ଭୁବନେଶ୍ବର: ଆର୍ଥିକ ବର୍ଷ ସରି ଆସୁଥିବା ବେଳେ ବିଏମ୍‌ସିକୁ ରାଜସ୍ବ ଆଦାୟ କଥା ମନେ ପଡ଼ିଛି। କେଉଁଠୁ ରାଜସ୍ବ ଆସିବାର ସୁଯୋଗ ଅଛି? ଟାର୍ଗେଟ୍‌ ଅନୁସାରେ ହେଉଛି କି ନାହିଁ? ବର୍ଷ ଶେଷ ହେବାକୁ ଆଉ ମାତ୍ର ୨ ମାସ ଥିବା ବେଳେ ତନାଘନା ଆରମ୍ଭ ହୋଇଛି। ଯାହାକୁ ଯାହା ଟାର୍ଗେଟ୍‌ ଦିଆଯାଇଥିଲା, ତାହାର ସମୀକ୍ଷା କଲା ବେଳେ ବିଚିତ୍ର ତଥ୍ୟ ପଦାକୁ ଆସିଛି। ୨୭୭ କୋଟି ଟଙ୍କା ରାଜସ୍ବ ଆୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଯାବତ୍‌ ମାତ୍ର ୬୭ କୋଟି ଆଦାୟ ହୋଇଛି। ଯେଉଁ ହାରରେ ଆଦାୟ ହେଉଛି ବର୍ଷ ସରିବା ବେଳକୁ ତାହା ସର୍ବାଧିକ ୭୪ ‌କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଗୋଟିଏ ପଟେ ଅନାବଶ୍ୟକ ଖର୍ଚ୍ଚ ବଢ଼ି ଯାଉଥିବା ଅଭିଯୋଗ ହେଉଥିବା ବେଳେ ଏଭଳି ରାଜସ୍ବ ଆଦାୟ ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଇଛି।

Advertisment

ହୋଲ୍ଡିଂ ଟ୍ୟାକ୍ସ ଓ ଅନ୍ୟାନ୍ୟ, ରାଜସ୍ବକୁ ଏଭଳି ଦୁଇ ଭାଗରେ ବିଭକ୍ତ କରାଯାଇଛି। ହୋଲ୍ଡିଂ ଟାକ୍ସ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୨୦ କୋଟି ୨୪ ଲକ୍ଷ ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅନ୍ୟାନ୍ୟ ରାଜସ୍ବ ଲକ୍ଷ୍ୟ ରହିଥିଲା ୧୫୭ କୋଟି ୫୦ ଲକ୍ଷ। ଅନ୍ୟାନ୍ୟ ରାଜସ୍ବ ଆଦାୟ ଲକ୍ଷ୍ୟ ଠାରୁ ଢେର୍‌ କମ୍‌ ରହିଥିଲେ ମଧ୍ୟ ହୋଲ୍ଡିଂଟ୍ୟାକ୍ସ ଆଦାୟରେ ବିଏମ୍‌ସି ବହୁ ପଛରେ ରହିଛି। ତେଣୁ ଆଜି ବସିଥିବା ସମୀକ୍ଷା ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ଟ୍ୟାକ୍ସ କଲେକ୍ଟର(ଏବେ ୱାର୍ଡ ଅଫିସର)ଙ୍କ ଉପରେ ବର୍ଷିଛନ୍ତି। କିନ୍ତୁ ୱାର୍ଡ ଅଫିସରଙ୍କୁ ପରିମଳ, ଓଦା ଶୁଖିଲା ପୃଥକୀକରଣ ସଚେତନତା, ନାଳ ସଫା ତଦାରଖ, ସରକାରୀ ଯୋଜନା କାର୍ଡ ବଣ୍ଟନ, ଆରଡବ୍ଲୁଏ ମିଟିଂ, ମୋ ଟଏଲେଟ୍‌ କାର୍ଯ୍ୟକ୍ରମ, ବସ୍ତିରେ ସୀମା ଓ ଜମି ଚିହ୍ନଟୀକରଣ, ଘର ଘର ବୁଲି ସର୍ଭେ, ରୋଡ୍‌ମ୍ୟାପିଂ, ଭତ୍ତା ବଣ୍ଟନ, ଗଣ ସଫେଇ କାର୍ଯ୍ୟକ୍ରମ, ମଶାମରା ଅଭିଯାନ, ହକି ପାଇଁ ବିଭିନ୍ନ ‘ସିଟି ଆକ୍ଟିଭିଟିଜ୍‌’ କାମରେ ଲଗାଯାଇଛି।

ମଶାମରା ଅଭିଯାନରେ ମାତିଛନ୍ତି ୱାର୍ଡ ଅଫିସର
ଆୟକୁ ବଳିଗଲାଣି ବ୍ୟୟ

ବଡ଼କଥା ହେଉଛି ଗତ ବର୍ଷ ଏପ୍ରିଲ ମାସରେ ହୋଲ୍ଡିଂ ଟ୍ୟାକ୍ସ ୧୧କୋଟି ୯୮ ଲକ୍ଷ ଆଦାୟ ହୋଇଥିବା ବେଳେ ମେ’ରେ ୩ କୋଟି, ଜୁନ୍‌ରେ ୨ କୋଟି ୬୦ ଲକ୍ଷ, ଜୁଲାଇରେ ୨ କୋଟି ୧୦ ଲକ୍ଷ, ଅଗଷ୍ଟରେ ୧ କୋଟି ୨୩ ଲକ୍ଷ, ସେପ୍ଟେମ୍ବରରେ ୨ କୋଟି ୬୪ ଲକ୍ଷ, ଅକ୍ଟୋବରରେ ୧ କୋଟି ୪୬ ଲକ୍ଷ, ନଭେମ୍ବରରେ ୨ କୋଟି ୭୨ ଲକ୍ଷ ଓ ଡିସେମ୍ବରରେ ୨ କୋଟି ୫ ଲକ୍ଷ ଆଦାୟ ହୋଇଛି। ଅର୍ଥାତ୍‌ ଅପ୍ରେଲ ମାସ ପରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଆଶାନୁରୂପ ହୋଇ ନାହିଁ। କିନ୍ତୁ ୮ ମାସ ଧରି ଅଧିକାରୀମାନେ କଣ କରୁଥିଲେ? କାହିଁକି ସମୀକ୍ଷା କରି ରାଜସ୍ବ ଆଦାୟ ବୃଦ୍ଧି ପାଇଁ ପ୍ରୟାସ କରାଯାଇନଥିଲା? ‘ବାହାଘର ବେଳେ ବାଇଗଣ ରୁଆଁ’ ଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା? ଏବେ ଦାୟିତ୍ବରେ ଥିବା ୱାର୍ଡ ଅଫିସରଙ୍କ ଉପରେ ନା ସେମାନଙ୍କୁ ଅନ୍ୟ କାମରେ ଲଗାଇଥିବା ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ?

ଅନ୍ୟପଟେ ଖର୍ଚ୍ଚ ବୃଦ୍ଧିପାଉଛି। ପରିମଳ ଉପବିଭାଗରେ ହିସାବଠାରୁ ଅଧିକ ଖର୍ଚ୍ଚ ହେଉଛି। ନୂଆ କରି ଟେଣ୍ଡର ନେଇଥିବା ସଂସ୍ଥାମାନେ ସଫେଇ କରିପାରୁନଥିବାରୁ ବିଏମ୍‌ସି ଅତିରିକ୍ତ ଗାଡ଼ି ଲଗାଇ ଆବର୍ଜନା ଉଠାଉଛି। ଏଥିରେ ଲକ୍ଷ ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚ ହେଉଛି। ସେହିଭଳି ଯୋଜନା ନଥାଇ ବିଏମ୍‌ସି ୱାର୍ଡ ଅଫିସ ନିର୍ମାଣ କରିବା ପାଇଁ ଅଣ୍ଟା ଭିଡ଼ିଛି। ଗୋଟିଏ ୱାର୍ଡ ଅଫିସ୍‌ ନିର୍ମାଣରେ ୫୦ ଲକ୍ଷ ହିସାବରେ ୬୭ ୱାର୍ଡ ଅଫିସ୍‌ ନିର୍ମାଣ ହେବାକୁ ଯାଉଛି। ହେଲେ ରାଜସ୍ବ ଆଦାୟ ଦିଗରେ କେହି ମୁଣ୍ଡ ପୁରାଉ ନାହାନ୍ତି। ଦାୟିତ୍ବରେ ଥିବା ବଡ଼ ବଡ଼ ଅଫିସର ୱାର୍ଡ ଅଫିସରଙ୍କ ମୁଣ୍ଡରେ ସବୁ ଦୋଷ ଲଦି ଖସି ଯିବାକୁ ବସିଛନ୍ତି। ଆସନ୍ତା ଶୁକ୍ରବାର ପୁଣି ଥରେ ସମୀକ୍ଷା ହେବାକୁ ଯାଉଛି। ସବୁ ୱାର୍ଡ ଅଫିସରଙ୍କୁ ପୁଣି ଥରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାସ ମାସ ଧରି ଯେଉଁଠି ଆଦାୟ ଆଶାନୁରୂପ ହୋଇ ପାରିନି ୬ ଦିନରେ କଣ ହେବ ସେ ନେଇ ପ୍ରଶ୍ନ ଉଠିଛି।