ଭୁବନେଶ୍ବର: ବିଏମ୍‌ସି ଅଫିସ୍‌ରେ ଗୁଣ୍ଡାରାଜକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଏମ୍‌ସି ଅଧିକାରୀ ଓ କର୍ମଚାରୀ। ଅଫିସ୍‌ରେ ପଶି ଲୋକଙ୍କ ପାଇଁ କାମ କରୁଥିବା ଜଣେ ଅଧିକାରୀଙ୍କୁ ଅମାନବୀୟ ଭାବେ ମାଡ଼ ମାରିବାକୁ ନେଇ ତାତିଛି ଟିମ୍‌ ବିଏମ୍‌ସି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏକଜୁଟ୍‌ ହୋଇ ଗୁଣ୍ଡାରାଜ ବିରୋଧରେ ପ୍ରତିବାଦ କରିଛନ୍ତି। ଆଜି ଯାଏ ପୁଲିସ ୫ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଥିଲେ ମଧ୍ୟ ଟିମ୍‌ ବିଏମ୍‌ସିର ମନ ବୁଝି ନାହିଁ। ବରଂ ଅନ୍ୟ ଆକ୍ରମଣକାରୀଙ୍କ ସମେତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ କଲମଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି କମିସନର ରାଜେଶ ପ୍ରଭାକର ପାଟିଲ୍‌ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାକୁ ମେୟର ସୁଲୋଚନା ଦାସ ଓ କର୍ପୋରେଟରମାନେ ସମର୍ଥନ କରିବା ସହ ଆମେ ସମସ୍ତେ ଶ୍ରୀ ସାହୁଙ୍କ ସହ ଅଛୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। 

Advertisment

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ
ମାଷ୍ଟରମାଇଣ୍ଡ ଗିରଫ ନହେବା ଯାଏ କଲମଛାଡ଼ ଆନ୍ଦୋଳନ

ମେୟର ଶ୍ରୀମତୀ ଦାସ କହିଛନ୍ତି, ଏଠି ଜଣଙ୍କ ଜୀବନ ଚାଲି ଯାଇଥାଆନ୍ତ। ଏଠି କେହି ସୁରକ୍ଷିତ ନୁହନ୍ତି। ତେଣୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ କାମ କରିବା ପାଇଁ ଭରସା ଆସୁନାହିଁ। ଆମେ ତ କାହାକୁ ବାଧ୍ୟ କରି ପାରିବୁନି। ବୁଝେଇ ସୁଝେଇ ଯେଉଁଟା ଅତି ଆବଶ୍ୟକ କାମ କରିବାକୁ କୁହାଯାଉଛି। ଯେମିତି ଲୋକ ଅସୁବିଧାରେ ନପଡ଼ିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଅଫିସ୍‌ କାମ କିନ୍ତୁ ବନ୍ଦ ରହିଛି। ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ ସହ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଉ। ଲୋକଙ୍କର ଆଇନ ଉପରେ ଭରସା ରହୁ। ରଥଯାତ୍ରା ପାଇଁ ପୁରୀକୁ ଛାଡ଼ି ଅନ୍ୟ ସମସ୍ତ ୨୯ଟି ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟ ବନ୍ଦ ହୋଇଛି। ତେଣୁ ସରକାର ଏଦିଗରେ ଚିନ୍ତା କରି ତୁରନ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିବାକୁ ମେୟର ଦାବି କରିଛନ୍ତି।