ଅଭିନେତ୍ରୀଙ୍କ ଘରେ ବିଏମ୍‌ସି ଅଧିକାରୀ ଅଟକ ମାମଲା: କିଏ କହୁଛି ସତ?

ପୁଲିସ ଛାନ୍‌ଭିନ୍ ଆରମ୍ଭ

ଭୁବନେଶ୍ବର: ବିଏମ୍‌ସି ଡେପୁଟି କମିସନର ଯୋଗେଶ୍ବର ନାୟକ ଆଲବମ୍ ଅଭିନେତ୍ରୀଙ୍କ ଘରେ ଅଟକ ରହିବା ମାମଲାକୁ ଲିଙ୍ଗରାଜ ଥାନା ପୁଲିସ ଗୁରୁତ୍ବର ସହ ନେଇଛି। ଜୋର୍‌ ଜବରଦସ୍ତ ଅଭିନେତ୍ରୀଙ୍କ ଘରେ ପଶି ଅସଦାଚରଣ କରିବାକୁ ଉଦ୍ୟମ କରିବା ଭଳି ସଂଗିନ୍ ଅଭିଯୋଗ ଆସିଛି ପ୍ରଶାସନିକ ଅଧିକାରୀ ଶ୍ରୀ ନାୟକଙ୍କ ନାମରେ। ସେହିଭଳି ଅଭିନେତ୍ରୀଜଣଙ୍କ ତାଙ୍କୁ ଫସାଇ ୪ ଲକ୍ଷ ଟଙ୍କା ନେଇଥିବା ଭଳି ସଙ୍ଗିନ୍‌ ଅଭିଯୋଗ ମଧ୍ୟ କରିଛନ୍ତି ବିଏମ୍‌ସି ଡେପୁଟି କମିସନର ଶ୍ରୀ ନାୟକ। ତେଣୁ ଘଟଣା ପଛରେ କି ରହସ୍ୟ ରହିଛି ଏବଂ କିଏ ସତ କହୁଛି, ତାହା ଖୋଜି ବାହାର କରିବାକୁ ପୁଲିସ ଆଜିଠୁ ଛାନ୍‌ଭିନ୍‌ ଆରମ୍ଭ କରିଛି।

ଆଜି ଲିଙ୍ଗରାଜ ଥାନା ପୁଲିସ ଅଭିନେତ୍ରୀଙ୍କ ସାମନ୍ତରାପୁରସ୍ଥିତ ଘରକୁ ଯାଇ ପଚରାଉଚରା କରିଛି। ବିଏମ୍‌ସି ଅଧିକାରୀ ଶ୍ରୀ ନାୟକ କେତେବେଳେ ତାଙ୍କ ଘରକୁ ଆସିଥିଲେ, ସେତେବେଳେ ଘରେ କିଏ କିଏ ଥିଲେ, କେଉଁମାନେ ମିଶି ଶ୍ରୀ ନାୟକଙ୍କୁ ଅଟକ ରଖିଥିଲେ, ଏସବୁ ବାବଦରେ ପୁଲିସ ଖୋଳତାଡ୍‌ କରିଛି। ଏଥିସହିତ ଅଭିନେତ୍ରୀ ଜଣଙ୍କ ଶ୍ରୀ ନାୟକଙ୍କଠାରୁ କେତେ ଟଙ୍କା ନେଇଛନ୍ତି ଏବଂ ଟଙ୍କା ଦେଣନେଣର କି ପ୍ରକାର ପ୍ରମାଣ ରହିଛି, ସେସବୁର କାଗଜପତ୍ର ଯାଞ୍ଚ କରିଛି ପୁଲିସ। ପୂର୍ବରୁ ଶ୍ରୀ ନାୟକ ଅଭିନେତ୍ରୀଙ୍କୁ କି ପ୍ରକାର ନିର୍ଯାତନା ଦେଉଥିଲେ, ସେନେଇ ମଧ୍ୟ ପୁଲିସ ପଚରାଉଚରା କରିଛି। ଆଗକୁ ପୁଲିସ ବାପୁଜୀନଗରସ୍ଥିତ ଅଭିନେତ୍ରୀଙ୍କ ସେଲୁନ୍‌କୁ ଯାଇ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ପୁଲିସ ଶ୍ରୀ ନାୟକଙ୍କୁ ମଧ୍ୟ ପଚରାଉଚରା କରିଛି। ସେ ଅଭିନେତ୍ରୀଙ୍କୁ କିଭଳି କେଉଁ ପରିସ୍ଥିତିରେ ୪ ଲକ୍ଷ ଟଙ୍କା ଦେଇଛନ୍ତି, ତା’ର ପ୍ରମାଣପତ୍ର ପୁଲିସ ଶ୍ରୀ ନାୟକଙ୍କଠାରୁ ମାଗିଥିବା ଜଣାପଡ଼ିଛି। ଅଭିନେତ୍ରୀଙ୍କୁ ନେଇ ସେ କରିଥିବା ଆଲବମ୍‌ ବାବଦରେ ମଧ୍ୟ ପୁଲିସ ଏସିପି ଅନିରୁଦ୍ଧ ରାଉତରାୟ ଓ ଲିଙ୍ଗରାଜ ଥାନା ଅଧିକାରୀ ଖୋଳତାଡ୍‌ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ସକାଳେ ଅଭିନେତ୍ରୀ ଜଣକ ତାଙ୍କ ଘରେ ବିଏମ୍‌ସି ଅଧିକାରୀ ଶ୍ରୀ ନାୟକଙ୍କୁ ଅଟକ ରଖି ପୁଲିସକୁ ଜଣାଇଥିଲେ। ଟଙ୍କା ମାଗିବା ଆଳରେ ଶ୍ରୀ ନାୟକ ତାଙ୍କ ଘରକୁ ଆସି ତାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ। ସେହିଭଳି ବିଏମ୍‌ସି ଅଧିକାରୀ ଶ୍ରୀ ନାୟକ ପାଲଟା ଅଭିଯୋଗ କରିଥିଲେ ଯେ ଅଭିନେତ୍ରୀ ଅସୁବିଧା ଦର୍ଶାଇ ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇ ଫେରାଉନାହାନ୍ତି। ତେଣୁ ସେ ଟଙ୍କା ମାଗିବାକୁ ତାଙ୍କ ଘରକୁ ଆସିଥିଲେ। ମାତ୍ର ମିଛ ନାଟକ ରଚନା କରି ଅଭିନେତ୍ରୀ ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ନାୟକ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ବାପୁଜୀନଗରରେ ସେଲୁନ୍‌ କରିଥିବା ଉକ୍ତ ଯୁବତୀ ଜଣେ ଆଲବମ୍‌ ଅଭିନେତ୍ରୀ ଏବଂ ସେ ପ୍ରାୟ ୩୦ରୁ ୪୦ ଆଲବମ୍‌ରେ ନାୟିକା ହୋଇଛନ୍ତି। ତାଙ୍କ ସେଲୁନ୍‌କୁ ଯିବା ଭିତରେ ଶ୍ରୀ ନାୟକଙ୍କ ସହ ତାଙ୍କ ସମ୍ପର୍କ ବଢ଼ିଥିଲା ଏବଂ ସେମାନେ ଏକ ଆଲବମ୍ କରିବାକୁ ଯୋଜନା କରିଥିଲେ। ଏହି ଯୋଜନାରୁ ହିଁ ଟଙ୍କା ଦେଣନେଣ ଓ ବିବାଦ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର