭୁବନେଶ୍ବରରେ ପ୍ଲଟ୍‌ ଓ ରେସ୍ତୋରାଁ ଥିବା ପ୍ରମାଣ ମିଳିଥିଲା। ବିଏମ୍‌ସି ପ୍ରମାଣ ପାଇବା ପରେ ଉଭୟଙ୍କର ଆବଣ୍ଟନ ବାତିଲ୍‌ କରିଥିଲା। ଏହା ପରେ ପ୍ରତିଟି ହାଉସିଂ ପ୍ରକଳ୍ପର ସର୍ଭେ କରିଥିଲା। ଏଥିରେ ପ୍ରାୟ ୩ଶହ ଭଡ଼ାଟିଆ ରହିଥିବା ବିଏମ୍‌ସି ଜାଣିବାକୁ ପାଇଥିଲା। ଅର୍ତାତ୍‌ ହିତାଧିକାରୀ ଘର ନେଇ ଭନାରେ ଲଗାଇ ଦେଇଥିଲେ। ଏଭଳି ଜଣାପଡ଼ିବା ପରେ ବିଏମ୍‌ସି ଭଡ଼ା ଦେଇଥିବା ହିତାଧିକାରୀଙ୍କୁ ସେମାନଙ୍କର ଆବଣ୍ଟନ କାହିଁକି ବାତିଲ୍‌ ହେବନି ସେ ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ଏଣୁ ସମସ୍ତଙ୍କୁ ଇଡବ୍ଲ୍ୟୁଏସ୍‌ ପ୍ରମାଣପତ୍ର ଦାଖଲ କରିବାକୁ ନୋଟିସ୍‌ କରିଛି। ଏହାକୁ ନେଇ ପ୍ରବଳ ବିରୋଧ ଆରମ୍ଭ ହୋଇଛି। ଘର ଦେବା ବେଳେ କାହିଁକି ଏଭଳି ପ୍ରମାଣପତ୍ର ନିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ବିଏମ୍‌ସି କହିଛି ଯେଉଁମାନେ ଯୋଗ୍ୟ, ସେମାନଙ୍କୁ କୌଣସି ପରିସ୍ଥିତିରେ ହଟା ଯିବ ନାହିଁ। ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ କୌଣସି ପରିସ୍ଥିତିରେ ରଖା ଯିବ ନାହିଁ। ‌ସେମାନେ ଯୋଗ୍ୟ ବୋଲି ପ୍ରମାଣ ଦେବାକୁ ପଡ଼ିବ।