କୁଆଡ଼େ ଗଲା ବିଏମ୍‌ସିର ଅନ୍‌ଲାଇନ୍‌ ମାର୍କେଟିଂ ସେବା? ସ୍ମାର୍ଟ ସିଟିର ଆଉ ଏକ ବିଫଳ ଯୋଜନା ‘ଟିକ୍‌ ମି’ ଆପ୍‌

ଭୁବନେଶ୍ୱର : ଏପ୍ରିଲ ଓ ମେ’ ମାସରେ ଯେଉଁ ଅଞ୍ଚଳରେ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ ବିଏମ୍‌ସି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରୁଥିଲା। ସେଠାରେ କିପରି ଲୋକଙ୍କୁ ହାତପାହନ୍ତାରେ ସବୁ ଜିନିଷ ମିଳିବ ସେଥିପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି କରିବା ସହ କିଛି ଅଧିକାରୀଙ୍କ ମୋବାଇଲ୍‌ ନମ୍ବର ବି ଦିଆଯାଇଥିଲା। କିନ୍ତୁ ଏହା ଏବେ ଆଉ ନାହିଁ।

ଏବେ ଗଳିକନ୍ଦିରେ କରୋନା ଆକ୍ରାନ୍ତ ଖୁନ୍ଦି ହୋଇଗଲେଣି। ହଁ ସେତେବେଳେ ଦୋକାନବଜାର ବନ୍ଦ ଥିଲା। ଏବେ ଦୋକାନ ବଜାର ଖୋଲିଗଲାଣି। କିନ୍ତୁ ସେତେବେଳେ ଲୋକମାନେ କରୋନା ଆକ୍ରାନ୍ତଙ୍କୁ ଯେଉଁ ନଜରରେ ଦେଖୁଥିଲେ ଏବେ ବି ସେମିତି ନଜରରେ ଦେଖୁଛନ୍ତି। କରୋନା ଆକ୍ରାନ୍ତଙ୍କ ଘରେ ଅତ୍ୟାବଶ୍ୟକ ଓ ଦୈନନ୍ଦିନ ସାମଗ୍ରୀ ଯୋଗାଇବା ଲୋକ କାଁ ଭାଁ ମିଳୁଛନ୍ତି। କିନ୍ତୁ ବିଏମ୍‌ସିର ସେବା ବନ୍ଦ। ଏପରିକି ବିଏମ୍‌ସି ପକ୍ଷରୁ ବିଭିନ୍ନ ଘରୋଇ ସଂସ୍ଥା ସହଭାଗିତା କରି ଅଟୋ, ଠେଲାଗାଡ଼ିରେ ସାମଗ୍ରୀ ବିକ୍ରି କରାଯାଉଥିଲା। କୁଆଡ଼େ ଗଲେ ସେହିସବୁ ସଂସ୍ଥା? ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ସବୁ ବିଫଳ ପ୍ରକଳ୍ପ ସୃଷ୍ଟି କରିବାରେ ରେକର୍ଡ କରିଥିବା ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ର ବାବୁମାନେ ସେତେବେଳେ ‘ଟିକ୍‌ ମି’ ଆପ୍‌ ବାହାର କରିବେ ବୋଲି କହିଲେ। ବିଏମ୍‌ସି ସହଯୋଗରେ ଏହା ଏମିତି ଏକ ଆପ୍‌ ହୋଇଥା’ନ୍ତା ଯେଉଁଥିରେ ଲୋକଙ୍କୁ ସେମାନଙ୍କ ନିକଟସ୍ଥ ଅଞ୍ଚଳର ବିଭିନ୍ନ ଦୋକାନୀଙ୍କ ତାଲିକା ଏବଂ ସେମାନଙ୍କ ଦୋକାନରେ ଥିବା ସାମଗ୍ରୀର ତାଲିକା ମିଳିଥା’ନ୍ତା। ଏହି ଆପ୍‌ରେ ଜଣେ ଅର୍ଡର୍‌ ଦେବା ପରେ ଦୋକାନୀ ଯେତେବେଳେ ସାମଗ୍ରୀ ଡେଲିଭରି ପାଇଁ ପୂରା ପ୍ରସ୍ତୁତ କରିଦେବେ, ସେତେବେଳେ ଗ୍ରାହକଙ୍କ ମୋବାଇଲ୍‌କୁ ମେସେଜ୍ ପଳାଇବ। ଏହାଦ୍ବାରା ଗ୍ରାହକ ତୁରନ୍ତ ଆସି ଦୋକାନରୁ ସାମଗ୍ରୀ ନେଇଯିବେ। ଏହାବାଦ୍‌ ଦୋକାନୀ ମଧ୍ୟ ଲୋକଙ୍କ ଘରେ ହୋମ୍‌ ଡେଲିଭରି କରିପାରିବେ। ଯେଉଁଥିପାଇଁ କିଛି ଅର୍ଥ ନେଇଥା’ନ୍ତେ। ଏହିଭଳି ଆପ୍‌ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ପ୍ରସ୍ତୁତ କରୁଛି ବୋଲି ଜୋରସୋରରେ ପ୍ରଚାର ହେଲା। କିନ୍ତୁ ସ୍ମାର୍ଟ ସଲ୍ୟୁସନ୍‌ ଯୋଗାଇବାରେ ଫେଲ୍‌ ମାରିଥିବା ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଏଥିରେ ବି ଫେଲ୍‌ ମାରିଗଲେ। ଯଦି ବିଏମ୍‌ସି, ବିଏସ୍‌ସିଏଲ୍‌ ସହଯୋଗରେ ଆପ୍‌ ପ୍ରସ୍ତୁତ କରିପାରିଥା’ନ୍ତା, ତେବେ ଆଜି ହୁଏତ ସ୍ଥାନୀୟ ସଂକ୍ରମଣ କିଛି କମି ପାରିଥା’ନ୍ତା। କରୋନା ନିୟନ୍ତ୍ରଣରେ ଥାଆନ୍ତା। କିନ୍ତୁ ବିଏସ୍‌ସିଏଲ୍‌ର ଅପାରଗତା ପୁଣି ବିଏମ୍‌ସିକୁ ଲୋକହସା କରିଛି।

ଏବେ ବି ସମୟ ଅଛି ବିଏମ୍‌ସି ଯଦି ପ୍ରତି ୱାର୍ଡରେ କିଛି ସଉଦା ଓ ପରିବା ଦୋକାନୀଙ୍କ ମୋବାଇଲ ନମ୍ବର ଆକ୍ରାନ୍ତଙ୍କୁ ଦେଇଦେବ ଏବଂ ହୋମ୍‌ ଡେଲିଭରି କରିବାକୁ ଉତ୍ସାହିତ କରିବ ତେବେ ଲୋକ ଘରୁ ବାହାରିବେନି। ଯଦି ଦୁଗ୍ଧ କମ୍ପାନିଗୁଡ଼ିକର ୩ଟି ଗାଡ଼ି ବିଏମ୍‌ସିର ତିନିଟି ଜୋନ୍‌ର ପ୍ରତି ଗଳିକନ୍ଦିରେ ବୁଲିବେ, ତେବେ ଲୋକ ହାତପାହନ୍ତାରେ ସବୁ ପାଇପାରନ୍ତେ। ହେଲେ ବିଏମ୍‌ସି ଏହି ଉପାୟ ଆପଣାଇ ପାରୁନି।

ସମ୍ବନ୍ଧିତ ଖବର