ପୁଣି ସ୍ୱପ୍ନ ଦେଖାଇଲା ବିଏମ୍‌ସି : ତିନି ବର୍ଷରେ ସବୁ ଡ୍ରେନ୍‌ ଜବରଦଖଲ ମୁକ୍ତ ହେବ

ମୁଖ୍ୟ ଡ୍ରେନ୍‌ ଉପରେ ଜବରଦଖଲ ପାଇଁ ଜିରୋ ଟଲରାନ୍ସ, ପାଣି ନିଷ୍କାସନରେ ବାଧକ ସାଜୁଥିବା ସବୁ ନିର୍ମାଣ ଭଙ୍ଗାଯିବ

ଭୁବନେଶ୍ୱର, : ଦୀର୍ଘ ବର୍ଷ ହେଲା ରାଜଧାନୀବାସୀ ଅସରାଏ ବର୍ଷାରେ ଜଳବନ୍ଦୀ ହେଉଥିଲେ ବି ସମାଧାନର ବାଟ ବାହାରୁ ନଥିଲା। କିନ୍ତୁ ଚଳିତ ଲଘୁଚାପ ବର୍ଷା ପୂରା ରାଜଧାନୀରେ ବନ୍ୟା କରିଦେବା ପରେ ସରକାରଙ୍କ ନିଦ ହଜି ଯାଇଛି। ଜଳ ନିଷ୍କାସନରେ ଯେପରି କୌଣସି ପ୍ରକାରର ପ୍ରତିବନ୍ଧକ ନ ରହିବ ସେଥିପାଇଁ ଘନଘନ ବୈଠକ ବସୁଛି। ରାଜଧାନୀର ସମସ୍ତ ମୁଖ୍ୟ ଡ୍ରେନ୍‌, ବଡ଼ ଡ୍ରେନ୍‌ ଓ ଛୋଟ ଡ୍ରେନ୍‌ ଉପରୁ ଯେପରି ଜବରଦଖଲ ଉଚ୍ଛେଦ ହେବ ସେଥିପାଇଁ ବିଏମ୍‌ସି ଯୋଜନା କରିଛି। ଏଥିପାଇଁ ପୂରା ଆକ୍ସନ ମୁଡ୍‌କୁ ବିଏମ୍‌ସି ଆସିଯାଇଛି। ତିନି ବର୍ଷ ମଧ୍ୟରେ ରାଜଧାନୀର ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ସମେତ ଅନ୍ୟ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ ହେବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ରାଜଧାନୀ ଦେଇ ଯାଇଥିବା ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଜଳ ନିଷ୍କାସନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ଏଗୁଡ଼ିକ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଏପରିକି ୨୦ରୁ ୩୦ଫୁଟ ଓସାରର ଡ୍ରେନ୍‌ ବହୁ ସ୍ଥାନରେ ୩ରୁ ୧୦ଫୁଟ ମଧ୍ୟରେ ରହିଛି। ତେଣୁ ଏଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ଉଚ୍ଛେଦ କରାଯିବ। ଏଥିପାଇଁ ଆସନ୍ତା ଅଗଷ୍ଟ ୧ରୁ ୧୦ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୧ରୁ ୬ ଏବଂ ୭ରୁ ୧୦ ପର୍ଯ୍ୟନ୍ତ ଜବରଦଖଲକାରୀଙ୍କୁ ସେମାନଙ୍କ ଅଭିଯୋଗ ଜଣାଇବାକୁ ସମୟ ରଖାଯାଇଛି। ଏହା ପୂର୍ବରୁ ମାପଚୁପ ଶେଷ କରି ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ଜଣାଇବାକୁ ଡ୍ରେନେଜ୍‌ ବିଭାଗକୁ କୁହାଯାଇଛି। ଏଥିରେ ଯେଉଁମାନେ ଡ୍ରେନ୍‌କୁ ମାଡ଼ି ଘର କରିଥିବେ ବା ଡ୍ରେନ୍‌ କଡ଼ରେ ସେମାନଙ୍କର ନିଜସ୍ୱ ଜମି ଥିବ ସେମାନେ ସାମିଲ୍‌ ହେବେ। ଯଦି ଡ୍ରେନ୍‌କୁ ମାଡ଼ିକି କିଏ କିଛି ନିର୍ମାଣ କରିଥିବେ ତେବେ ସେଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରାଯିବ। ଯଦି କାହାର ନିଜସ୍ୱ ଜମି ଥିବ ତେବେ ତାଙ୍କୁ ସ୍ଥାନୀୟ ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ତୁରନ୍ତ ଅର୍ଥ ଦିଆଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।

ମେୟରଙ୍କ ସୂଚନା ଅନୁଯାୟୀ, ଆସନ୍ତା ବର୍ଷା ଦିନ ପୂର୍ବରୁ ଆମେ ରାଜଧାନୀର ଜଳ ନିଷ୍କାସନ ସମସ୍ୟା ସୁଧାରିବୁ। ଏଥିରେ ସମସ୍ତ ମୁଖ୍ୟ ଡ୍ରେନ୍‌କୁ ପ୍ରଶସ୍ତ କରାଯିବା ସହ ଡ୍ରେନ୍‌ର ଦୁଇ ପାର୍ଶ୍ୱରେ ପାଚେରି ନିର୍ମାଣ କରାଯିବ। ଏହାସହ ସହର ଭିତରେ ଥିବା ଡ୍ରେନ୍‌ ଉପରେ ଯେଉଁଠି ଜବରଦଖଲ ହୋଇଛି ସେଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରାଯିବ। ଉଚ୍ଛେଦ ସମୟରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ ବୋଲି ସେ କହିଛନ୍ତି। ଚଳିତ ବର୍ଷାରେ ରାଜଧାନୀର ପ୍ରାୟ ୮୫ଟି ଜାଗାରେ ପାଣି ନିଷ୍କାସନରେ ସମସ୍ୟା ଦେଖାଯିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକ ଜଳବନ୍ଦୀ ହୋଇ ରହିଥିଲେ। ତେଣୁ ଏହି ସ୍ଥାନରେ ଡ୍ରେନ୍‌ ସମସ୍ୟା ତୁରନ୍ତ ସମାଧାନ କରିବାକୁ ନିଷ୍ପତ୍ତି ହୋଇଛି।

ରାସ୍ତାରେ ନିର୍ମାଣ ଓ ଭଗ୍ନାବଶେଷ ଆବର୍ଜନା ଗଦାଇଲେ ଜରିମାନା

ଭୁବନେଶ୍ୱର : ରାସ୍ତା କଡ଼ରେ ବା ଡ୍ରେନ୍‌ ଉପରେ ଯଦି କେହି ନିର୍ମାଣ ସାମଗ୍ରୀ ଓ ଭଗ୍ନାବଶେଷ ଆବର୍ଜନା ଗଦାନ୍ତି ବା ଡ୍ରେନ୍‌ରେ କେହି ଆବର୍ଜନା ପକାନ୍ତି ତାଙ୍କଠାରୁ ଜରିମାନା ଆଦାୟ ହେବ। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ ଏହି ଜରିମାନା ଆଦାୟ ହେବ। ପୂର୍ବରୁ ଏହି ନିୟମ ଥିଲେ ହେଁ ଏହାକୁ କଡ଼ାକଡ଼ି ଲାଗୁ କରାଯାଉ ନଥିଲା। ବର୍ତ୍ତମାନ ବର୍ଷା ଜଳ ନିଷ୍କାସନରେ ବାଧକ ସାଜିବାରୁ କର୍ତ୍ତୃପକ୍ଷ ଚେତିଛନ୍ତ। ସମସ୍ତ ଜୋନାଲ ଡେପୁଟି କମିସନର୍‌ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ଆଜି ଡିଏଭି ୟୁନିଟ-୮ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପାଚେରି ନିକଟରେ ରାସ୍ତା ଓ ଡ୍ରେନ୍‌ ଉପରେ ଆବର୍ଜନା ଗଦାଇଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାକୁ କୁହାଯାଇଛି। ସେହିପରି ଜିଙ୍ଗ୍‌ ସ୍ପାଇସ୍‌ ଓ୍ଵାର୍ଲଡ ସୋରୁମ୍‌ ରାସ୍ତାକୁ ମାଡ଼ି ବସି ବେଆଇନ ଭାବେ ଟ୍ରାନ୍ସଫର୍ମର ବସାଇଥିବାରୁ ଏବଂ ରାସ୍ତା ଉପରେ ଆବର୍ଜନା ଗଦାଉଥିବାରୁ ଉକ୍ତ ସୋରୁମ୍‌ରୁ ଜରିମାନା ଆଦାୟ କରିବାକୁ ଜୋନାଲ ଡେପୁଟି କମିସନର୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜୋରଦାର ହେଲା ଜବରଦଖଲ ଉଚ୍ଛେଦ

ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା ଏବଂ କମିସନର କ୍ରିଷନ କୁମାର ଆଜି ବିଭିନ୍ନ ଜଳଘେରି ଅଞ୍ଚଳ ପରିଦର୍ଶନ କରିଥିଲେ। ତିନି ଜଣଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୃଥକ ପୃଥକ ସ୍ଥାନରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ବିଏମ୍‌ସି ଓ ବିଡିଏ ଟିମ୍‌ ଆଜି ସିଟି ଓମେନ୍ସ କଲେଜ ଛକ, ନୂଆଗାଁ ଛକ ଏବଂ ସମ୍‌ ହସ୍ପିଟାଲ ଛକରେ ବର୍ଷା ଜଳ ନିଷ୍କାସନରେ ବାଧକ ସାଜୁଥିବା ଜବରଦଖଲକୁ ଉଚ୍ଛେଦ କରିଛନ୍ତି।  ସିଟି ଓମେନ୍ସ ନିକଟରେ ଡ୍ରେନ୍‌ ଉପରେ ଥିବା ୨୩ଟି ଟିଣ ଘର, ୭ଟି ବାଉଁଶ ପଲିଥିନ୍‌ ଝୁମ୍ପୁଡି, ୫ଟି କ୍ୟାବିନ୍‌, ୨ଟି ଫାଷ୍ଟଫୁଡ୍‌ ଦୋକାନ, ୪ଟି ବିଜ୍ଞାପନ ବୋର୍ଡ ଉଚ୍ଛେଦ କରିଛି। ସେହିପରି ବିଏମ୍‌ସିର ଦକ୍ଷିଣ ପଶ୍ଚିମ ଜୋନ୍‌ ସ୍କ୍ଵାଡ୍‌ ଆଜି ଓ୍ଵାର୍ଡ ୪୬ର ଡିଏଭି ସ୍କୁଲ ନିକଟରେ ଗଦା ହୋଇଥିବା ୪ଟ୍ରିପ୍‌ ଚିପ୍ସ ଏବଂ ଗୋଟିଏ ଟ୍ରିପ୍‌ ବାଲି ଜବତ କରିଛି। ଶତାବ୍ଦୀ ନଗରରୁ ନୂଆ ଜାଗମରା ରାସ୍ତା, ଗଣ୍ଡମୁଣ୍ଡାରୁ ଆଇଟିଇଆର୍‌ ପଛପାଖ ଅଞ୍ଚଳରେ ଥିବା ଜବରଦଖଲର ସର୍ଭେ କରି ତୁରନ୍ତ ଉଚ୍ଛେଦ କରିବା ଏବଂ ଡ୍ରେନ୍‌ ନିର୍ମାଣ କରିବାକୁ ଡ୍ରେନେଜ୍‌ ବିଭାଗକୁ କୁହାଯାଇଛି।

ପୁରୁଣା ଭୁବନେଶ୍ୱର ଜଳ ନିଷ୍କାସନର ସ୍ଥାୟୀ ପ୍ରତିକାର ପାଇଁ ମାନସ ମନ୍ଥନ 

ଭୁବନେଶ୍ୱର : ଗତ ସପ୍ତାହରେ ଲଗାଣ ବର୍ଷା ଦ୍ୱାରା ପୁରୁଣା ଭୁବନେଶ୍ୱର ଅଞ୍ଚଳର ଗୌରୀ ବିହାର, ଗୌରୀ ନଗର, ଗୌରୀ ଗାର୍ଡେନ୍‌, କେଦାରଗୌରୀ ଆପାର୍ଟମେଣ୍ଟ୍‌, ବଶିଷ୍ଠ ନଗର, କେଦାର୍‌ ଲେନ୍‌ ଆଦି ଅଞ୍ଚଳ ଭୀଷଣ ପ୍ରଭାବିତ ହୋଇଥିଲା। ଏହାର ସ୍ଥାୟୀ ପ୍ରତିକାର ବାଟ ବାହାର କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ମେୟର, ସ୍ଥାନୀୟ ଜନ ପ୍ରତିନିଧି ଓ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଥିଲେ। କ୍ଷୟକ୍ଷତି ଜନିତ ସ୍ଥିତି ଆକଳନ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ବର୍ଷା ପ୍ରଭାବିତ ଅଞ୍ଚଳରେ ଏକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇ ସେହି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବୈଠକରେ ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର୍‌ ରାଜେନ୍ଦ୍ର ସମର୍ଥା, ଲିଟୁ ମହାସୂପକାର, ପୁଷ୍ପା ଦାସଙ୍କ ସମେତ ପୂର୍ତ୍ତ, ଜାତୀୟ ରାଜପଥ ଓ ଡ୍ରେନେଜ୍‌ ଡିଭିଜନ୍‌ର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀ ପଣ୍ଡା ରାଜୀବ ନଗର ଅଞ୍ଚଳ ଯାଇ ସେଠାରେ ବର୍ଷା ଜଳ ପ୍ରଭାବିତ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ମଙ୍ଗଳବାର ବିଡିଏ ଓ ବିଏମ୍‌ସିର ମିଳିତ ଉଚ୍ଛେଦକାରୀ ଟିମ୍‌ ଗୌରୀ ଗାର୍ଡେନ୍‌ରେ ବେଆଇନ ଜବରଦଖଲକୁ ମାପଚୁପ କରିବା ସହ ଡ୍ରେନ୍‌ ଉପରେ ଥିବା ଜବରଦଖଲ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ମେୟର ସୂଚନା ଦେଇଛନ୍ତି। ଏହାସହ ବେଆଇନ ନିର୍ମାଣ ହେତୁ ସିଦ୍ଧି ବିହାର, କ୍ରିଷ୍ଣା ଗାଡ୍ରେନ୍‌ ଏବଂ ମଲ୍ଲିକ କମ୍ପ୍ଲେକ୍ସ ଅଞ୍ଚଳରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର