ମାଟିରେ ମିଶିଲା ବିଏମ୍‌ ହାଇସ୍କୁଲ ପୁରୁଣା ବିଲ୍‌ଡିଂ: ବଳି ପଡ଼ିଲା ୨୦ ପୁରୁଣା ଗଛ, ସ୍ଥାନାନ୍ତର ହେବ ଗଣେଶ ମନ୍ଦିର

ଭୁବନେଶ୍ବର: ୭୮ ବର୍ଷର ପୁରାତନ ବି.ଏମ୍‌ ହାଇସ୍କୁଲର ପୁରୁଣା ବିଲ୍‌ଡିଂ ଉପରେ ଆଜି ବୁଲ୍‌ଡୋଜର୍‌ ଚଢ଼ିଛି। ସେଠାରେ ଥିବା ସ୍କୁଲର ଲାଇବ୍ରେରି ହଲ ଓ କ୍ଲର୍କ ରୁମ୍‌କୁ ମାଟିରେ ମିଶାଇ ଦିଆଯାଇଛି। ଏଥିସହ ଛାତ୍ରମାନଙ୍କ ପାଇଁ ଥିବା ସାଇକେଲ ଷ୍ଟାଣ୍ଡ୍‌ ଓ ତୋରଣକୁ ଭାଙ୍ଗି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଲିଙ୍ଗରାଜ ମନ୍ଦିର ଚାରିପାର୍ଶ୍ବରୁ ଉଚ୍ଛେଦ ଚାଲିଥିବା ବେଳେ ଆଜି ଦକ୍ଷିଣ ପଶ୍ଚିମ କୋଣରେ ସରକାରୀ ଘର ଭଙ୍ଗା ଯାଇଛି। ଏହାସହ ବି.ଏମ୍‌ ହାଇସ୍କୁଲର ପୁରୁଣା ବିଲ୍‌ଡିଂକୁ ଭାଙ୍ଗି ଦିଆଯାଇଛି। ଏନେଇ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଭଙ୍ଗା ଯାଇଥିବା ଘର ଓ ସାଇକେଲ ଷ୍ଟାଣ୍ଡ୍‌ ପୂର୍ତ୍ତ ବିଭାଗ ପକ୍ଷରୁ କରାଯିବ ବୋଲି ଘୋଷଣା କରିଛନ୍ତି। ବିଏମ୍‌ସି ଅତିରିକ୍ତ କମିସନର ଅବନୀ ପଟ୍ଟନାୟକ କହିଛନ୍ତି, ମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ ୪୦ ଫୁଟ୍‌ର ରାସ୍ତା ଯିବ। ଉଚ୍ଛେଦ ପରେ ଏହି ରାସ୍ତା କରାଯିବ। ତେବେ ଆଗକୁ ମହା ଶିବରାତ୍ରି ଥିବାରୁ ବିଭିନ୍ନ ଘରୋଇ ଜମି ଅଧିଗ୍ରହଣ ବନ୍ଦ ରହିଛି। ଏବେ ସରକାରୀ ଜମି ଉପରେ ଥିବା ଘର ଭଙ୍ଗା ଯାଉଛି।

ବିଏମ୍‌ ହାଇସ୍କୁଲ ରାସ୍ତା ପାର୍ଶ୍ବକୁ ରହିଥିବା ବହୁ ପୁରାତନ ପୁରୁଣା ଗଣେଶ ମନ୍ଦିରକୁ ଭଙ୍ଗା ଯିବ ବୋଲି ଜଣାପଡ଼ିଛି। ଶ୍ରୀଲିଙ୍ଗରାଜ ମନ୍ଦିର ପଛପାର୍ଶ୍ବରେ ପ୍ରଶସ୍ତ ରାସ୍ତା ନିର୍ମାଣ ହେବାକୁ ଥିବାରୁ ଏହି ରାସ୍ତାରେ ଥିବା ସରକାରୀ କୋଠା ସମେତ ଏହାକୁ ବି ଭଙ୍ଗାଯିବ। ମନ୍ଦିରରେ ଥିବା ମୂର୍ତ୍ତି ବିନ୍ଦୁସାଗରରୁ ଉଦ୍ଧାର ହୋଇଥିବା ବେଳେ ପୁରାତନ ଛାତ୍ର ଏହି ମନ୍ଦିର ତିଆରି କରିଥିଲେ। ଏହାକୁ ସ୍କୁଲ ପରିସରକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। ସ୍କୁଲ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ମନ୍ଦିର କରାଯାଇ ଏହାକୁ ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ତେବେ ସ୍କୁଲ ପରିସରରେ ରାସ୍ତା କଡ଼କୁ ରହିଛି ୨୦ଟି ପୁରୁଣା ଗଛ। ପ୍ରାୟ ୩୦ରୁ ୪୦ଫୁଟ୍‌ ଉଚ୍ଚତାର ଏହି ଗଛଗୁଡ଼ିକ ରାସ୍ତା ପାଇଁ ବଳି ପଡ଼ିବ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପରିବେଶବିତ୍‌ ନୃପେଶ ନାୟକ କହିଛନ୍ତି, ଏହି ବୃକ୍ଷଗୁଡ଼ିକ ସ୍କୁଲ ପରିସରକୁ ଅତ୍ୟାଧୁନିକ ପ୍ରଣାଳୀରେ ସ୍ଥାନାନ୍ତର ହେଲେ ସମସ୍ତଙ୍କର କାମରେ ଲାଗନ୍ତା।

ସମ୍ବନ୍ଧିତ ଖବର