ଭୁବନେଶ୍ବର: ଆର୍ଥିକ ବର୍ଷ ପୂରିବାକୁ ବସିଲାଣି। ହେଲେ ରାଜସ୍ବ ଆଦାୟ ଧାର୍ଯ୍ୟ ଲକ୍ଷ୍ୟର ଚଉଠେ ବି ଆଦାୟ ହୋଇନି। ଏଣୁ ବିଏମ୍ସିର ରାଜସ୍ବ ଚିନ୍ତା ବଢ଼ିଛି। ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ୍ ଲାଇସେନ୍ସ ଆଦାୟ ବ୍ୟବସ୍ଥା କେବଳ ଅନ୍ଲାଇନ୍ରେ ହେବା ପରେ ଲୋକମାନେ ସ୍ବତଃପୂର୍ତ୍ତ ଭାବରେ ଟ୍ୟାକ୍ସ ଦେଉ ନାହାନ୍ତି। ଏଣୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ମାନସ ମନ୍ଥନ ହେବା ପରେ ଘର ଘର ବୁଲି ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ୍ ଲାଇସେନ୍ସ ଫି’ ଆଦାୟ କରିବାକୁ ୱାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଦିନ ରାଜସ୍ବ ସଂଗ୍ରହ ବିବରଣୀ ବିଏମ୍ସିରେ ଦାଖଲ କରୁଛନ୍ତି। ଘର ଘର ବୁଲି ହୋଲ୍ଡିଂ ଟ୍ୟାକ୍ସ ଆଦାୟ, ପୁନଃଆକଳନ ଓ ନୂଆ ଆକଳନ କରିବା ବେଳେ ଅନିୟମିତତା ହେବାରୁ ଏହି ଅନ୍ଲାଇନ୍ ଆଦାୟ କଥା ଚିନ୍ତା କରାଯାଇଥିଲା। ୱାର୍ଡ ଅଫିସର ନୂଆ ଆକଳନ କଲାବେଳେ ଟ୍ୟାକ୍ସ କମାଇ ଦେବା ପାଇଁ ମୋଟା ଅଙ୍କର ଲାଞ୍ଚ କାରବାର ହେଉଥିଲା। ନିକଟ ଅତୀତରେ ଦୁଇଜଣ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ମଧ୍ୟ ଧରା ପଡ଼ିଥିଲେ। ଏବେ ବିଏମ୍ସି ପୁରୁଣା ଧାରାକୁ ଫେରିଥିବାରୁ ପୁଣି ଲାଞ୍ଚ କାରବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଶ୍ନ ଉଠିଛି ରାଜସ୍ବ ଚିନ୍ତାରେ ଏଭଳି କରାଯାଇଛି ନା ୱାର୍ଡ ଅଫିସରଙ୍କ ଜରିଆରେ ବରିଷ୍ଠ ଅଧିକାରୀମାନେ ପୂର୍ବ ଭଳି ହାତ ଚିକ୍କଣ କରିବାକୁ ଯୋଜନା କରିଛନ୍ତି?
ଚଳିତ ଆର୍ଥିକ ବର୍ଷ(୨୦୨୨-୨୩) ପାଇଁ ୧୨୦ କୋଟି ୨୪ ଲକ୍ଷ ୧୧ ହଜାର ୮୭୭ ଟଙ୍କା ରାଜସ୍ବ ଆୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜାନୁଆରି ସୁଦ୍ଧା ମାତ୍ର ୩୦ କୋଟି ୫୯ ଲକ୍ଷ ୭୫ ହଜାର ୨୩୭ ଟଙ୍କା ଆଦାୟ ହୋଇଥିଲା। ଯାହାକୁ ନେଇ ତନାଘନା ହୋଇଥିଲା। କେବଳ ଅନ୍ଲାଇନ୍ରେ ଆଦାୟ ପାଇଁ ବ୍ୟବସ୍ଥା ଥିବାରୁ ଲୋକମାନେ ସ୍ବତଃପ୍ରବୃତ୍ତ ଭାବରେ କର ଦେଉନଥିଲେ। ଏଣୁ ନିୟମିତ ବୈଠକ ବସିବା ସହ ୱାର୍ଡ ଅଫିସରମାନଙ୍କୁ ପିଓଏସ୍ ମେସିନ୍ ଦିଆଯାଇ ଘରକୁ ଘର ବୁଲି ଆଦାୟ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ଚଳିତ ମାସ ୧୩ ତାରିଖ ଠାରୁ ୱାର୍ଡ ଅଫିସରମାନେ ଘର ଘର ବୁଲି ଆଦାୟ କରିବା ଆରମ୍ଭ କରିଛନ୍ତି। ଉତ୍ତର ଜୋନ୍ରେ ସବୁଠାରୁ ଅଧିକ ହୋଲ୍ଡିଂ ଟ୍ୟାକ୍ସ ରହିଥିବାରୁ ଏହି ଜୋନ୍କୁ ପ୍ରାଥମିକତା ଦିଆଯାଇଛି। କିନ୍ତୁ ଏଠାରେ ରହିଥିବା ବିବାଦୀୟ ବଡ଼ ବଡ଼ ପ୍ରତିଷ୍ଠାନଗୁଡ଼ିକରୁ ଏ ଯାବତ୍ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇ ନାହିଁ କିମ୍ବା ଆକଳନ ମଧ୍ୟ ହୋଇନାହିଁ।
ଏବେ ଦିନକୁ ୫ ଲକ୍ଷରୁ ୬ଲକ୍ଷ ଟଙ୍କା ଆଦାୟ ହେଉଛି। ପ୍ରାୟ ୬୦ ଟି ନୂଆ ଓ ୧୦ରୁ ଊର୍ଦ୍ଧ୍ବ ପୁନଃ ଆକଳନ ହେଉଛି। ଉଭୟ କ୍ଷେତ୍ରରେ ଅନିୟମିତତା ଆଶଙ୍କା ରହିଛି। ନୂଆ ଆକଳନ କଲା ବେଳେ ୱାର୍ଡ ଅଫିସରମାନେ ଲାଞ୍ଚ ନେଇ ଟ୍ୟାକ୍ସ କମାଇ ଦିଅନ୍ତି। ଯେଉଁଠି ବର୍ଷକୁ ୧ ଲକ୍ଷ ହେବା କଥା ସେଠାରେ ୩୦ରୁ ୪୦ ହଜାର ଦେଖାଇ ମୋଟା ଅଙ୍କର ହାତଗୁଞ୍ଜା ନିଅନ୍ତି। ଏଥିରେ ଅଫିସରମାନଙ୍କର ମଧ୍ୟ ଭାଗ ରହିଥାଏ। କିନ୍ତୁ ଧରାପଡ଼ିବା ବେଳେ ୱାର୍ଡ ଅଫିସର ହିଁ ଧରାପଡ଼ନ୍ତି। ପୂର୍ବରୁ ଲାଞ୍ଚ ନେଇ ୱାର୍ଡ ଅଫିସର ଭିଜିଲାନ୍ସ ହାତରେ ଧରାପଡ଼ିବା ରେକର୍ଡ ରହିଛି। ୱାର୍ଡ ଅଫିସର ଦୁର୍ନୀତି ଅଭିଯୋଗରେ ଏଠାରୁ ବଦଳି ହେବା ମଧ୍ୟ ରେକର୍ଡ ରହିଛି। ଯେଉଁଥିପାଇଁ ଅନ୍ଲାଇନ୍ ବ୍ୟବସ୍ଥା କରାଯାଇଥିଲା ତାହା ଏବେ ଫୁସ୍କି ଯାଇଛି। ପୂର୍ବଭଳି ହାତଗୁଞ୍ଜା କାରବାର ଚାଲିଥିବା ନେଇ ଅଭିଯୋଗ ହୋଇଛି।
ବିଏମ୍ସିର କହିବା କଥା, ଲୋକମାନେ ଯାଚିକି ଦେଉ ନାହାନ୍ତି। ଯିଏ ଦେଲା ନାହିଁ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ମଧ୍ୟ ପୌର ଆଇନ୍ରେ ନାହିଁ। ଏଭଳି ହେଲେ ରାଜସ୍ବ ଲକ୍ଷ୍ୟ ପୂରଣରେ ବିଏମ୍ସି ଢେର୍ ପଛରେ ରହିଯିବ। ଏଣୁ ଏଭଳି ବ୍ୟବସ୍ଥା କରାଯାଇଛି। ଲାଞ୍ଚ ନେଇ କେହି ଯଦି ବାସ୍ତବ ଆକଳନରୁ କମ୍ କରିଥିବା ଯଦି ଅଭିଯୋଗ ତେବେ କାର୍ଯ୍ୟାନୁଷ୍ଠାନ ହେବ।