ଭୁବନେଶ୍ବର,(ବିଶ୍ବଜିତ ଦାଶ): ନୂଆ ପାର୍କିଂ ନିୟମ ଲାଗୁ କରି ବିଏମ୍ସି ଏବେ ରାଜଧାନୀରେ ଗାଡ଼ି ପାର୍କିଂ ଫି’ ବଢ଼ାଇ ଦେଇଛି। ଅତିି ଚତୁରତାର ସହ ସର୍ବନିମ୍ନ ପାର୍କିଂ ଫି’ ପୂର୍ବଭଳି ସମାନ ରଖାଯାଇଛି। କିନ୍ତୁ ଅବଧି ୪ଘଣ୍ଟାରୁ ୨ଘଣ୍ଟାକୁ କମାଇ ଦିଆଯାଇଛି। ଆଉ ୨ଘଣ୍ଟା ପରେ ଘଣ୍ଟା ପିଛା ପାର୍କିଂ ଫି’ ବଢ଼ି ଚାଲିଛି। ଏମିତି ବାଗରେ ପାର୍କିଂ ଫି’ ସ୍ଥିର ହୋଇଛି ଯେ ଜଣେ ଲୋକ ଯଦି ମାର୍କେଟିଂ କରିବା ପାଇଁ ଦିନତମାମ୍ ରାଜଧାନୀରେ ବିଭିନ୍ନ ସୋ’ରୁମ୍ ବୁଲିବେ; ତେବେ ତାଙ୍କୁ ପାଖାପାଖି ୨୦୦ରୁ ୨୫୦ଟଙ୍କା କେବଳ ପାର୍କିଂ ଫି’ ବାବଦକୁ ଗଣିବାକୁ ପଡ଼ିବ।
/sambad/media/post_attachments/wp-content/uploads/2021/01/parking.jpg)
ବିଏମ୍ସିର ଏହି ପାର୍କିଂ ଜୁଲମ୍ ନେଇ ରାଜଧାନୀରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲେ ହେଁ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ନିୟମ ଅନୁଯାୟୀ ଯଦି ଦେଖାଯାଏ ତେବେ ବିଏମ୍ସି କର୍ତ୍ତୃପକ୍ଷ ୯୦% ଅଞ୍ଚଳରେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଛନ୍ତି। ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ବିଏମ୍ସି ଓ ବିଡିଏର ଅପାରଗତା ପାଇଁ ସାଧାରଣ ଲୋକ ପାର୍କିଂ ଜୁଲମ୍ର ଶିକାର ହେଉଛନ୍ତି। ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମ ଅନୁଯାୟୀ, ସମସ୍ତ ସପିଂ ମଲ୍, ସୋ’ ରୁମ୍, ବ୍ୟବସାୟିକ ପ୍ରତିଷ୍ଠାନ ମୋଟ୍ ନିର୍ମାଣର ୩୦ରୁ ୫୦% ଅଞ୍ଚଳ ପାର୍କିଂ ପାଇଁ ଛାଡ଼ିବେ। ହେଲେ ରାଜଧାନୀର ୯୫%ରୁ ଅଧିକ ସୋ’ରୁମ୍, ବ୍ୟବସାୟିକ ପ୍ରତିଷ୍ଠାନ ଏହି ନିୟମ ମାନିନାହାନ୍ତି। ପାର୍କିଂ ପାଇଁ ଇଞ୍ଚେ ଜାଗା ନ ଛାଡ଼ି ସେଠାରେ ଦୋକାନ ଖୋଲି ଦେଇଛନ୍ତି। ନିୟମ କହୁଛି, ବିଡିଏ ଓ ବିଏମ୍ସି ଏହିଭଳି ସୋ’ରୁମ୍ ଓ ବ୍ୟବସାୟିକ ପ୍ରତିଷ୍ଠାନର ବେଆଇନ ନିର୍ମାଣକୁ ଉଚ୍ଛେଦ କରିବେ। ଯଦି ଉଚ୍ଛେଦ କରିପାରିବେନି ତେବେ ଜରିମାନା ଆଦାୟ କରିବେ। କିନ୍ତୁ ଦୁଇ ସଂସ୍ଥାର ଅପାରଗତା ପାଇଁ ଏବେ ଏହିସବୁ ଦୋକାନ, ସୋ’ରୁମ୍, ମଲ୍, ବ୍ୟବସାୟିକ ପ୍ରତିଷ୍ଠାନକୁ ଆସୁଥିବା ଲୋକ ରାସ୍ତାରେ ଗାଡ଼ି ପାର୍କିଂ କରି ପାର୍କିଂ ଫି’ ଗଣୁଛନ୍ତି। ଲୋକେ ଏହି ନିୟମ ବିଷୟରେ ଜାଣି ନ ଥିବାରୁ ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି।
/sambad/media/post_attachments/wp-content/uploads/2020/12/bmc-parking-2-scaled.jpg)
ଜରିମାନା ଅର୍ଥରେ ବିଡିଏ କ’ଣ କରିପାରିବ
ଯିଏ ନିୟମ ଅନୁଯାୟୀ ପାର୍କିଂ ପାଇଁ ଜାଗା ଛାଡ଼ିନାହାନ୍ତି, ସେମାନଙ୍କଠାରୁ ଜରିମାନା ଆଣି ସେହି ଟଙ୍କାରେ ବିଏମ୍ସି ଜନପଥ କଡ଼ରେ ମଲ୍ଟି ଲେଭେଲ କାର୍ ପାର୍କିଂ କରିପାରନ୍ତା। ଯେତିକି ବର୍ଗଫୁଟର କାର୍ ପାର୍କିଂ ହେବ ତାହାକୁ ବିଭିନ୍ନ ଦୋକାନ ପାଇଁ ଆବଣ୍ଟନ କରାଗଲେ ରାସ୍ତାରେ କି ବେଆଇନ ପାର୍କିଂ ଆଉ ହୁଅନ୍ତାନି। ଏବେ ଜନପଥରେ ଶିଶୁଭବନରୁ ରାଜମହଲ ଅଞ୍ଚଳ ପାଇଁ ଗୋଟିଏ ମଲ୍ଟିଲେଭେଲ୍ କାର୍ ପାର୍କିଂ, ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଛକ, ମାଷ୍ଟରକ୍ୟାଣ୍ଟିନରୁ ଶ୍ରୀୟା ଛକ, ଶ୍ରୀୟା ଛକରୁ ମହର୍ଷି କଲେଜ ଛକ ଏବଂ ମହର୍ଷି କଲେଜ ଛକରୁ ବାଣୀବିହାର ମଧ୍ୟରେ ଗୋଟିଏ ଲେଖାଏଁ ମଲ୍ଟିଲେଭେଲ୍ କାର୍ ପାର୍କିଂ ବ୍ୟବସ୍ଥା କରିବା ଦରକାର। ଏଠାରେ ବିଭିନ୍ନ ସୋ’ରୁମ୍ ଅନୁଯାୟୀ ପାର୍କିଂ ଅଞ୍ଚଳ ଆବଣ୍ଟନ ହୋଇପାରନ୍ତା। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଜନପଥ କଡ଼ରେ ଥିବା କିଛି ସରକାରୀ କ୍ବାର୍ଟର୍ସ ଭାଙ୍ଗି ସେହି ସ୍ଥାନରେ ଏହି ସୁବିଧା ଉପଲବ୍ଧ କରାଯାଇପାରନ୍ତା। ଯେମିତି ବିଏମ୍ସି ମୁଖ୍ୟାଳୟ ପାଇଁ ୧୦ରୁ ଅଧିକ ସରକାରୀ କ୍ବାର୍ଟର୍ସ ଭଙ୍ଗାଗଲା, ସେହିପରି ଏଥିପାଇଁ ସରକାରୀ କ୍ବାର୍ଟର୍ସ ଭଙ୍ଗାଯାଇପାରନ୍ତା। ଏବେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସହିଦନଗର ଓ ଏଜିରୁ ରାଜମହଲରୁ ମଧ୍ୟରେ ଦୁଇଟି ବହୁତଳ କାର୍ ପାର୍କିଂ ବ୍ୟବସ୍ଥା ହେଉଥିବାବେଳେ ଏଥିପାଇଁ ପ୍ରାୟ ୩୦କୋଟି ଲେଖାଏଁ ଖର୍ଚ୍ଚ କରୁଛି। ବିଡିଏ ଜରିମାନା ବାବଦକୁ ପ୍ରାୟ ୫୦୦କୋଟି ଟଙ୍କା ଆଦାୟ କରିପାରିଲେ ଏହି ଟଙ୍କାରେ ଏହିଭଳି ପ୍ରାୟ ୧୬ଟି ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରିପାରନ୍ତା। ହେଲେ ଏଥିପାଇଁ ସାଧାରଣ ପ୍ରଶାସନ ଓ ବିଡିଏର ବରିଷ୍ଠ ଅଧିକାରୀମାନଙ୍କ ଇଚ୍ଛାଶକ୍ତି ଦରକାର ଏବଂ ତୁରନ୍ତ ପଦକ୍ଷେପ ନେବା ଦରକାର।
/sambad/media/post_attachments/wp-content/uploads/2019/11/parking-kesari-mall.jpg)
୫୦୦କୋଟି ଜରିମାନା ଆଦାୟ କରିପାରିବ ବିଡିଏ
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଜନପଥ, କଟକ ରୋଡ୍, ଜୟଦେବବିହାର ନନ୍ଦନକାନନ ରୋଡ୍ରୁ ଆରମ୍ଭ କରି ବାପୁଜୀନଗର, ସହିଦନଗର, ସତ୍ୟନଗର, ଇନ୍ଦ୍ରଧନୁ ମାର୍କେଟ୍, ଜାଗମରା ଆଦି ଅଞ୍ଚଳରେ ପ୍ରାୟ ୨ହଜାରରୁ ଅଧିକ ସୋ’ରୁମ୍, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ (ଛୋଟ ଦୋକାନକୁ ବାଦ୍ ଦେଇ) ବିଡିଏ ଓ ବିଏମ୍ସିର ବିଲଡିଂ ଏବଂ ପ୍ଲାନିଂ ନିୟମ ମାନି ନାହାନ୍ତି। ପ୍ଲାନ୍ ନେବାବେଳେ ଯେଉଁ ଅଞ୍ଚଳରେ ପାର୍କିଂ ଅଞ୍ଚଳ ଛାଡ଼ିବେ ବୋଲି କହିଥିଲେ, ସେଠାରେ ବେଆଇନ ଭାବେ ନିର୍ମାଣ କରିଛନ୍ତି। ଏହାକୁ ଭଡ଼ାରେ ଲଗାଇ ଦେଇଛନ୍ତି। ପାର୍କିଂ ଅଞ୍ଚଳ ନ ଥିବାରୁ ଲୋକ ରାସ୍ତାରେ ଗାଡ଼ି ପାର୍କିଂ କରୁଛନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜନପଥରେ କେବଳ ୫୦୦ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ (ଛୋଟ ଦୋକାନକୁ ବାଦ୍ ଦେଇ) ଥିବାବେଳେ କାହାର ବି ୫ହଜାର ବର୍ଗଫୁଟରୁ କମ୍ ଅଞ୍ଚଳରେ ସୋ’ରୁମ୍ ନାହିଁ। ଏପରିକି ବହୁ ସୋରୁମ୍ ୧୦ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ହୋଇଥିବାବେଳେ ପ୍ରାୟ ୨୦ଟି ସୋ’ରୁମ୍, ହୋଟେଲ, ମଲ୍ ପ୍ରାୟ ୫୦ହଜାର ବର୍ଗଫୁଟ ଉପରେ ନିର୍ମାଣ ହୋଇଛି। ଏମାନେ ମୋଟ୍ ନିର୍ମାଣର ୪୦ରୁ ୫୦% ଜାଗା ପାର୍କିଂ ପାଇଁ ଛାଡ଼ିବା କଥା। କିନ୍ତୁ କେହି ଛାଡ଼ି ନାହାନ୍ତି। ଯଦି ଜନପଥରେ ପାର୍କିଂ ଅଞ୍ଚଳ କେତେ ଛଡ଼ାଯିବା ଦରକାର ହିସାବ କରାଯାଏ, ତେବେ ଏହା ପ୍ରାୟ ୧୨ଲକ୍ଷ ୫୦ହଜାର ବର୍ଗଫୁଟ ହେବ। ସର୍ବକ୍ଷମା ଯୋଜନାର ହିସାବ ଅନୁଯାୟୀ ପାର୍କିଂ ଅଞ୍ଚଳ ଛାଡ଼ି ନଥିବା ସଂସ୍ଥା ଜରିମାନା ଦେଲେ ବର୍ଗଫୁଟ ପିଛା ହଜାରେ ଟଙ୍କା ହିସାବରେ ଦେଲେ ବିଡିଏକୁ ୧୨୫କୋଟି ଟଙ୍କା ମିଳିବ। ପୂରା ଭୁବନେଶ୍ବରରେ ଦେଖିଲେ ପ୍ରାୟ ୫୦ଲକ୍ଷ ବର୍ଗଫୁଟ ଅଞ୍ଚଳ କେବଳ ପାର୍କିଂ ପାଇଁ ଛଡ଼ାଯିବା ଦରକାର। ଏହା ହୋଇ ନ ଥିବାରୁ ବିଡିଏ ଜରିମାନା ଆଦାୟ କଲେ ପ୍ରାୟ ୫୦୦ କୋଟି ଟଙ୍କା ଜରିମାନା ପାଇବ। ଆଉ ଯଦି ବିଡିଏ ଜରିମାନା ଆଦାୟ କରିବ ତେବେ ଏହି ଟଙ୍କାରେ ପର୍ଯ୍ୟାପ୍ତ ପାର୍କିଂ ଭିତ୍ତିଭୂମି ନିର୍ମାଣ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/parking-bmc.jpg)