ଲୋକଙ୍କ ପାଖରେ ପହଞ୍ଚିବ ବିଏମ୍‌ସି

୧୬ରୁ ଆରମ୍ଭ ହେବ ଜନ ସଂପର୍କ ଦିବସ

ଭୁୁବନେଶ୍ୱର : ଲୋକଙ୍କ ସହ ଯୋଡ଼ି ହେବ ବିଏମ୍‌ସି। କଲୋନି କଲୋନି ବୁଲି ଲୋକଙ୍କ ଅଭିଯୋଗ/ପ୍ରସ୍ତାବ ଶୁଣିବ। ଯେଉଁ ଅଭିଯୋଗର ତୁରନ୍ତ ସମାଧାନ ହୋଇପାରିବ ଘଟଣାସ୍ଥଳରେ ହିଁ ସମାଧାନ କରି ଦିଆଯିବ। ଏହିଭଳି ଜନସମ୍ପର୍କ ଆରମ୍ଭ କରିବାକୁ ବିଏମ୍‌ସି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ଆସନ୍ତା ୧୬ ତାରିଖରୁ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜଧାନୀର ୧୨ଟି ସବ୍‌ଜୋନ୍‌ ଅଞ୍ଚଳରେ ୧୨ଟି ପ୍ରମୁଖ ସ୍ଥାନରେ ମାସକୁ ଦୁଇଥର ଆୟୋଜିତ ହେବ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ପ୍ରତି ମାସ ୧ ଏବଂ ୧୬ ତାରିଖ ଦିନ ଏହି କାର୍ଯ୍ୟକ୍ରମ ହେବ। ଏହି ତାରିଖରେ ସରକାରୀ ଛୁଟି ଥିଲେ ଛୁଟି ପରଦିନ ଏହି କାର୍ଯ୍ୟକ୍ରମ ହେବ।

ସଂପର୍କ ଦିବସରେ ଜୋନାଲ୍‌ ଡେପୁଟି କମିସନର, କମ୍ୟୁନିଟି ଅର୍ଗାନାଇଜର, ୱାର୍ଡ ଅଧିକାରୀ, ସାନିଟାରି ଇନ୍‌ସ୍ପେକ୍ଟର, ବିଦ୍ୟୁତ୍‌ ଡିଭିଜନ୍‌, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବିଭାଗ ଅଧିକାରୀମାନେ ଉପସ୍ଥିତ ରହିବେ। ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହାର ନୋଡାଲ୍‌ ଅଧିକାରୀ ଭାବରେ ଘୋଷଣା କରାଯାଇଛି। ବିଏମ୍‌ସିରେ ଦୈନିକ କୌଣସି ନା କୌଣସି ବିଭାଗର ବୈଠକ ବସୁଥିବା ବେଳେ ଜନ ସଂପର୍କ ଦିବସରେ ଯେପରି ବାଧା ନ ଉପୁଜେ ସେଥିପାଇଁ ଉକ୍ତ ଦିନ ପୂର୍ବାହ୍ନରେ ଅନ୍ୟ କୌଣସି ବୈଠକ ହେବ ନାହିଁ।

ଜନସଂପର୍କ ଦିବସରେ ବର୍ଜ୍ୟବସ୍ତୁ ପରିଚାଳନା, ଷ୍ଟ୍ରିଟ୍‌ ଲାଇଟ୍‌, ଜବରଦଖଲ, ରାସ୍ତା ଓ ଡ୍ରେନେଜ୍‌ ସଂପର୍କିତ, ଆର୍ଥିକ ଅନୁଦାନ ସହାୟତା ସଂପର୍କିତ ଏବଂ ଅନ୍ୟାନ୍ୟ ଅଭିଯୋଗ ଶୁଣାଣି ହେବ।

ବିଏମ୍‌ସିର ବିଭିନ୍ନ ଅଞ୍ଚଳରେ ହୋଇଥିବା ସବ୍‌ ଜୋନ୍‌ଗୁଡ଼ିକ ହେଲା ଇନ୍‌ଫୋସିଟି, ଜାଭିୟର୍‌ ଛକ, ବାଣୀବିହାର, କୁଆଖାଇ ସବ୍‌ଜୋନ୍‌, ଖଣ୍ଡଗିରି ସବ୍‌ଜୋନ୍‌, ଇସ୍କନ୍‌ ଅଞ୍ଚଳ, ଓୟୁଏଟି, ବିମାନବନ୍ଦର ଅଞ୍ଚଳ, ସ୍ମାର୍ଟ ଡିଷ୍ଟ୍ରିକ୍‌ ଅଞ୍ଚଳ, ପୁରୁଣା କଟକ ରୋଡ୍‌ ସବ୍‌ଜୋନ୍‌, ଲକ୍ଷ୍ମୀସାଗର ଏବଂ ଲିଙ୍ଗରାଜ ମନ୍ଦିର ସବ୍‌ଜୋନ୍‌। ଏହି ସବୁ ଅଞ୍ଚଳରେ ରହିଥିବା ବିଏମ୍‌ସିର ଉତ୍ତର ଜୋନ୍‌ କାର୍ଯ୍ୟାଳୟ, ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ, ପାହାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୟୁନିଟ୍‌ ୮ କଲ୍ୟାଣମଣ୍ଡପ, ପୋଖରୀପୁଟ ଆଶ୍ରୟସ୍ଥଳ କ୍ୟାମ୍ପସ, ସହିଦନଗର କଲ୍ୟାଣ ମଣ୍ଡପ, ଯାତ୍ରୀ ନିବାସ, ବଡ଼ଗଡ଼ କଲ୍ୟାଣ ମଣ୍ଡପ ଏବଂ ଦକ୍ଷିଣ ଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ସବ୍‌ଜୋନ୍‌ ଅଭିଯୋଗ ଶୁଣାଣି ହେବ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜଧାନୀର କଳେବର ବୃଦ୍ଧି ପାଇବା ସହ ବିଏମ୍‌ସିରେ ଲୋକସଂଖ୍ୟା ବଢ଼ି ଚାଲିଛି। ରାଜଧାନୀବାସୀଙ୍କ ଅଭିଯୋଗ ଶୁଣାଣି ଏବେ ପ୍ରତ୍ୟେକ ସୋମବାର କରାଯାଉଥିବା ବେଳେ ଲୋକଙ୍କୁ ନିଜ ଅଞ୍ଚଳରେ ପୌର ସେବା ପହଞ୍ଚାଇବା ପାଇଁ ଜନସଂପର୍କ ଦିବସ ଉପଯୋଗୀ ହୋଇପାରିବ।

ପୂର୍ବରୁ ନାଗରିକଙ୍କ ସୁବିଧା ଦୃଷ୍ଟିରୁ ବିଏମ୍‌ସିରେ କ୍ଷମତା ବିକେନ୍ଦ୍ରୀକରଣ ସ୍ୱରୂପ ୩ଟି ଜୋନ୍‌ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଗତ ବର୍ଷ ଜୋନ୍‌ଗୁଡ଼ିକ ଅଧୀନରେ ୪ଟି ଲେଖାଏଁ ସବ୍‌ ଜୋନ୍‌ ଗଠନ କରାଯିବା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଉଥିଲା। ତେବେ ସଂପ୍ରତି ସବ୍‌ ଜୋନ୍‌ଗୁଡ଼ିକୁ ବାସ୍ତବ ରୂପ ଦିଆଯିବା ସହ ଏସବୁକୁ ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର