ତୃତୀୟ ଲହର ପାଇଁ ବିଏମ୍‌ସି ପ୍ରସ୍ତୁତ: କମିସନର

ରାଜଧାନୀରେ ଆଉ ୨୧୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଖୁବ୍‌ଶୀଘ୍ର କରୋନାର ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଛି। ଏଥିରେ ସର୍ବାଧିକ ଶିଶୁ ଆକ୍ରାନ୍ତ ହେବା ନେଇ କୁହାଯାଉଛି। ସେଥିପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତୃତୀୟ ଲହର ପାଇଁ ବିଏମ୍‌ସି ମଧ୍ୟ ପ୍ରସ୍ତୁତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂହ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, କୋଭିଡର ତୃତୀୟ ଲହର ପାଇଁ ଆମେ ସମ୍ପୂର୍ଣ ପ୍ରସ୍ତୁତ ଅଛୁ। ଟିକାକରଣ ପ୍ରକ୍ରିୟା ଶେଷ ହୋଇଛି। ଯେଉଁମାନେ ବାକି ରହିଛନ୍ତି ସେମାନଙ୍କର ଟିକାକରଣ ଚାଲିଛି। କିନ୍ତୁ ପ୍ରାୟତଃ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିସାରିଛି ବିଏମସି। ଏଣୁ ତୃତୀୟ ଲହର ଚାଲେଞ୍ଜିଂ ହେବ ନାହିଁ ବୋଲି ସେ କହିଛନ୍ତି।

ଆଜି ରାଜଧାନୀରେ ୨୧୩ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୨୯ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ସଂଖ୍ୟା କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଶୂନ ରହିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୨୯୨ ଓ ମୋଟ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୯୭୩ରେ ପହଞ୍ଚିଛି। ‌ଆକ୍ରାନ୍ତଙ୍କ ଅନୁପାତରେ ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା‌ କ୍ରମାଗତ ଭାବରେ କମୁଛି। ଗତକାଲି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୫୭ ରହିଥିବା ବେଳ‌େ ଆଜି ଏହି ସଂଖ୍ୟା ୩୩୦୮କୁ ଖସି ଆସିଛି।

ଅନ୍ୟପଟେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି। ଗତକାଲି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଥିବା ବେଳେ ଆଜି ମଧ୍ୟ ୨୧ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି। ଆଜି ଚିହ୍ନଟ ହୋଇଥିବା ୨୧୩ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆ ଓ ସହିଦନଗରରୁ ୧୩ ଜଣ, ଖଣ୍ଡଗିରି ଅଞ୍ଚଳରୁ ୧୧ଜଣ, ନୂଆପଲ୍ଲୀ ଅଞ୍ଚଳରୁ ୯ ଜଣ ଓ ଶୈଳଶ୍ରୀବିହାର ଓ ସୁନ୍ଦରପଦା ଅଞ୍ଚଳରୁ ୮ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର