ଚନ୍ଦ୍ରଶେଖରପୁର: ବିଡିଏ ଓ ବିଏମ୍‌ସି ପକ୍ଷରୁ ବିଡିଏ କଲୋନି ନିକଟରେ ଥିବା ନୀଳମାଧବ ବସ୍ତି ଉଚ୍ଛେଦ ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ଉଚ୍ଛେଦ ବେଳେ ପ୍ରାୟ ଦୁଇ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ଉଚ୍ଛେଦକାରୀ ଦଳ ମାତ୍ର ୪ଟି ଘର ଭାଙ୍ଗିବା ପରେ ଫେରିଯାଇଥିଲେ। ବସ୍ତି ଉଚ୍ଛେଦ ହେଉଥିବା ଜଣାପଡ଼ିବା ପରେ ବସ୍ତିବାସିନ୍ଦାମାନେ ବିରୋଧ କରିବାକୁ ପ୍ରସ୍ତୁତ ହୋଇଥିଲେ। ବିଡିଏ ଓ ବିଏମ୍‌ସି ଗାଡ଼ିକୁ ବସ୍ତି ଭିତରକୁ ପ୍ର‌ଥମେ ପୂରାଇ ଦେଇ ନ ଥିଲେ। ସଂଘର ସଭାପତି ସନ୍ତୋଷ କୁମାର ସାହୁ, ସଂପାଦିକା ପାର୍ବତୀ ଦାସ, ସହ ସମ୍ପାଦକ ସୁଶାନ୍ତ ସିଂଙ୍କ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା। ଉଚ୍ଛେଦକାରୀ ଦଳ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଥିବା ଖବର ପାଇ ଚନ୍ଦ୍ରଶେଖପୁର ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ପୁଲିସ ପକ୍ଷରୁ ଶ୍ରମିକ ନେତା ରଞ୍ଜନ ମିଶ୍ରଙ୍କୁ ଥାନାକୁ ନିଆଯାଇଥିବା ଅଭିଯୋଗ କରି ବସ୍ତିବାସିନ୍ଦାମାନେ ଆନ୍ଦୋଳନକୁ ବ୍ୟପକ କରିଥିଲେ। ସେମାନେ କହିଥିଲେ ଯେ ବଳପୂର୍ବକ ବସ୍ତି ଉଚ୍ଛେଦ କରାଯାଉଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ବସ୍ତିରେ ରହୁଥିବା ସମସ୍ତ ପରିବାରଙ୍କୁ ନୀଳମାଧବ ହାଉସିଂ ପ୍ରୋଜେକ୍ଟ ହିତାଧିକାରୀ ତାଲିକାଭୁକ୍ତ କରିବା‌ ଏବଂ ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ବସ୍ତିରେ ରହୁଥିବା ପିଲାଙ୍କ ପରୀକ୍ଷା ଚାଲିଥିବାରୁ ଉଚ୍ଛେଦ କରିବାକୁ ବାରମ୍ବାର ଧମକ ଦିଆଯାଉଛି। ପିଲାଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଉଛି। ଏଥିରୁ ନିବୃତ୍ତ ରୁହନ୍ତୁ। ଯେପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କୁ ନ୍ୟାୟ ନ ମିଳିଛି ଆନ୍ଦୋଳନ ଜାରି ରହିବ ବସ୍ତି ବାସିନ୍ଦା କହିଛନ୍ତି।