୫ ମାସରେ ୧୩୦ କୋଟି ଟାର୍ଗେଟ୍

ବିଏମ୍‌ସିର ୭ମାସରେ ମାତ୍ର ୨୦କୋଟି ଆୟ, ୧୫୦କୋଟିରୁ ଅଧିକ ରାଜସ୍ୱ ଆଦାୟ କରିବୁ: କମିସନର୍‌

ଭୁବନେଶ୍ୱର : କରୋନା ଜାଲରେ ବିଏମ୍‌ସି ଫସି ଯାଇଥିବା ବେଳେ ଏବେ ଏଥିରୁ ବାହାରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ବିଏମ୍‌ସିର ରାଜସ୍ବ ଆୟ ଭୁଶୁଡ଼ି ପଡ଼ିଥିବାରୁ ଭୁବନେଶ୍ବରରେ କିଛି ବଡ଼ ପ୍ରକଳ୍ପ ହୋଇପାରୁନି। ଏପରିକି ଆଗାମୀ ଦିନରେ ବିଏମ୍‌ସି ନୂ୍ଆ ପ୍ରକଳ୍ପ କରିବା ସ୍ଥିତିରେ ନାହିଁ। ତେଣୁ ଚଳିତ ଆର୍ଥିକ ବର୍ଷର ବାକି ୫ ମାସରେ ବିଏମ୍‌ସି ନିଜ ସ୍ଥିତି ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି। କରୋନା ପ୍ରକୋପ ସତ୍ତ୍ବେ ବିଏମ୍‌ସି ୧୩୦ କୋଟିର ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍ ରଖିଛି।

ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ରାଜସ୍ବ ଅଭାବ ଯୋଗୁଁ ବିଭିନ୍ନ ବିଭାଗକୁ ଅର୍ଥ ଦିଆଯାଉନି। ବିଏମ୍‌ସିକୁ ବି କୌଣସି ନୂଆ ପ୍ରକଳ୍ପ ପାଇଁ ଟଙ୍କା ମିଳିବାର ନାହିଁ। ବିଏମ୍‌ସିର ବି ରାଜସ୍ବ ଆଦାୟ ହେଉନି। କେବଳ କିଛି ହୋଲଡିଂ ଟିକସ, ଲାଇସେନ୍ସ ଫି’ ଏବଂ ଜରିମାନା ବାବଦକୁ ଯାହା କିଛି ଆୟ ହେଉଛି। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୭ ମାସରେ ମାତ୍ର ୨୦କୋଟି ଆଦାୟ ହୋଇଛି। ତେଣୁ ବାକି ୫ ମାସରେ ୧୩୦କୋଟି ରାଜସ୍ବ ଆଦାୟ କରିବାକୁ ଯୋଜନା କରୁଛି।

ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଆମେ ସଫଳତାର ସହ କରୋନା ମୁକାବିଲା କଲୁ। କରୋନା ପାଇଁ ଆମେ ରାଜସ୍ବ ଆଦାୟକୁ ଅଧିକ ଧ୍ୟାନ ଦେଇପାରିଲୁନି। କିନ୍ତୁ ଏବେ କିପରି ୧୫୦ କୋଟି ରାଜସ୍ବ ଆଦାୟ ହେବ ସେନେଇ ଧ୍ୟାନ ଦେବୁ। ଏଥର ନିଶ୍ଚିତ ଆମେ ରେକର୍ଡ ରାଜସ୍ବ ଆଦ‌ାୟ କରିବୁ। ବିଗତ ବର୍ଷଗୁଡ଼ିକରେ ଯେତିକି ରାଜସ୍ବ ଆଦାୟ ହୋଇନି, ତାହାଠାରୁ ଅଧିକ ରାଜସ୍ବ ଏଥର ଆଦାୟ ହେବ। ଏନେଇ ଖୁବ୍‌ଶୀଘ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଗତବର୍ଷ ଯେପରି ଶେଷ ତିନି ମାସରେ ଆମେ ରେକର୍ଡ ରାଜସ୍ବ ଆଦାୟ କଲୁ, ଏଥର ବି ସେମିତି ରଣନୀତି ପ୍ରସ୍ତୁତ କରିବୁ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୭ ମାସରେ ବିଏମ୍‌ସି ମାତ୍ର ୨୦କୋଟି ଆୟ କରିଛି। ଏଥିରୁ ପ୍ରାୟ ୮ କୋଟି ହୋଲଡିଂ ଟିକସ ବାବଦକୁ ଆସିଥିବା ବେଳେ ବାକି ପ୍ଲାନ୍‌ ଆବେଦନ ଫି’, ଟ୍ରେଡ୍‌ ଲାଇସେନ୍ସ, ପାର୍କିଂସ୍ଥଳୀ ନିଲାମ ବାବଦ ଫି’, ଏନ୍‌ଓସି, ବିଭିନ୍ନ ସମ୍ପତ୍ତି ଭଡ଼ାରୁ ମିଳିଛି। ତେଣୁ ଆଗାମୀ ଦିନରେ ହୋଲଡିଂ ଟିକସ ଆଦାୟ କଡ଼ାକଡ଼ି ହେବ, ‌ସବୁ ବ୍ୟବସାୟୀ ଟ୍ରେଡ୍‌ ଲାଇସେନ୍ସ ନେଇଛନ୍ତି କି ନାହିଁ, ଖାଦ୍ୟ ଦୋକାନଗୁଡ଼ିକ ପାଇଁ ଫୁଡ୍‌ ଲାଇସେନ୍ସ କରିଛନ୍ତି କି ନାହିଁ, ଯାଞ୍ଚ କରାଯିବ। ଯେଉଁମାନେ ଲାଇସେନ୍ସ କରି ନଥିବେ ଜରିମାନା ଆଦାୟ କରାଯିବ। ପାର୍କିଂସ୍ଥଳୀ ନିଲାମ, ହୋର୍ଡିଂ ନିଲାମ ତ୍ବରାନ୍ବିତ କରାଯିବ।

ବିଏମ୍‌ସି ଏପ୍ରିଲରୁ ନଭେମ୍ବର ମଧ୍ୟରେ ୭ ମାସରେ ପ୍ରାୟ ୪୦ କୋଟି ରାଜସ୍ବ ଆଦାୟ କରିଥାଏ। ଏଥିରେ ପ୍ରାୟ ୧୨ କୋଟି ଟଙ୍କା ହୋଲଡିଂ ଟିକସ ବାବଦକୁ ଆସିଥାଏ। କିନ୍ତୁ ଏଥର ଏହାର ପ୍ରାୟ ଅଧା ଆଦାୟ ହୋଇଛି। ଲୋକମାନେ ରିବେଟ୍‌ ପାଉଥିବାରୁ ଆଗୁଆ ହୋଲଡିଂ ଟିକସ ଦେଇ ଦେଇଛନ୍ତି। ଡିସେମ୍ବରରୁ ମାର୍ଚ୍ଚ ଭିତରେ ବିଏମ୍‌ସି ପ୍ରାୟ ୬୦ରୁ ୭୦କୋଟି ରାଜସ୍ବ ଆଦାୟ କରିଥାଏ। ତେଣୁ ବିଏମ୍‌ସି କମିସନର ଯେଉଁ ଟାର୍ଗେଟ୍‌ ରଖିଛନ୍ତି,‌ ସେନେଇ ଠିକ୍‌ ରଣନୀତି ପ୍ରସ୍ତୁତ ହେଲେ ଏହା ସମ୍ଭବ ହୋଇପାରିବ।

ଅପରପକ୍ଷେ ବିଏମ୍‌ସିର ଅର୍ଥ ନଥିବାରୁ ଏବେ କେବଳ ଅତି ଜରୁରୀ କାମ ହେଉଛି। ବର୍ଷା ଜନିତ ଜଳବନ୍ଦୀ ମୁକାବିଲା ଏବଂ ବସ୍ତିବାସିନ୍ଦାଙ୍କୁ ରୋଜଗାର ଦେବା ପାଇଁ ଯାହା ଅର୍ଥ ଖର୍ଚ୍ଚ କରାଯାଉଛି। ଏପଟେ ଏଥର ରାଜଧାନୀର ୬୭ଟି ଯାକ ୱାର୍ଡରେ ୬୦ ଲକ୍ଷ ଲେଖାଏଁ ଖର୍ଚ୍ଚ କରିବାକୁ ଯୋଜନା ହୋଇଥିଲେ ହେଁ ଅର୍ଥ ନଥିବାରୁ ପ୍ରତି ୱାର୍ଡରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ ଗତ ଆର୍ଥିକ ବର୍ଷର ବଳକା ତଥା ଚଳିତ ଆର୍ଥିକ ବର୍ଷର ଓପନିଂ ବାଲାନ୍ସ ୭୧ କୋଟି ୮୪ ଲକ୍ଷ ୪୫ ହଜାର ୪୪୪ ଟଙ୍କାରୁ ବିଭିନ୍ନ ଯୋଜନା ବାବଦକୁ ଅର୍ଥ ଖର୍ଚ୍ଚ କରୁଛନ୍ତି।

ବିଏମ୍‌ସି ଚଳିତବର୍ଷ ଡ୍ରେନ୍‌ ନିର୍ମାଣ ବାବଦକୁ ୧୪୮ କୋଟି ୨୯ଲକ୍ଷ, ଡ୍ରେନ୍ କାନ୍ଥ ମରାମତି ବାବଦକୁ ୫୦ କୋଟି , ରାସ୍ତା ମରାମତି ପାଇଁ ୪୦.୫୬ କୋଟି, କମ୍ପୋଷ୍ଟ ପ୍ଳାଣ୍ଟ ନିର୍ମାଣ ବାବଦକୁ ୯୯କୋଟି ୧୪ଲକ୍ଷ ଟଙ୍କା, ସଫେଇ ବାବଦକୁ ପ୍ରାୟ ୬୦ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଟଙ୍କା ନଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଛନ୍ତି।

ସୂଚନାଯୋଗ୍ୟ, ବିଏମ୍‌ସି ଚଳିତ ବର୍ଷ ପାଇଁ ୭୬୮ କୋଟି ୭୯ ଲକ୍ଷ ୭ ହଜାର ୫୯୧ ଟଙ୍କାର ବଜେଟ୍‌ କରିଥିବା ବେଳେ ଏଥିପାଇଁ ବିଭିନ୍ନ ଅନୁଦାନ ଓ ନିଜସ୍ବ ଆୟକୁ ମିଶାଇ ମୋଟ୍‌ ୬୯୬ କୋଟି ୯୪ ଲକ୍ଷ ୬୨ ହଜାର ୧୪୭ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ କରୋନା ମହାମାରୀ ମାର୍ଚ୍ଚ ମାସରୁ ଭୁବନେଶ୍ବରରେ ପଶିବା ପରେ ସବୁ ଓଲଟପାଲଟ ହୋଇଯାଇଛି।

ସମ୍ବନ୍ଧିତ ଖବର