ଭୁବନେଶ୍ବର : ବାତ୍ୟା ଅମ୍ଫାନ ୨୦ ତାରିଖରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ୧୮ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ। ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ଜନିତ ପ୍ରବଳ ବର୍ଷାକୁ ନଜରରେ ରଖି ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରକୁ ବାତ୍ୟା ବିପଦ ନଥିଲେ ହେଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେଣୁ ବିଏମ୍ସି ପକ୍ଷରୁ ବର୍ଷାକୁ ନଜରରେ ରଖି ଅଧିକ ପ୍ରସ୍ତୁତି କରାଯାଇଛି।
ବିଏମ୍ସି କମିସନର୍ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି। ସେଥିରେ କେମିତି ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା ଉପୁଜିବନି, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ବିଏମ୍ସି କମିସନର୍ କହିଛନ୍ତି ଯେ ରାଜଧାନୀରେ ବାତ୍ୟା ହେବାର ପୂର୍ବାନୁମାନ ନଥିବାରୁ ଆମେ ବର୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ। ଯଦି ବି ବାତ୍ୟା ହୁଏ, ଏହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ।
ବିଏମ୍ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି, ରାଜଧାନୀ ଯେପରି ଜଳବନ୍ଦୀ ନହେବ, ସେଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ବିଏମ୍ସିର ପ୍ରାୟ ୨୦ଟି ସମ୍ବେଦନଶୀଳ ଅଞ୍ଚଳ ପାଇଁ ବିଏମ୍ସି ଓ ଅଗ୍ନିଶମ ବିଭାଗର ୩୦ଟି ପାଣି ପମ୍ପ ପ୍ରସ୍ତୁତ କରି ରଖାଯାଇଛି। ବିଏମ୍ସିକୁ ୧୨ଟି ଜୋନ୍ରେ ବିଭକ୍ତ କରିବା ସହ ପ୍ରତି ଜୋନ୍ରେ ଦୁଇଟି ଟିମ୍ ମୁତୟନ କରାଯାଇଛି। ସବୁ ଜୋନ୍କୁ ପାଣି ପମ୍ପ୍ ଯୋଗାଇ ଦିଆଯାଇଛି। ଏହାସହ ଗଛ ଯଦି ଭାଙ୍ଗିବ ତାକୁ ହଟାଇବା, ଅଳିଆ ସଫା କରିବା ଏବଂ ବର୍ଷାଜଳ ନିଷ୍କାସନ ପାଇଁ ଜୋନ୍ସ୍ତରରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୦ଟି ଯାକ ମୁଖ୍ୟ ଡ୍ରେନ୍ରେ ପାଣି ଯେପରି ପ୍ରବାହ ହେବ, ଗଛ ଏବଂ ହୋର୍ଡିଂ ଆଦି ରାସ୍ତାରେ ପଡ଼ିଲେ, ତାକୁ ଉଠାଇବା ପାଇଁ ୬ଟି ଜେସିବି ପ୍ରସ୍ତୁତ ଅଛି। ଗଛ କାଟିବା ପାଇଁ ବିଏମ୍ସିର ୧୨ଟି କଟର୍ ଥିବା ବେଳେ ବଡ଼ ଗଛ କାଟିବା ପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ଏନ୍ଡିଆରଏଫ୍ ଟିମ୍ ସଜାଗ ଅଛନ୍ତି। ସମସ୍ତଙ୍କୁ ସଜାଗ ରହିବାକୁ କୁହାଯାଇଛି। ସେମାନେ ବି କଟର୍ ଦ୍ବାରା ବଡ଼ ଗଛଗୁଡ଼ିକୁ କାଟିବେ। ରାସ୍ତାରେ ଆବର୍ଜନା ପଡ଼ିଲେ, ଉଠାଇବା ପାଇଁ ତିନିଟିଯାକ ସଫେଇ ସଂସ୍ଥାଙ୍କୁ ସଜାଗ ରହିବାକୁ କୁହାଯାଇଛି।
ଏହାବାଦ୍ ପ୍ରତି ଅଞ୍ଚଳରେ ପ୍ରମୁଖ ରାସ୍ତା ଏବଂ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟର୍ସ ଯେପରି ବାତ୍ୟାରେ କମ୍ ପ୍ରଭାବିତ ହେବ, ସେଥିପାଇଁ ପୂର୍ତ୍ତ ବିଭାଗ ସଜାଗ ଥିବା କହିଛି। ସ୍ବେରେଜ୍ ଚାମ୍ବର ଯେପରି ନ ଉଛୁଳିବ ସେଥିପାଇଁ ୱାଟ୍କୋ ପ୍ରସ୍ତୁତ ଅଛି। ବିଦ୍ୟୁତ୍ ସରବରାହ ବିଛିନ୍ନ ହେଲେ ପାଣି ଯୋଗାଣ ପାଇଁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ୱାଟ୍କୋକୁ କୁହାଯାଇଛି।
ଅପରପକ୍ଷେ ବସ୍ତି ଅଞ୍ଚଳରେ ଯଦି ପାଣି ପଶେ କିମ୍ବା ଅଧିକ ପବନ ହୁଏ, ତେବେ ବସ୍ତିବାସିନ୍ଦାଙ୍କୁ ନିକଟସ୍ଥ ସରକାରୀ ସ୍କୁଲକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଆବଶ୍ୟକ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି।
ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟର୍ସରେ ଯେପରି ଅଧିକ କ୍ଷୟକ୍ଷତି ନହେବ ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ସମସ୍ତ ସରକାରୀ କୋଠାରେ ଯେପରି ବର୍ଷା ପାଣି ନ ଜମିବ, ସେଥିପାଇଁ ଛାତରୁ ଆବର୍ଜନା ସଫା କରିବା ସହ ବର୍ଷା ଜଳ ନିଷ୍କାସନ ବାଟ କରିବାକୁ କୁହାଯାଇଛି। କବାଟ, ଝରକା କାମ କରୁଛି କି ନାହିଁ, କାଚ ଝରକା ଓ କାଚ ସାମଗ୍ରୀ ଯେପରି ନଭାଙ୍ଗିବ, ଛାତ ଉପରେ ଥିବା ପ୍ଲାଷ୍ଟିକ ପାଣି ଟାଙ୍କିଗୁଡ଼ିକୁ ସୁରକ୍ଷିତ ରଖିବା, ଛାତରେ ଏବଂ ଘରେ ବାହାରେ ଥିବା ଏସିର କମ୍ପ୍ରେସରଗୁଡ଼ିକୁ ସୁରକ୍ଷିତ ରଖିବା ଏବଂ ବାତ୍ୟା ଓ ବର୍ଷା ହେଲେ ପାଣି ଯେପରି କୌଣସି ସରକାରୀ କୋଠାରେ ନପଶିବ ସେ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆଜି ଏନେଇ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (କୋଠାବାଡ଼ି) ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି।