ଯା’ ପୁଅକୁ ସାପ କାମୁଡ଼େ… : ତିନି ଦିନ ହେଲା ଅଫିସ ସିଲ୍‌

ଭୁବନେଶ୍ବର : କଥାରେ ଅଛି, ଯା ପୁଅକୁ ସାପ କାମୁଡେ- ତା ମା’ ପାଳ ଦଉଡ଼ି ଦେ‌ଖିଲେ ଡରେ। ସେହି ନ୍ୟା‌ୟରେ ଏବେ ବିଏମ୍‌ସି ଡରି ଯାଇଛି। ବିଏମ୍‌ସି ଏତେମାତ୍ରାରେ ଡରି ଯାଇଛି ଯେ, ତା’ର ଜଣେ କର୍ମଚାରୀଙ୍କର କରୋନା ଟେଷ୍ଟ ରିପୋର୍ଟରେ ପଜିଟିଭ୍ ନ ଆସୁଣୁ ଅଫିସ ସିଲ୍‌ କରି ଦେଲାଣି। ବିଏମ୍‌ସିର ପ୍ଲାନିଂ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିମ୍ନ ରକ୍ତଚାପ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ତାଙ୍କୁ କରୋନା ହୋଇଛି ବୋଲି ଭାବି ପ୍ଲାନିଂ ବିଭାଗକୁ ତିନି ଦିନ ହେଲା ସିଲ୍‌ କରିଦେଇଛନ୍ତି। ସବୁ କର୍ମଚାରୀଙ୍କୁ ଅଫିସ ନଆସିବାକୁ କହି ଦେଇଛନ୍ତି। ଲୋକ ପ୍ଲାନ୍‌ ଆବେଦନ କରିବାକୁ ଯାଇ ଫେରୁଛନ୍ତି। କେବେ ପ୍ଲାନିଂ ବିଭାଗ ଖୋଲିବ ବୋଲି ପଚାରିଲେ ଉତ୍ତର ମିଳୁଛି କମିସନର ଯେବେ ‌କହିବେ ସେତେବେଳେ ଖୋଲିବ। ବିଏମ୍‌ସି କର୍ତ୍ତୃପକ୍ଷ ଏମିତି ଛାନିଆ ହୋଇଯାଇଛନ୍ତି ଯେ, ଏନେଇ କାହାକୁ କିଛି କହୁନାହାନ୍ତି। ନିଜର ଭୟକୁ ଲୁଚାଇବାକୁ ଯାଇ ଗଣମାଧ୍ୟମକୁ ବି ଏନେଇ ସୂଚନା ଦେଉନାହାନ୍ତି।

ରବିବାର ବିଏମ୍‌ସିର ପ୍ଲାନିଂ ବିଭାଗର ଜଣେ ଅଧିକାରୀଙ୍କର ତାଙ୍କ ବାସଭବନରେ ମୁଣ୍ଡ ବୁଲାଇବା ସହ ଦୁର୍ବଳ ଅନୁଭବ କରିଥିଲେ। ବାନ୍ତି ବି ହୋଇଥିଲା। ଗ୍ୟାସ୍‌ ହୋଇଥିବ ଭାବି ଔଷଧ ଖାଇଥିଲେ। ଏହାପରେ ବି ଦେହ ଭଲ ନଲାଗିବାରୁ ସେ ଏମ୍‌ସକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବାରୁ ଜାଣିଲେ ଯେ, ରକ୍ତଚାପ କମିଯାଇଛି। ଆବଶ୍ୟକ ଔଷଧ ଦେବା ସହ ଦୁଇଟି ସାଲାଇନ୍‌ ଦେଇଥିଲେ। ଡାକ୍ତରଙ୍କ ଚିକିତ୍ସାରେ ଅଧିକାରୀ ଜଣଙ୍କ ଘଣ୍ଟାକରେ ପୂରା ସୁସ୍ଥ ହୋଇଯାଇଥିଲେ। ଦେହ ହଠାତ୍‌ ଖରାପ ହେବାରୁ ଏବଂ ହସ୍ପିଟାଲ ଯାଇଥିବାରୁ ସେ ଏମ୍‌ସ କର୍ତ୍ତୃପକ୍ଷଙ୍କୁ କରୋନା ପରୀକ୍ଷା କରିବାକୁ କହିଥିଲେ। କିନ୍ତୁ ଡାକ୍ତର କହିଥିଲେ ଯେ, ଆପଣଙ୍କର ଲକ୍ଷଣ ନଥିବାରୁ କରୋନା ପରୀକ୍ଷା ହେବନି। ଆପଣ ପୂରା ସୁସ୍ଥ ଅଛନ୍ତି ଘରକୁ ଯାଆନ୍ତୁ। ଏହାପରେ ଅଧିକାରୀ ଜଣଙ୍କ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ ହେଲା। ଆଉ ଅଧିକାରୀ ଜଣଙ୍କ ଘରକୁ ଫେରିଲେ।

କିନ୍ତୁ ଅଧିକାରୀ ଜଣଙ୍କ ଘରକୁ ଫେରିବା ଭିତରେ ବିଏମ୍‌ସିର ବାବୁମାନଙ୍କର ରକ୍ତଚାପ ବଢ଼ି ଯାଇଥିଲା। ପ୍ଲାନିଂ ବିଭାଗର ଉକ୍ତ ଅଧିକାରୀଙ୍କର କରୋନା ହୋଇଛି ବୋଲି ଭାବି ନେଲେ। ଆଉ ରବିବାର ରାତିରେ ‌ହିଁ ବିଭାଗକୁ ସିଲ୍‌ କରିଦେଲେ। ବିଭାଗର ଅନ୍ୟ ଅଧିକାରୀମାନଙ୍କୁ ଫୋନ୍ କରି ଜଣାଇଲେ ଯେ, ଆପଣଙ୍କ ବିଭାଗ ସିଲ୍‌ ହୋଇଛି। ସୋମବାର ବିଶୋଧନ ହେବ। ଏବେ ଅଫିସ୍‌ ଆସିବେନି। ଯେଉଁଦିନ କମିସନର କହିବେ ସେଦିନ ଅଫିସ୍‌ ଆସିବେ।

ଏପଟେ ଏମ୍‌ସ ଯାଇଥିବା ଅଧିକାରୀ ଜଣଙ୍କ ଡାକ୍ତରଙ୍କ ପରାମର୍ଶକ୍ରମେ ଘରେ ବିଶ୍ରାମ ନେଇ ଅଫିସ୍‌ ନଯିବାରୁ ତାଙ୍କୁ କରୋନା ହୋଇଛି ବୋଲି କିଛି ବିଏମ୍‌ସି ଅଧିକାରୀ ପ୍ରଚାର କରିଦେଲେ। ଏହାପରଠାରୁ ସମସ୍ତେ ଛାନିଆ। ଏପରିକି ଉକ୍ତ ଅଧିକାରୀ ଜଣଙ୍କ ବିଡିଏ ଅଫିସ ଯାଇଥିବାରୁ ସେଠା‌କର ପ୍ଲାନିଂ ବିଭାଗକୁ କର୍ମଚାରୀଙ୍କ ବ୍ୟତୀତ କାହାକୁ ଛାଡ଼ିବା ଉପରେ ବି ରୋକ୍‌ ଲାଗିଗଲା। କେବଳ ଏତିକି ନୁହେଁ ନଗର ଉନ୍ନୟନ ବିଭାଗକୁ ଉକ୍ତ ଅଧିକାରୀ ଯାଉଥିବାରୁ ସେଠାରେ ବି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଗଲା।

ନମୁନା ସଂଗ୍ରହ ହେବାର ତିନିଦିନ ବିତିଯାଇଥିବାରୁ ଉକ୍ତ ଅଧିକାରୀ ଜଣଙ୍କ ତାଙ୍କର କ’ଣ ରିପୋର୍ଟ ଆସିଲା ବୋଲି ପଚାରିବାରୁ ଉତ୍ତର ମିଳିଲା ରିପୋର୍ଟ ଆସିନି। କିଛି ଅଧିକାରୀ କହିଲେ ରିପୋର୍ଟ ନେଗେଟିଭ୍‌ ଆସିଥିବ। ନହେଲେ ଆପଣଙ୍କୁ କୋଭିଡ୍‌ ହସ୍ପିଟାଲ ନେବାକୁ ଆମକୁ କୁହାଯାଇଥାନ୍ତା।

ଏଠାରେ ପ୍ରଶ୍ନ ଉଠୁଛି ବିଏମ୍‌ସି କର୍ତ୍ତୃପକ୍ଷ ଏତେ ଡରିଲେ କାହିଁକି? ଜଣେ ନିମ୍ନଚାପ ରୋଗୀକୁ କିପରି ଜଣେ କରୋନା ଆକ୍ରାନ୍ତ ବୋଲି ଚିତ୍ରିତ କଲେ। ବିଏମ୍‌ସି କର୍ତ୍ତୃପକ୍ଷ ଯଦି ଏମିତି ଛାନିଆ ହେବେ ତେବେ ଅନ୍ୟ ବିଭାଗର ଅଧିକାରୀ/କର୍ମଚାରୀ କେମିତି ହେଉଥିବେ। ଯଦି କୌଣସି କର୍ମଚାରୀଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ ହେବ ଏବଂ ରିପୋର୍ଟ ନେଗେଟିଭ୍‌ ଆସିବା ଭିତରେ ବା ରିପୋର୍ଟ ଆସିବା ପୂର୍ବରୁ କ’ଣ ସେ କାମ କରୁଥିବା କାର୍ଯ୍ୟାଳୟକୁ ପୂରା ସିଲ୍‌ କରିଦିଆଯିବ?

ରାଜଧାନୀରେ କରୋନା ମୁକାବିଲାରେ ସବୁଠୁ ଅଧିକ ପଦକ୍ଷେପ ନେଉଛି ବିଏମ୍‌ସି। ରାଜଧାନୀରେ ଯାହା ବି କଟକଣା ଲାଗୁଛି, ଯାହା ବି ସଚେତନତା ସୃଷ୍ଟି କରାଯାଉଛି ତାହା ବିଏମ୍‌ସି କମିସନରଙ୍କ ନିର୍ଦ୍ଦେଶରେ ହେଉଛି। କରୋନା ସମୟରେ ଲୋକ ଭୟଭୀତ ନହେବାକୁ ବିଏମ୍‌ସି କହୁଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଜଣେ ଅଧିକାରୀ ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବା ପରେ କେତେ ଛାନିଆ ହୋଇଯାଇଛନ୍ତି ତାହା ତାଙ୍କ କାର୍ଯ୍ୟକଳାପରୁ ଜଣାପଡ଼ୁଛି।

ସମ୍ବନ୍ଧିତ ଖବର