ତାରିଣୀ ବସ୍ତ୍ରାଳୟକୁ ୭୫ହଜାର ଟଙ୍କା ଜରିମନା
୫୦ଗ୍ରାହକ ଦେଲେ ୫୦୦ ଲେଖାଏଁ ଜରିମାନା
ଭୁବନେଶ୍ବର : ଲକ୍ଡାଉନ୍ ସତ୍ତ୍ବେ ବହୁ ରାଜଧାନୀରେ ବ୍ୟବସାୟୀ ବେଆଇନ ଭାବେ ଦୋକାନ ଖୋଲୁଛନ୍ତି। ଏପରିକି ସଟର୍ ପକାଇ ଭିତରେ ଗ୍ରାହକଙ୍କୁ ପୂରାଇ ଲୁଚାଛପାରେ ବେପାର କରୁଛନ୍ତି। ଗ୍ରାହକ ବି କଟକଣା ନ ମାନି କିଣାକିଣି କରିବାକୁ ଭିଡ଼ କରୁଛନ୍ତି। ଏଭଳି ଲୁଚାଛପା ବେପାର ଆଜି ଉଭୟ ବେପାରୀ ଓ ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି। ବିଏମ୍ସିର ତିନି ଜୋନ୍ର ସ୍କ୍ବାଡ୍ ଆଜି ଜୋରଦାର୍ ଚଢ଼ଉ କରିଛନ୍ତି। ଗୋଟିଏ ଦିନରେ ପ୍ରାୟ ୮୦ଟି ଦୋକାନ ସିଲ୍ କରିବା ସହ ୧ଲକ୍ଷ ୨୩ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏଥିରେ ସବୁଠୁ ଅଧିକ ଜରିମାନା ୭୫ହଜାର ଟଙ୍କା କଳ୍ପନା ଛକସ୍ଥିତ ତାରିଣୀ ବସ୍ତ୍ରାଳୟରୁ ଆଦାୟ ହୋଇଛି।
ବିଏମ୍ସିର ସୂଚନା ଅନୁଯାୟୀ, କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟ କୋଭିଡ୍ କଟକଣା ଉଲ୍ଲଂଘନ କରି ଦୋକାନ ଖୋଲିବା ସହ ଶତାଧିକ ଗ୍ରାହକଙ୍କୁ ଦୋକାନରେ ପୂରାଇଥିଲେ। ସେଠାରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା, ବହୁ ଲୋକ ମାସ୍କ ବି ପିନ୍ଧିନଥିଲେ। ସ୍ବତନ୍ତ୍ର ରିଲିଫ କମିସନରଙ୍କ ନିୟମ ଅନୁଯାୟୀ, ଲକ୍ଡାଉନ୍ରେ କୌଣସି ବସ୍ତ୍ରାଳୟ ଖୋଲି ପାରିବନି। କିନ୍ତୁ ଏହି ଦୋକାନ ଖୋଲିବା ସହ ଲୁଚାଛପାରେ କିଣାବିକା ଚାଲିଥିଲା। ଦୋକାନର ପଛପାର୍ଶ୍ବରୁ ଗ୍ରାହକଙ୍କୁ ଦୋକାନରେ ଭର୍ତ୍ତି କରାଯାଉଥିଲା। ତେଣୁ ଏହି ଦୋକାନକୁ ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ ସିଲ୍ କରିବା ସହ ୭୫ହଜାର ଟଙ୍କା ଜରିମାନା କରିଥିଲେ।
ଅନ୍ୟପକ୍ଷରେ ଏହି ଦୋକାନରେ ଯେଉଁମାନେ ନିୟମ ଉଲ୍ଲଂଘନ କରି କିଣାକିଣି କରୁଥିଲେ ସେଳିଭଳି ୫୦ଜଣ ଗ୍ରାହକଙ୍କଠାରୁ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି। ସବୁ ମିଶାଇ କେବଳ ଗ୍ରାହକଙ୍କଠାରୁ ୨୫ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ତାରିଣୀ ବସ୍ତ୍ରାଳୟ ଚଳିତବର୍ଷ ଲକ୍ଡାଉନ୍ ଭିତରେ ଦୁଇ ଥର ଏହିଭଳି ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିଥିବାବେଳେ ବିଏମ୍ସି ପକ୍ଷରୁ ଚଢ଼ଉ କରି ବନ୍ଦ କରାଯାଇଥିଲା। ତେଣୁ ଏବେ ଦୋକାନ ସିଲ୍ କରିବା ସହ ଜରିମାନା କରାଯାଇଛି।
ସେହିପରି ବାପୁଜୀନଗର ମାର୍କେଟ୍ ଜୁଲାଇ ୧ ପର୍ଯ୍ୟନ୍ତ ବନ୍ଦ ହୋଇଥିବାବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଗୋଟିଏ ମୋବାଇଲ୍ ଦୋକାନ ଓ ଗୋଟିଏ ଇଲେକ୍ଟ୍ରୋନିକ୍ସ ଦୋକାନ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିଥିବାରୁ ସେମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଏହାବାଦ୍ ବିଭିନ୍ନ ଓମଫେଡ୍ ଦୋକାନ, ଚା’ ଦୋକାନରେ ଗୁଟ୍ଖା ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଥିବାରୁ ସେଗୁଡ଼ିକୁ ସିଲ୍ କରାଯାଇଛି। ଏଥିରେ ଦକ୍ଷିଣ-ପୂର୍ବ ଜୋନ୍ରେ ବିଭିନ୍ନ ସ୍ଥାନରେ ୧୫ଟି ଓମ୍ଫେଡ୍ ଓ ଚା’ ଦୋକାନ, ଉତ୍ତର ଜୋନ୍ରେ ଅର୍ଥାତ୍ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪୦ଟି ଓମଫେଡ୍ ଓ ଚା’ ଦୋକାନ ସିଲ୍ କରାଯାଇଛି। ଦକ୍ଷିଣ-ପଶ୍ଚିମ ଜୋନ୍ ପକ୍ଷରୁ ସିରିପୁର ଓ ଆଇଡି ମାର୍କେଟରେ ଚଢ଼ଉ କରି ୧୩ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।
ଇନ୍ଦ୍ରଧନୁ ମାର୍କେଟ୍ ଜୁଲାଇ ୧ ଯାଏ ସିଲ୍
ନୂଆପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ କୋଭିଡ କଟକଣା ଉଲ୍ଲଂଘନ ହୋଇଥିବାରୁ ବିଏମ୍ସି ପକ୍ଷରୁ ଏହାକୁ ସିଲ୍ କରାଯାଇଛି। ବିଏମ୍ସିର ଅତିରିକ୍ତ କମିସନର ଇନ୍ଦ୍ରଧନୁ ମାର୍କେଟକୁ ଜୁଲାଇ ୧ ପର୍ଯ୍ୟନ୍ତ ସିଲ୍ କରିଛନ୍ତି। ବିଏମ୍ସିର ଦକ୍ଷିଣ-ପଶ୍ଚିମ ଜୋନ୍ରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ବିଏମ୍ସି ସ୍କ୍ବାଡ୍ ଏବଂ ପୁଲିସର ମିଳିତ ଟିମ୍ ଆଇଡି ମାର୍କେଟରେ ଚଢ଼ଉ ସମୟରେ ଏଠାରେ ବସୁଥିବା ଡେଲି ମାର୍କେଟରେ ଅସମ୍ଭାଳ ଭିଡ଼ ଥିଲା। ବିଭିନ୍ନ ଦୋକାନରେ କୋଭିଡ କଟକଣା ମଧ୍ୟ ଉଲ୍ଲଂଘନ ହେଉଥିଲା। ତେଣୁ ସ୍କ୍ବାଡ୍ ବିଭିନ୍ନ ଦୋକାନୀ ଓ ଲୋକଙ୍କଠାରୁ ଜରିମାନା ଆଦାୟ କରିବା ପରେ ଏହାକୁ ତୁରନ୍ତ ସିଲ୍ କରିବାକୁ ନିଷ୍ପତ୍ତି ନେଇଥିଲା।