ଭୁବନେଶ୍ୱର : ଆ କା ମା ବୈ... ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର...। ଏଥର ବି କାର୍ତ୍ତିକ ପୂର୍ଣ୍ଣିମାରେ ରାଜଧାନୀରେ ଥିବା ବିଭିନ୍ନ ଜଳାଶୟରୁ ଏ ସ୍ବର ଶୁଭିବନି। ଗତବର୍ଷ କରୋନା ପାଇଁ ବିଏମ୍‌ସି ବୋଇତ ବନ୍ଦାଣ ଉପରେ କଟକଣା ଜାରି କରିଥିବା ବେଳେ ଏଥର ବି ତାହା କାଏମ୍‌ ରହିଛି। ବିଏମ୍‌ସି ଆଜି ଗାଇଡ୍‌ଲାଇନ୍‌ ଜାରି କରି ରାଜଧାନୀରେ ବୋଇତ ବନ୍ଦାଣ ଉତ୍ସବକୁ ବାତିଲ୍‌ କରିଛି। କାର୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ଅବସରରେ ବିନ୍ଦୁସାଗର, ନଦୀକୂଳ ଓ ବିଏମ୍‌ସି ଅଞ୍ଚଳରେ ଥିବା ଜଳାଶୟଗୁଡ଼ିକରେ କେହି ଡଙ୍ଗା ଭସାଇ ପାରିବେ ନାହିଁ ବୋଲି ବିଏମ୍‌ସି ସ୍ପଷ୍ଟ କରିଛି। ଏଥିସହ ଉକ୍ତ ଦିନ ମନ୍ଦିରରେ ଠାକୁର ଦର୍ଶନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଫଳରେ ରାଜଧାନୀବାସୀ ଓ ଡଙ୍ଗା ତିଆରି କରି କିଛି ରୋଜଗାର କରୁଥିବା ବହୁ ବ୍ୟବସାୟୀ ନିରାଶ ହୋଇଛନ୍ତି।

Advertisment

ଆଜିଠାରୁ ପଞ୍ଚୁକ ଆରମ୍ଭ ହୋଇଥିବା ବେଳେ ୪ଟା ଦିନ ପରେ ବୋଇତ ବନ୍ଦାଣ। ଏହି ଦିନ ପୋଖରୀ/ନଦୀ କୂଳରେ ଓଡ଼ିଆମାନେ କଦଳୀ ପାଟୁଙ୍ଗା ବା ବୋଇତ ଭସାଇ ଅତୀତର ସ୍ମୃତିକୁ ଉଜାଗର କରିଥା’ନ୍ତି। ପୂର୍ବରୁ ଏହି ଦିନ ସାଧବମାନେ ବାଣିଜ୍ୟ କରି ଜାଭା, ସୁମିତ୍ରା, ବାଲି ଆଦି ସୁଦୂର ପ୍ରଦେଶକୁ ଯାଉଥିଲେ। ସେମାନେ ଯାଉଥିବା ବୋଇତକୁ ବନ୍ଦାପନା କରିବା ତଥା ବିଦାୟ ଦେବା ଉଦ୍ଦେଶ୍ୟରେ କେଉଁ ପ୍ରାଚୀନ କାଳରୁ ଏହି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଆସୁଛି। ଏଥିପାଇଁ ରାଜଧାନୀରେ ଡଙ୍ଗା ବିକ୍ରି ବେଶ୍‌ ଜମିଥାଏ। କିନ୍ତୁ ଚଳିତଥର ଏହି ବେପାର ମାନ୍ଦା ପଡ଼ିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।

୨୨ବର୍ଷ ଧରି ୧ ନମ୍ବର ହାଟରେ ଡଙ୍ଗା ବିକ୍ରି କରୁଥିବା ବିଜୟ କୁମାର ସାହୁ କହିଛନ୍ତି, ଗତବର୍ଷ ଡଙ୍ଗାଭସା ପର୍ବ ଉପରେ କଟକଣା ଲାଗିଥିଲା। ବେପାର ସମ୍ପୂର୍ଣ୍ଣ ଠପ୍‌ ହୋଇଗଲା। ଚଳିତବର୍ଷ ବି ସେଇ ଅବସ୍ଥା। ଆଗରୁ କାର୍ତିକ ପୂର୍ଣ୍ଣିମା ଆସିଲେ ରକମରକମର ଡଙ୍ଗା ଯଥା ହଂସ ଡଙ୍ଗା, ବୋଇତ ହଂସ, ଲଣ୍ଠନ ହଂସ, କାର୍ଟୁନ ଡଙ୍ଗା ଆଦି ବିଭିନ୍ନ ପ୍ରକାର ଡିଜାଇନ୍‌ର ଡଙ୍ଗା ପ୍ରସ୍ତୁତ କରି ଆଣୁଥିଲୁ। କାର୍ତିକ ପୂର୍ଣ୍ଣିମାର ୨ ଦିନରୁ ପୂର୍ବରୁ ଏହି ବ୍ୟବସାୟ ବେଶ୍‌ ଜମେ। ୩ ଦିନରେ ପ୍ରାୟ ୨୦ ହଜାର ଟଙ୍କାର ବେପାର ହୁଏ। କିନ୍ତୁ ୨ବର୍ଷ ହେଲା ତାହା ସ୍ବପ୍ନ ହୋଇଯାଇଛି। ଏଥର ବୋଇତ ବନ୍ଦାଣ ପାଇଁ ଅନୁମତି ମିଳିନଥିବାରୁ ବେଶି ଡଙ୍ଗା ତିଆରି କରିନାହୁଁ। ଅଳ୍ପ କିଛି ତିଆରି କରି ମାର୍କେଟ୍‌କୁ ଆଣିବୁ।