ସଙ୍ଗରୋଧ କେନ୍ଦ୍ରରେ ବିଏମ୍‌ସିର ଅଜବ ଖାଦ୍ୟ ମେନୁ : ଜଣ ପିଛା ୫୦ଟଙ୍କା ଯାଉଛି କୁଆଡ଼େ?

ଖାଦ୍ୟର ମେନୁ କହୁଛି ସର୍ବାଧିକ ୭୦ଟଙ୍କା ଖର୍ଚ୍ଚ, ସକାଳେ ଉପମା/ଇଡ୍‌ଲି, ସଂଧ୍ୟାରେ ଚା’ ବିସ୍କୁଟ, ମଧ୍ୟାହ୍ନ ଓ ରାତିରେ ଭାତ, ଡାଲମା

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ଆସୁଥିବା ପ୍ରବାସୀ ଓଡ଼ିଆ ଏବଂ ଏଠାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ୬ଟି କେନ୍ଦ୍ର ଖୋଲା ଯାଇଛି। ଏଥିରୁ ତିନିଟି କେନ୍ଦ୍ରରେ ଏବେ ୪୩ଜଣ ସଙ୍ଗରୋଧ ହୋଇ ରହୁଛନ୍ତି। କିନ୍ତୁ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଲୋକଙ୍କୁ ଦିନକୁ ୧୨୦ଟଙ୍କାର ଖାଦ୍ୟ ଦେବାକୁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସପ୍ତାହରେ ଭିନ୍ନ ଭିନ୍ନ ଖାଦ୍ୟ ଦେବାକୁ କୁହାଯାଇଛି। ହେଲେ ବିଏମ୍‌ସିର ଗୋଟିଏ ମେନୁ। ଦିନକୁ ସର୍ବାଧିକ ୭୦ଟଙ୍କା ଜଣଙ୍କର ଖାଇବା ପାଇଁ ଖର୍ଚ୍ଚ ହେଉଛି। ବାକି ୫୦ଟଙ୍କା କୁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠିଲାଣି।

ବିଏମ୍‌ସି ପକ୍ଷରୁ ହୋଇଥିବା ସଙ୍ଗରୋଧ କେନ୍ଦ୍ରଗୁଡ଼ିକ ମଧ୍ୟରୁ ଯାତ୍ରୀ ନିବାସରେ ୧୫ଜଣ, ଓଏସ୍‌ଏପି ବାଟାଲିଅନ ଭିତରେ ଥିବା ସ୍କୁଲରେ ୧୬ଜଣ ଏବଂ ଟ୍ରାଇଡେଣ୍ଟ କଲେଜରେ ୧୨ଜଣ ସଙ୍ଗରୋଧରେ ଅଛନ୍ତି। ଦୁଇଟି ସଙ୍ଗରୋଧ କେନ୍ଦ୍ରରେ ସମସ୍ତଙ୍କ ପାଇଁ ଗୋଟିଏ ମେନୁ। ସକାଳେ ଜଳଖିଆରେ ଇଡଲି, ଚଟଣି/ଉପମା, ମଟର ତରକାରି। ସଂଧ୍ୟାରେ ଚା’ ଓ ବିସ୍କୁଟ, ମଧ୍ୟାହ୍ନ ଓ ରାତିରେ ଉଷୁନା ଭାତ, ଡାଲମା। ଓଏସ୍‌ଏପି ବାଟାଲିଅନରେ ତ ମଧ୍ୟାହ୍ନ ଓ ରାତିରେ ଆଳୁ ମୁଗ ଖେଚୁଡ଼ି ଟିଣ ଡବାରେ ପ୍ୟାକିଂ ହୋଇ ଆସୁଛି। ଲୋକ ଖାଇଲା ବେଳକୁ ନାଳୁଆ ଖେଚୁଡ଼ି। ଲୋକ ଖାଆନ୍ତୁ କି ନଖାଆନ୍ତୁ, କିଛି ଯାଏ ଆସ ନାହିଁ। ଗାଡ଼ି ପହଞ୍ଚି ପ୍ୟାକେଟ୍‌ ଥୋଇ ଦେଇ ଆସୁଛି।

ଯିଏ ପ୍ରତିବାଦ କଲେ ବି କିଛି ସୁଫଳ ମିଳୁନି। ପାଖରେ ଟଙ୍କାଟିଏ ବି ନଥିବାରୁ ବାହାରେ ଖାଇ ପାରୁଛନ୍ତି ନା ସେମାନଙ୍କୁ ଆଉ କିଏ ଆଣି ଖାଇବାକୁ ଦେଉଛି। ତେଣୁ ଇଚ୍ଛା ହେଉ କି ନହେଉ ନାଳୁଆ ଖେଚୁଡି, ଶୁଖିଲା ଭାତ ଡାଲମା ଖାଅ ନଚେତ୍ ପାଣି ପିଇ ଶୁଅ।

ବିଏମ୍‌ସି ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ବଜାର ମୂଲ୍ୟ ନେଇ ହିସାବ କରିବାରୁ ଜଣାପଡ଼ିଲା ଯେ ସକାଳ ଜଳଖିଆରେ ବିଏମ୍‌ସି ପକ୍ଷରୁ ଯେଉଁ ତିନିଟି ଇଡ୍‌ଲି, ଚଟଣି ବା ଉପମା, ମଟର ତରକାରି ଦିଆଯାଉଛି ତା’ର ବଜାର ମୂଲ୍ୟ ସର୍ବାଧିକ ୨୦ଟଙ୍କା। ଦ୍ବିପ୍ରହରରେ ଓ ରାତିରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଭାତ, ଡାଲମା (ଆହାର ମିଲ୍‌) ଦିଆଯାଉଥିବା ବେଳେ ପ୍ରତି ମିଲ୍‌ର ବଜାର ଦର ୨୦ଟଙ୍କା। ଦୁଇଟି ମିଲ୍‌କୁ ୪୦ଟଙ୍କା। ସଂଧ୍ୟାରେ ୫ଟଙ୍କିଆ ବିସ୍କୁଟ ପ୍ୟାକେଟ୍‌ ନ‌ଚେତ୍ ୫ଟି ବିସ୍କୁଟ ଓ ଚା’ କପ୍‌ଟିଏ ଦିଆଯାଉଛି। ଯାହାର ବଜାର ମୂଲ୍ୟ ୧୦ଟଙ୍କାରୁ ଅଧିକ ନୁହେଁ। ଏହିପରି ମୋଟ୍ ୭୦ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ୧୨୦ଟଙ୍କା ଖର୍ଚ୍ଚ ହେଉନି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଆମେ ସଙ୍ଗରୋଧ କେନ୍ଦ୍ରରେ ଥିବା ଲୋକଙ୍କୁ ପ୍ରଥମରୁ ଦୁଇ ଓଳି ଆହାର ମିଲ୍‌ ଦେଉଛୁ। ଦୁଇ ଓଳି ଜଳଖିଆ ପାଇଁ ଜଣପିଛା ୪୦ ଟଙ୍କା ହିସାବରେ ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦେଉଛୁ। ସେମାନେ ଅନ୍‌ଲାଇନ୍‌ରେ ଜଳଖିଆ ମଗାଇ ଦେଉଥିଲେ। ନିକଟରେ ରାଜ୍ୟ ସରକାର ସଙ୍ଗରୋଧ କେନ୍ଦ୍ରରେ ‌ଲୋକଙ୍କୁ ଜଣ ପିଛା ଦିନକୁ ୧୨୦ଟଙ୍କା ଲେଖାଏଁ ଦିଆଯାଉଛି ବୋଲି ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। କିନ୍ତୁ ଆମର ଯାହା ଯେମିତି ପ୍ରଥମରୁ ଦିଆଯାଉଥିଲା, ଏବେ ବି ସେମିତି ଦିଆଯାଉଛି। ଯେବେ ଖାଦ୍ୟର ମାନ ନେଇ ଅନ୍ତେବାସୀମାନେ ଅଭିଯୋଗ କରିଥିଲେ, ସେବେଠାରୁ ଏହା ଉପରେ ଧ୍ୟାନ ଦିଆଯାଉଛି।

ଅପରପକ୍ଷେ ଗଞ୍ଜାମରେ ସ‌ଙ୍ଗରୋଧ କେନ୍ଦ୍ରରେ ଥିବା ଲୋକମାନେ ପ୍ରଶାସନ ଯୋଗାଉଥିବା ଖାଦ୍ୟକୁ ଫୋପାଡ଼ିବା ସହ ପ୍ରତିବାଦ କରିବା ପରେ ଜିଲ୍ଲା ପ୍ରଶାସନ କେଉଁଦିନ କ’ଣ ଖାଦ୍ୟ ଦିଆଯିବ ତା’ର ମେନୁ ଦେଇଥିଲା। କିନ୍ତୁ ଏହା ପୂର୍ବରୁ ଏପ୍ରିଲ ୩୦ ତାରିଖରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ହୋଇଥିବା ଯାତ୍ରୀନିବାସସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଖା‌ଇବା ମେନୁକୁ ନେଇ ବିବାଦ ଉଠିଥିଲା। ସଙ୍ଗରୋଧରେ ଥିବା ଲୋକମାନେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ମାସାଧିକ କାଳ କେବଳ ଶୁଖିଲା ଭାତ ଓ ପାଣିଆ ଡାଲମା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ମେନୁ ବଦଳିଲାନି। ସେଇ ଭାତ ଡାଲମା ଖାଇବାକୁ ଦିଆଯାଉଛି।

ସମ୍ବନ୍ଧିତ ଖବର