ଭୁବନେଶ୍ବର: ବିଏମ୍ସି ପ୍ରଥମ କରି ଉତ୍କଳ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛି। ଓଡ଼ିଶାବାସୀଙ୍କ ପାଇଁ ଏହି ଦିବସଟି ସ୍ବତନ୍ତ୍ର ଦିବସ ହୋଇଥିବାରୁ ବିଏମ୍ସି ୯ଟି ପ୍ରକଳ୍ପ ରାଜଧାନୀବାସୀଙ୍କୁ ଭେଟି ଦେଇଛି। ଏଥିରେ ୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (କମ୍ପୋଷ୍ଟ ପ୍ଲାଣ୍ଟ) ଥିବାବେଳେ ଗୋଟିଏ ହୁଇଲ୍ ଅଫ୍ କାଇଣ୍ଡନେସ୍ ପ୍ରକଳ୍ପ ରହିଛି।
ଆଜି ସକାଳୁ ବିଏମ୍ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଘାଟନୀ ପର୍ବ ଆରମ୍ଭ ହୋଇଥିଲା। କେବଳ ସ୍ବାୟତ୍ତ ଶାସନ ଦିବସରେ ବଡ଼ ଆଡ଼ମ୍ବରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରୁଥିବା ବିଏମ୍ସି ଆଜି ସମାନ ଢାଞ୍ଚାରେ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲା। ପୋଖରୀପୁଟରେ ୱାର୍ଡ ୬୨ ଓ ୬୩ପାଇଁ ନିର୍ମାଣ ହୋଇଥିବା ଏମ୍ସିସି, ୱାର୍ଡ ୪୬ ଓ ୫୨ ପାଇଁ ନିର୍ମାଣ ହୋଇଥିବା ଏମ୍ସିସି, ମହିଷାଖାଲରେ ୱାର୍ଡ ୫୬ ଓ ୫୭ ପାଇଁ ନିର୍ମାଣ ହୋଇଥିବା ଏମ୍ସିସି, ବଡ଼ଗଡ଼ ଶ୍ମଶାନରେ ୱାର୍ଡ ୪୪ ଓ ୱାର୍ଡ ୪୮ ପାଇଁ ନିର୍ମାଣ ହୋଇଥିବା ଦୁଇଟି ଏମ୍ସିସିକୁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ତଥା ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଅଂଶୁମାନ ରଥ ଓ ରବିନାରାୟଣ ଜେଠୀ, ପୂର୍ବତନ କର୍ପୋରେଟରମାନେ ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ବିଏମ୍ସିର ନୂଆ ସଫେଇ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିଏମ୍ସିର ୨୪ଟି ସଫେଇ ଗାଡ଼ି ତିନିଟି ଜୋନ୍ରେ ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ଭାବେ ଗ୍ରହଣ କରିବ।
ସେହିପରି ନୀଳାଦ୍ରିବିହାରରେ ୱାର୍ଡ ୮ ଓ ୧୩ ପାଇଁ ନିର୍ମାଣ ହୋଇଥିବା ଏମ୍ସିସି, କାନନବିହାରରେ ୱାର୍ଡ-୩ ପାଇଁ ନିର୍ମାଣ ହୋଇଥିବା ଏମ୍ସିସି, ଭରତପୁରରେ ୱାର୍ଡ ୨୨ ଓ ୨୪ ପାଇଁ ନିର୍ମାଣ ହୋଇଥିବା ଏମ୍ସିସିକୁ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉଦ୍ଘାଟନ କରିଥିଲେ। ଏଥିରେ ସ୍ଥାନୀୟ ଜେଡ୍ଡିସି ପୁରନ୍ଦର ନନ୍ଦ ଏବଂ ବିଏମ୍ସିର ଇଞ୍ଜିନିୟରିଂ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ଅବସରରେ ବିଏମ୍ସି ପକ୍ଷରୁ ମଧୁସୂଦନ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏମ୍ସି ପ୍ରଶାସକ ସଂଗ୍ରାମଜିତ ନାୟକ ଏବଂ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ହୁଇଲ୍ ଅଫ୍ କାଇଣ୍ଡନେସ୍ (ପୁରୁଣା ପୋଷାକ ପ୍ରଦର୍ଶନ ପାଇଁ ସ୍ବତନ୍ତ୍ର ବସ୍) ଏବଂ କାଇଣ୍ଡନେସ୍ ହବ୍ର ଲୋକାର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଯୋଜନା କାର୍ଯ୍ୟକାରୀ ପାଇଁ ବିଏମ୍ସି ମାସିକ ୧ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କରିବ। ଯେଉଁମାନେ ପିନ୍ଧିବାକୁ ପୋଷାକ ପାଉନଥିବେ ସେମାନେ ଏହି ଗାଡ଼ି ନିକଟରୁ ପୋଷାକ ସଂଗ୍ରହ କରିପାରିବେ। ବିଭିନ୍ନ ବସ୍ତି, ଶ୍ରମିକ ହାଟକୁ ଏହି ଗାଡ଼ି ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବୁଲିବ। ଯେଉଁମାନେ ପୁରୁଣା ପୋଷାକ ଦେବାକୁ ଚାହୁଁଥିବେ ସେମାନେ ୭୯୭୮୨୪୨୨୦୧ ନମ୍ବରରେ ଫୋନ୍ କରି ପୋଷାକ ଦାନ କରିପାରିବେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ଆଜି ବିଏମ୍ସି ପକ୍ଷରୁ ତିନିଟି ଜୋନ୍ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କ ପାଇଁ ବଡ଼ାଖାନା ଆୟୋଜନ କରାଯାଇଥିଲା। ଲାଲନ୍ ମଣ୍ଡପ, ବଡଗଡ଼ ଶ୍ମଶାନ ଓ ଭରତପୁରରେ ଏହି ବଡ଼ାଖାନା ଆୟୋଜନ କରାଯାଇଥିଲା। ସଫେଇ କର୍ମଚାରୀ ଓ ବିଏମ୍ସି ଅଧିକାରୀ ମିଳିତ ଭାବେ ଖାଦ୍ୟ ଖାଇଥିଲେ।