ବିଏମ୍‌ସି ଖୋଲିଲା ସ୍ୱଚ୍ଛତା ୱେବ୍‌ସାଇଟ୍‌

ପରିମଳ ବ୍ୟବସ୍ଥା ପରିଚାଳନା ପାଇଁ

ଭୁବନେଶ୍ୱର : ନାଗରିକଙ୍କୁ ସ୍ୱଚ୍ଛ ଭୁବନେଶ୍ୱର ଅଭିଯାନରେ ସାମିଲ କରାଇବା ତଥା ପରିମଳ ଜନିତ ବିଭିନ୍ନ ବିଷୟ ନେଇ ସଚେତନ କରିବାକୁ ବିଏମ୍‌ସି ପକ୍ଷରୁ ଏକ ନୂତନ ୱେବ୍‌ସାଇଟ୍‌ ଖୋଲା ଯାଇଛି। ସ୍ୱଚ୍ଛ ଭୁବନେଶ୍ୱର-୨୦୧୮ ପ୍ରତିଯୋଗିତା ପାଇଁ ‘ସ୍ୱଚ୍ଛତା ମେ ଭାଗୀଦାରି’ ଥିମ୍‌ ବିଶିଷ୍ଟ ଏହି ୱେବ୍‌ସାଇଟ୍‌ ଖୋଲାଯାଇଛି। ଆଗାମୀ ଦିନରେ ଏହା ରାଜଧାନୀବାସୀଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଏହି େଓ୍ଵବସାଇଟରେ ମଇଳା ସଫା କରିବା ପାଇଁ ଆବଶ୍ୟକ ସେସ୍‌ପୁଲ୍‌ ଗାଡ଼ି, ବ୍ୟକ୍ତିଗତ ପାଇଖାନା ପାଇଁ ସହାୟତା ରାଶି ପ୍ରଦାନ, ଆବାସିକ କଲ୍ୟାଣ ସଂଘ, ମାର୍କେଟ ସଂଘ, ହସ୍ପିଟାଲ୍‌ ତଥା ଅନ୍ୟାନ୍ୟ ସଂଗଠନର ପଞ୍ଜୀକରଣ ପାଇଁ ଫର୍ମାଟ୍‌ ରହିଛି। ଅନଲାଇନ୍‌ରେ ସିଧା ଆବେଦନ କରିହେବ। ଏହି ୱେବ୍‌ସାଇଟ୍‌ ଏବେ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ଏଥିରେ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।

ପୂର୍ବରୁ ଆବାସିକ କଲ୍ୟାଣ ସଂଘ ଏବଂ ହସ୍‌ପିଟାଲ୍‌ଗୁଡ଼ିକୁ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଏବେ ସବୁ ତଥ୍ୟ ଏହି େଓ୍ଵବସାଇଟ୍‌ରେ ରହିବ। ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନରେ କେତେକ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଥିବାରୁ ଏବେ ଏହା ଏହି େଓ୍ଵବସାଇଟ୍‌ରେ ଉପଲବ୍ଧ ହେବ। ଏହି ୱେବ୍‌ସାଇଟ୍‌ରେ ଟଏଲେଟ୍‌ ଲୋକେଟର ତଥ୍ୟ ଏବଂ ଆବର୍ଜନା ଜମା ହେଉଥିବା ସହରର ବିଭିନ୍ନ ଅଞ୍ଚଳର ତଥ୍ୟ ପ୍ରଦାନ କରାଯାଇଛି। ଲୋକଙ୍କୁ ଅଭିଯୋଗ ପଞ୍ଜୀକରଣ କରିବା ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ଅଭିଯୋଗକାରୀ ଏହାର ଟ୍ରାକିଂ ମଧ୍ୟ କରିପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ପର୍ଯ୍ୟାୟ କ୍ରମେ ଏହି ୱେବ୍‌ସାଇଟ୍‌ରେ ଅନ୍‌ସାଇଟ୍‌ କମ୍ପୋଷ୍ଟ୍‌, ବର୍ଜ୍ୟବସ୍ତୁକୁ ଅଲଗା ଅଲଗା କରିବା ଭଳି କେତେକ ନୂଆ ପଦକ୍ଷେପ ନିୟନ୍ତ୍ରଣ କରାଯିବ। ବିଏମ୍‌ସି ପକ୍ଷରୁ ଆବର୍ଜନା ସଂଗ୍ରହ କରିବା, ଏହାର ପରିବହନ ବ୍ୟବସ୍ଥା ଏବେ ଅନ୍‌ଲାଇନ୍‌ରେ ଟ୍ରାକିଂ କରାଯାଉଛି। ଏହି ୱେବ୍‌ସାଇଟ୍‌ ଜରିଆରେ ଯେ କେହି ବି ଆବର୍ଜନା ପରିଚାଳନା ସଂକ୍ରାନ୍ତ ବିଭିନ୍ନ ତଥ୍ୟ ପାଇପାରିବେ।

 

 

ସମ୍ବନ୍ଧିତ ଖବର