ବିଏମ୍‌ସିର ବାସି ଖାଦ୍ୟ ଚଢ଼ଉ : ଦେଢ଼ କୁଇଣ୍ଟାଲ ଜବତ, ୨୬,୫୦୦ ଜରିମାନା

ଭୁବନେଶ୍ବର : ବିଏମ୍‌ସି ଆଜି ସିଆରପି ଛକ ଏବଂ ଫାୟାର ଷ୍ଟେସନ ଛକ ନିକଟରୁ ଦେଢ଼ କୁଇଣ୍ଟାଲ ବାସି ଓ ଖରାପ ଖାଦ୍ୟ ଜବତ କରିଛି। ଲୋକଙ୍କୁ ବାସି ଖାଦ୍ୟ ବିକୁଥିବା ଅଭିଯୋଗରେ ‌୨୬,୫୦୦ ଟଙ୍କା ଜରିମାନା ବି ଆଦାୟ କରିଛି।

ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନ୍‌ ଜୋନାଲ୍‌ ଡେପୁଟି କମିସନର ରବି ନାରାୟଣ ଜେଠୀଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ଅପରାହ୍ନରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଫାୟାର ଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ବିଭିନ୍ନ ‌ହୋଟେଲ ଓ ଫାଷ୍ଟଫୁଡ୍‌ ଦୋକାନରେ ଚଢ଼ଉ ହୋଇଥିଲା। କେଉଁ ହୋଟେଲରେ ବାସି ପୂରରେ ସିଙ୍ଗଡ଼ା ହୋଇଥିଲା ତ କେଉଁଠି ଦୋସାରେ ବାସି ପୂର ଦିଆଯାଉଥିଲା। ବିଭିନ୍ନ ଫାଷ୍ଟଫୁଡ୍‌ ଦୋକାନରେ ଫ୍ରିଜରରେ ବାସି ରନ୍ଧା ଖାଦ୍ୟ, ବିରିୟାନି ଆଦି ଥିବା ଦେଖିବାକୁ ମିଳିଥିଲା। ଏହାକୁ ବିଏମ୍‌ସି କର୍ତ୍ତୃପକ୍ଷ ଜବତ କରିବା ସହ ଦୋକାନୀଙ୍କୁ ଜରିମାନା କରିଥିଲେ।

ଏହାପରେ ସିଆର୍‌ପି ଛକ ନିକଟ ଭେଣ୍ଡିଂ ଜୋନ୍‌ରେ ଚଢ଼ଉ ହୋଇଥିଲା। ସେଠାରେ ମଧ୍ୟ କିଛି ଫାଷ୍ଟ ଫୁଡ୍‌ ଦୋକାନରେ ବାସି ଖାଦ୍ୟ ଥିଲା। ଯାହାକୁ ବିଏମ୍‌ସି ଜବତ କରିଥିଲା। ଏହିଭଳି ଦେଢ଼ କୁଇଣ୍ଟାଲ ଖାଦ୍ୟ ଜବତ କରି ବିଏମ୍‌ସି ନଷ୍ଟ କରିଛି। ବିଏମ୍‌ସି ଆଜି ମୋଟ୍‌ ୨୬ଟି ଦୋକାନ ଉପରେ ଚଢ଼ଉ କରିଥିଲା। ଆଗାମୀ ଦିନରେ ଏହିଭଳି ଚଢ଼ଉ ଜୋରଦାର୍‌ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର