ମନ୍ଦିର ପାଖରେ ବୁଲିଲା ଘଣ୍ଟା ଗାଡ଼ି, ବ୍ୟବସାୟୀଙ୍କ ବିରୋଧ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର କଡ଼ରେ ଆଜି ବିଏମ୍‌ସି ପକ୍ଷରୁ ଘଣ୍ଟା ଗାଡ଼ି ବୁଲାଯାଇଛି। ମନ୍ଦିର ଚତୁଷ୍ପାର୍ଶ୍ବରେ ଥିବା ଉଠା ଦେକାନୀଙ୍କୁ ଉଠିଯିବାକୁ ଏଥିରେ ସୂଚନା ଦିଆଯାଇଛି। ତେବେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିଏମ୍‌ସି କର୍ମଚାରୀଙ୍କ ସହ ବ୍ୟବସାୟୀଙ୍କ ଯୁକ୍ତିତର୍କ ହୋଇଛି। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ବିଏମ୍‌ସି ଘଣ୍ଟା ଗାଡ଼ି ଆସି ଜବରଦଖଲ ଉଚ୍ଛେଦ ପାଇଁ ସୂଚନା ପ୍ରଦାନ କରିଥିଲା। ହକି ବିଶ୍ବକପ୍‌ ପାଇଁ ଆସୁଥିବା ପର୍ଯ୍ୟଟକ ଏହି ରାସ୍ତାରେ ଯାତାୟାତ କରିବାକୁ ଥିବାରୁ ଏଠାରୁ ଜବରଦଖଲ ଉଚ୍ଛେଦ ହେବ ବୋଲି ବିଏମ୍‌ସି କର୍ମଚାରୀମାନେ କହିଥିଲେ। ଏ ନେଇ ପୁରୁଣା ଭୁବନେଶ୍ବର ବ୍ୟବସାୟୀ ସଂଘ ସମ୍ପାଦକ ବାବା ମହାପାତ୍ର କହିଥିଲେ, ଦୋକାନୀମାନେ ମନ୍ଦିର ପ୍ରଶାସନକୁ ଦୈନିକ ମହାସୁଲ ଦେବା ସହ ପାର୍କିଂ ଫି’ ମଧ୍ୟ ଦେଉଛନ୍ତି। ତେବେ ରାସ୍ତା ଉପରେ କେହି ବସିବେ ନାହିଁ। ଦୋକନୀମାନଙ୍କ ପେଟପାଟଣାକୁ ବିଏମ୍‌ସି ନବୁଝିଲେ ପରିସ୍ଥିତି ଅଣାୟତ ହେଲେ ପ୍ରଶାସନ ଦାୟୀ ରହିବ ବୋଲି ବ୍ୟବସାୟୀମାନେ କହିଥିଲେ। ତେବେ କିଛି ସମୟ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏ ସଂପର୍କରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ କର୍ପୋରେଟର୍‌ କିଛି ଜାଣି ନଥିବା କହିଥିଲେ।

ସମ୍ବନ୍ଧିତ ଖବର