ଭୁବନେଶ୍ୱର: ସତ୍ୟନଗରରେ ଥିବା ଆଇସିଓଏମ୍‌ସି କୋଠାରେ ଗୁରୁବାର ଉଦ୍‌ଘାଟିତ ହେବ ବିଏମ୍‌ସି ଅଫିସ୍‌। କଳ୍ପନା ଛକରୁ ଏହି ଅଫିସ୍‌ର ଏକାଧିକ ଉପବିଭାଗ ଏହି କୋଠାକୁ ସ୍ଥାନାନ୍ତରିତ ହୋଇଛି। ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବିଏମ୍‌ସି ଅଫିସକୁ ଉଦ୍‌ଘାଟନ କରିବେ। ତଳମହଲା ସହ ତୃତୀୟ ଓ ୪ର୍ଥ ମହଲାରେ ବିଏମ୍‌ସି ଅଫିସ କାମ କରିବ। ୪ର୍ଥ ମହଲାରେ ମେୟର ଓ କମିସନର ବସିବାକୁ ସ୍ଥିର କରାଯାଇଛି।

Advertisment

ଭେଇକିଲ୍‌ ସେକ୍ସନ ସହ ଇଞ୍ଜିନିୟରିଂ ଉପବିଭାଗ ପୁରୁଣା ଅଫିସ୍‌ରେ କାମ କରିବ। ପ୍ରଥମ ଓ ଦ୍ବିତୀୟ ମହଲାରେ ଆଇସିଓଏମ୍‌ସି (ଇଣ୍ଟିଲିଜେଣ୍ଟ ସିଟି ଅପରେସନ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସେଣ୍ଟର) କାମ କରୁଛି। ୫ମ ମହଲାରେ ବିଏସ୍‌ସିଏଲ୍‌ କାମ କରୁଥିବା ବେଳେ ୬ରୁ ୧୦ମ ମହଲା ପର୍ଯ୍ୟନ୍ତ ଡେଲଏଟ୍‌ ସ୍ଥାନୀୟ କାର୍ଯ୍ୟାଳୟ କାମ କରୁଛି। ପୂର୍ବରୁ ଡେଲଏଟ୍‌ ଅଫିସ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହାର ନାମକୁ ନେଇ ପୂର୍ବରୁ ବିବାଦ ହୋଇଥିଲା। ଏହି କୋଠାର ନାମ ଆଇସିଓଏମ୍‌ସି କୋଠା ରହିଥିବାରୁ ଏହାକୁ ବିଏମ୍‌ସି ନାମରେ ନାମକରଣ କରିବାକୁ ଦାବି ହୋଇଥିଲା। ଏବେ ନୂଆ କୋଠାକୁ ‘ବିଏମ୍‌ସି ଆଇସିଓଏମ୍‌ସି ଟାୱାର’ ନାମ ରଖାଯାଇଛି।