ଭୁବନେଶ୍ବର : ଦିଲ୍ଲୀରେ ଗୋଟିଏ କାର୍ ୬ଘଣ୍ଟା ପାଇଁ ପାର୍କିଂ କଲେ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି। କିନ୍ତୁ ଭୁବନେଶ୍ବରରେ ଯଦି ଜଣେ ଗୋଟିଏ କାର୍ ୬ଘଣ୍ଟା ପାର୍କିଂ କରିବ, ତେବେ ୯୬ଟଙ୍କା ଦେବାକୁ ପଡ଼ିବ। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ଅଜବ ନିୟମ ଆଜିଠାରୁ କଡ଼ାକଡ଼ି ଲାଗୁ କରାଯାଇଛି।
ବିଏମ୍ସିର ନିଲାମ ହୋଇଥିବା ପ୍ରାୟ ୧୦ଟି ପାର୍କିଂ ପ୍ୟାକେଜ୍ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଛି। ବିଏମ୍ସିର ନୂଆ ପାର୍କିଂ ନୀତି ଅନୁଯାୟୀ, ୪ଟି ସ୍ଲାବ୍ରେ ପାର୍କିଂ ଫି’ ଧାର୍ଯ୍ୟ ହୋଇଛି। ଶୂନ୍ରୁ ୨ଘଣ୍ଟା, ୨ରୁ ୩ଘଣ୍ଟା, ୩ରୁ ୪ଘଣ୍ଟା ଏବଂ ୪ରୁ ୫ଘଣ୍ଟା ପର୍ଯ୍ୟନ୍ତ। ୫ଘଣ୍ଟାରୁ ଅଧିକ ସମୟ ଗାଡ଼ି ପାର୍କିଂ କଲେ ଘଣ୍ଟା ପ୍ରତି ୨୦% ଅଧିକ ଫି’ ଦେବାକୁ ପଡ଼ିବ। ଅର୍ଥାତ୍ ଯେତେ ଘଣ୍ଟା ବଢ଼ିବ ସେତେ ଫି’ ବଢ଼ିବ।
ଦିଲ୍ଲୀ, କୋଲକତା ଭଳି ମେଟ୍ରୋ ସହରରେ ପାର୍କିଂ ଫି’ ବହୁତ କମ୍ ଥିବାବେଳେ ଭୁବନେଶ୍ବରରେ ଏହାର ପ୍ରାୟ ଦୁଇଗୁଣା ଅଧିକ ଆଦାୟ କରାଯାଉଛି। ଏପରିକି ମେଟ୍ରୋ ସହରଗୁଡ଼ିକରେ ଭୁବନେଶ୍ବର ତୁଳନାରେ ଅଧିକ ଗାଡ଼ି ଯାତାୟତ କରୁଥିବାବେଳେ ଅଧିକ ଲୋକ କାର୍ ଓ ବାଇକ୍ ବ୍ୟବହାର କରୁଛନ୍ତି। ମେଟ୍ରୋ ସହରରେ ପାର୍କିଂ ଫି’ ଆଦାୟ ପାଇଁ ୬ଘଣ୍ଟିଆ ସ୍ଲାବ୍ ଥିବାବେଳେ ଭୁବନେଶ୍ବରରେ ଘଣ୍ଟିକିଆ ସ୍ଲାବ୍ କରାଯାଇଛି। ଯାହାକୁ ନେଇ ଆଜି ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ରାଜଧାନୀବାସୀଙ୍କୁ ବ୍ୟବସ୍ଥିତ ପାର୍କିଂ ଯୋଗାଇବାରେ ବିଫଳ ହୋଇଥିବା ବିଏମ୍ସି କାହିଁକି ହଠାତ୍ ଏତେ ପାର୍କିଂ ଫି’ ଲଗାଇଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜସ୍ବ ଆଦାୟ ପାଇଁ ବହୁତ ଉପାୟ ଥିଲେ ବି ବିଏମ୍ସି କର୍ତ୍ତୃପକ୍ଷ ସାଧାରଣ ଲୋକ, ଛୋଟ ବ୍ୟବସାୟୀଙ୍କ ଉପରେ ଜୁଲମ୍ ଆରମ୍ଭ କରିଛନ୍ତି ବୋଲି କୁହାଯାଇଛି। ବିଏମ୍ସିର ନୂ୍ଆ ନିୟମ ଅନୁଯାୟୀ, ଜଣେ ପାନ ଦୋକାନୀ ବି ଯଦି ଘରୁ ଲୁନାରେ ଆସୁଥିବ ତେବେ ତା’କୁ ମାସକୁ ଅତିକମ୍ରେ ୫୦୦ ଟଙ୍କା କେବଳ ପାର୍କିଂ ଫି’ ବାବଦକୁ ଦେବ। ନଚେତ୍ ଦିନକୁ ୨୦ଟଙ୍କା ହିସାବରେ ଫି’ ଦେବ। ହେଲେ ଏଥିପାଇଁ ପାର୍କିଂ ପାସ୍ କରିବାକୁ ପଡ଼ିବ। ଯଦି ପାର୍କିଂ ପାସ୍ ନ କଲା ତେବେ ଦିନକୁ ପାର୍କିଂ ଫି’ ବାବଦକୁ ୫ଘଣ୍ଟା ପରେ ଘଣ୍ଟା ପିଛା ଟଙ୍କା ଗଣିବ।
ବିଏମ୍ସି କର୍ତ୍ତୃପକ୍ଷ ଅତି ଚତୁରତାର ସହ ପାର୍କିଂ ଫି’ ଲାଗୁ କରିଛନ୍ତି। ପୂର୍ବରୁ ଆଦାୟ ହେଉଥିବା ସର୍ବନିମ୍ନ ପାର୍କିଂ ଫି’ ନ ବଢ଼ାଇ ମାତ୍ର ୨ଘଣ୍ଟା ପାଇଁ ସର୍ବନିମ୍ନ ପାର୍କିଂ ଫି’ ଧାର୍ଯ୍ୟ କରିଦେଇଛନ୍ତି। ଏହାପରେ ଘଣ୍ଟା ପିଛା ଫି’ ଧାର୍ଯ୍ୟ କରିଛନ୍ତି। ରାଜଧାନୀବାସୀ ଆଜି ପର୍ଯ୍ୟନ୍ତ ଥରୁଟିଏ ପାର୍କିଂ ଫି’ ଦେଉଥିବାବେଳେ ଏବେ ଯଦି ଦୋକାନରୁ ବା ମଲ୍ରୁ ୨ଘଣ୍ଟା ପରେ ବାହାରିବେ ତେବେ ଘଣ୍ଟା ପିଛା ହିସାବରେ ଫି’ ଗଣି ଚାଲିବେ। ଯାହା ଗଣ୍ଡଗୋଳକୁ ପ୍ରୋତ୍ସାହନ କରିବ।
ବିଏମ୍ସିର ଏହି ନୂଆ ପାର୍କିଂ ଫି’ ନିୟମକୁ ଲୋକ ବିରୋଧ କଲେଣି। ଆଗକୁ ଏହା ବିସ୍ଫୋରକ ରୂପ ନେଇପାରେ।
ଏହି ନୂ୍ଆ ପାର୍କିଂ ଫି’ ବର୍ଷକ ତଳୁ ଲାଗୁ ହେଲାଣି। ବହୁ ପାର୍କିଂ ଅଞ୍ଚଳ ନିଲାମ ହୋଇନଥିବାରୁ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ ହେଉନଥିଲା। ଏବେ ଏହା କଡ଼ାକଡ଼ି ଆଦାୟ ହେବ।
ନୂଆ ପାର୍କିଂ ଫି’ନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାଧାରଣ ପରିବହନକୁ ଉତ୍ସାହିତ କରିବା ପାଇଁ ଏହି ନୂଆ ପାର୍କିଂ ଫି’ ଧାର୍ଯ୍ୟ ହୋଇଛି। ଲୋକ ଯେପରି କମ୍ ଘରୋଇ ଗାଡ଼ି ବ୍ୟବହାର କରିବେ ତାହାକୁ ନଜରରେ ରଖି ନୂଆ ପାର୍କିଂ ନୀତି ପ୍ରସ୍ତୁତ କରାଯାଇଛି। ଭୁବନେଶ୍ବରରେ ପାର୍କିଂ ଅଞ୍ଚଳ ବହୁତ କମ୍ ଅଛି। ଯେଉଁଥିପାଇଁ ଅଧିକାଂଶ ରାସ୍ତା ଜାମ୍ ହେଉଛି। ବହୁ ଲୋକ ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କରି ଦୀର୍ଘ ସମୟ ପଳାଉଛନ୍ତି, ଅଯଥା ପାର୍କିଂ ସ୍ଲଟ୍ ଜାମ୍ ହେଉଛି। ଅଧିକ ଫି’ ପଡ଼ିଲେ ଲୋକ ଅଯଥାରେ ଘରୁ ଗାଡ଼ି ବାହାର କରିବା ପୂର୍ବରୁ ଭାବିବେ। ମେଟ୍ରୋ ସହରରେ ପାର୍କିଂ ଫି’ କମ୍ ରହୁଛି କାରଣ ସେଠାରେ ଅଧିକ ପାର୍କିଂ ଅଞ୍ଚଳ ଅଛି।