ଭୁନବେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସହରର ପରିମଳ ବ୍ୟବସ୍ଥା ସୂଚାରୁ ରୂପେ ଓ ସୁରୁଖୁରୁରେ ପରିଚାଳନା ପାଇଁ ନିୟୋଜିତ ଠିକାସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆପାତକାଳୀନ ପରିସ୍ଥିତି ପାଇଁ ଆବଶ୍ୟକ ଲୋକବଳ ସହ ଗାଡ଼ି, ଯନ୍ତ୍ରପାତି ଆଦି ଆବଶ୍ୟକ ଉପକରଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ବିଏମ୍‌ସି ନିଜର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରିଛି। ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ବୋଲି କମିସନର୍ ଚଞ୍ଚଳ ରାଣା କହିଛନ୍ତି। 

Advertisment

ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
ଆବଶ୍ୟକ ଲୋକବଳ ସହ ଗାଡ଼ି, ଯନ୍ତ୍ରପାତି ରଖିବାକୁ ନିର୍ଦ୍ଦେଶ

ଶ୍ରୀ ରାଣା କହିଛନ୍ତି, ଡୋର୍ ଟୁ ଡୋର୍ ବର୍ଜ୍ୟ ସଂଗ୍ରହରେ ଯେପରି ବାଧା ସୃଷ୍ଟି ନହୁଏ, ସେ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରିନ୍ ଗାର୍ବେଜ ଓ ଗୃହ ଭଗ୍ନାବଶେଷ ଉଠାଇବା ପାଇଁ ଆବଶ୍ୟକ ଗାଡ଼ି ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଡ୍ରେନ୍‌ଗୁଡ଼ିକରେ ବର୍ଷା ଜଳ ନିର୍ବିଘ୍ନରେ ନିଷ୍କାସନ ପାଇଁ ପଙ୍କ କଢ଼ା ସହ ଜାମ୍ କିମ୍ବା ବନ୍ଦ ହୋଇଗଲେ, ତୁରନ୍ତ ସଫା କରିବାକୁ କୁହାଯାଇଛି। ଘାସ ଓ ଗଛ ଡାଳ କାଟିବା ପାଇଁ ଆବଶ୍ୟକ କଟର୍, ଲୋକ ଓ ଗାଡ଼ି ମଧ୍ୟ ମହଜୁଦ ରଖିବାକୁ କୁହାଯାଇଛି। ବିଦ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇଛି। ଜରୁରୀକାଳୀନ ସେବା ପାଇଁ ଲୋକେ ୧୯୨୯ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷକୁ ଯୋଗାଯୋଗ କରିପାରିବେ। କର୍ପୋରେଟର୍, ୱାର୍ଡ ଅଫିସରଙ୍କୁ ମଧ୍ୟ ଫୋନ୍‌ କରି ଜଣାଇପାରିବେ। ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବିଭାଗ ଓ ବିଏମ୍‌ସି ପମ୍ପ୍‌କୁ ପ୍ରସ୍ତୁତ ରଖାଯାଇଛି। ପରିମଳଜନିତ ଅଭିଯୋଗ ଶୁଣିବା ମାତ୍ରେ, ତୁରନ୍ତ ସମସ୍ୟାର ସମାଧାନ କରିବାକୁ କୁହାଯାଇଛି। ପରିମଳ କାର୍ଯ୍ୟରେ ନିୟୋଜିତ ସମସ୍ତ ଏଜେନ୍ସି, ସ୍ୱେଚ୍ଛାସେବୀ ସଂଗଠନ, ଅଧିକାରୀ ଓ କର୍ମଚାରୀ ସତର୍କ ନଜର ରଖିବା ସହ ତତକ୍ଷଣାତ୍ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ସମୟରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ବିଏମ୍‌ସି ପ୍ରସ୍ତୁତ ରହିଛି ବୋଲି ଶ୍ରୀ ରାଣା କହିଛନ୍ତି।