୧୨ଟି ସବ୍‌ଜୋନ୍‌ରେ ଶୁଣାଣି: ବିଏମ୍‌ସିର ଜନ ସମ୍ପର୍କ ଦିବସ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ପ୍ରଥମ ଜନ ସମ୍ପର୍କ ଦିବସ ଆଜିଠାରୁ ଆରମ୍ଭ ହୋଇଛି। ରାଜଧାନୀର ୧୨ଟି ଅଞ୍ଚଳରେ ସବ୍‌ଜୋନ୍‌ସ୍ତରରେ ଏହି ଦିବସ ଆୟୋଜିତ ହୋଇଛି। ପ୍ରଥମ ଥର ଲାଗି ଏଭଳି ଶୁଣାଣି କରାଯାଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସେତେଟା ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଜାଭିଅର ସବ୍‌ଜୋନ୍‌ରେ ହୋଇଥିବା ଶୁଣାଣିରେ ମାତ୍ର ୩ଟି ଅଭିଯୋଗ ଆସିଥିବା ବେଳେ ପୁରୁଣା କଟକ ରୋଡ୍‌ରେ ୪ଟି ବିଟିସିଟିରେ ୫ଟି, ଓୟୁଏଟି ଏବଂ ଇନ୍‌ଫୋସିଟ୍‌ରେ ୯ଟି ଲେଖାଏ ଅଭିଯୋଗ ଆସିଛି। ଅଭିଯୋଗ ଶୁଣାଣି ଲାଗି ଇନ୍‌ଫୋସିଟି, ଜାଭିଅର୍‌, ବାଣୀବିହାର, କୁଆଖାଇ, ଖଣ୍ଡଗିରି, ଇସ୍କନ୍‌, ଓୟୁଏଟି, ଏୟାର୍‌ପୋର୍ଟ, ବିଟିସିଡ, ପୁରୁଣା କଟକ ରୋଡ୍‌, ଲକ୍ଷ୍ମୀସାଗର ଏବଂ ଲିଙ୍ଗରାଜ ସବ୍‌ଜୋନ୍‌ ଅଞ୍ଚଳରେ ସମସ୍ତ ୬୭ଟି ୱାର୍ଡ ପାଇଁ ହୋଇଥିଲା ଶୁଣାଣି ହୋଇଥିଲା। ଜନ ସମ୍ପର୍କ ଦିବସ ପାଇଁ ବିଏମ୍‌ସିର ୧୨ ଜଣ ଡେପୁଟି କମିସନର, ବରିଷ୍ଠ ଅଧିକାରୀ, ସାନିଟାରୀ ଇନ୍‌ସ୍ପେକ୍ଟର, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ, କମ୍ୟୁନିଟି ଅର୍ଗାନାଇଜର, ୱାର୍ଡ ଅଧିକାରୀ, ବିଦ୍ୟୁତ ଏବଂ ସିଭିଲ୍‌ ଇଂଜିନିୟର୍‌ମାନେ ଯୋଗ ଦେଇଥିଲେ।

ଅଭିଯୋଗ ଶୁଣାଣୀ ଏବଂ ଟ୍ରାକିଂ କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରାକିଂ ନମ୍ବର ପ୍ରତ୍ୟେକ ଅଭିଯୋଗ ପାଇଁ ପ୍ରଦାନ କରାଯିବ। ଲୋକଙ୍କ ଅଭିଯୋଗର ସମାଧାନ କ’ଣ ହେଲା ସେନେଇ ଏହାଦ୍ୱାରା ସହଜରେ ଟ୍ରାକ୍‌ କରାଯାଇପାରିବ। ଏଥିରେ ୱାର୍ଡ ନମ୍ବର, ତାରିଖ, ସବ୍‌ ଜୋନ୍‌ କୋଡ୍‌ ଏବଂ କ୍ରମିକ ନମ୍ବର ରହିବା ବ୍ୟବସ୍ଥା ରହିଛି। ଜନ ସଂପର୍କ ଦିବସର କାର୍ଯ୍ୟାଧାରାର ସମୀକ୍ଷା ପାଇଁ ଆସନ୍ତା ୧୮ ତାରିଖରେ ଅଫିସରସ୍ତରୀୟ ଏକ ବୈଠକ ବିଏମ୍‌ସିରେ ଅନୁଷ୍ଠିତ ହେବ। ଏଥିରେ ଅଭିଯୋଗ ସମାଧାନ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା କରାଯିବ। କେତେକ ସବ୍‌ଜୋନ୍‌ରେ ରେସିଡେଣ୍ଟ ୱେଲ୍‌ଫେୟାର୍‌ ଆସୋସିଏସନ୍‌ ସଦସ୍ୟମାନେ ମଧ୍ୟ ସାମିଲ ହୋଇ ସେମାନଙ୍କ ଅଭିଯୋଗ ଜଣାଇଥିଲେ। ବାଣୀବିହାର ସବ୍‌ଜୋନ୍‌ରେ ସର୍ବାଧିକ ୪୪ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ଜାଭିଅର୍‌ ସବ୍‌ ଜୋନ୍‌ରେ ସବୁଠାରୁ କମ୍‌ କେବଳ ୩ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ଆଜିର ଜନ ସମ୍ପର୍କ ଦିବସରେ ଷ୍ଟିଟ୍‌ ଲାଇଟ୍‌, ଡ୍ରେନେଜ୍‌ ନିର୍ମାଣ, ନୂତନ ରାସ୍ତା ନିର୍ମାଣ, ପରିମଳ ଏବଂ ଅନ୍ୟାନ୍ୟ ଅଭିଯୋଗ ସଂକ୍ରାନ୍ତରେ ଲୋକେ ଜଣାଇଥିଲେ। କେତେଜଣ ନାଗରିକ ନୂତନ ରେସନ୍‌ କାର୍ଡ ଏବଂ ଘର ପାଇଁ ଲୋନ୍‌ ପାଇବା ନେଇ ମଧ୍ୟ ଅନୁରୋଧ କରିଥିଲେ। ଜନ ସଂପର୍କ ଦିବସ ମାସର ୧ ଏବଂ ୧୬ ତାରିଖରେ ହେବାକୁ ଥିବା ବେଳେ ଆସନ୍ତା ସମ୍ପର୍କ କାର୍ଯ୍ୟକ୍ରମ ୨୦୧୮ ଜାନୁଆରି ୧ରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର