ଭୁବନେଶ୍ବର: ଡେଙ୍ଗୁ ନିୟନ୍ତ୍ରଣ ପାଇଁ କଠୋର ହୋଇଛି ବିଏମ୍‌ସି। ଏଣିକି କେଉଁ ଡାକ୍ତର, ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର କେତେ ଘରକୁ ଗଲେ, କେଉଁ କେଉଁ ଅଞ୍ଚଳ ବୁଲିଲେ, ସେବୁର ଦୈନିକ ରିପୋର୍ଟ ବିଏମ୍‌ସିରେ ଉପସ୍ଥାପନ କରିବେ। ଦୈନିକ କେଉଁ କେଉଁ ସ୍ଥାନରେ ମଶାଧୂଆଁ ଦିଆଯାଉଛି ଓ ମଶାତେଲ ସିଞ୍ଚନ କରାଯାଉଛି, ଅପରାହ୍ନ ୫ଟା ପରେ କ୍ଷେତ୍ର ପରିଦର୍ଶନ କରି ୱାର୍ଡ ଅଫିସରମାନେ ରିପୋର୍ଟ ଦେବେ। ବୁଦା କାଟିବା, ବର୍ଜ୍ୟ ଉଠାଇବା ଠିକ୍‌ ଭାବେ ହେଉଛି କି ନାହିଁ ତାହାର ରିପୋର୍ଟ ଦେବେ। ଏ ସବୁର ଜେଡ୍‌ଡିସି ନିଜ ନିଜ ଜୋନ୍‌ର ସମୀକ୍ଷା କରିବା ସହ କମିସନରଙ୍କୁ ରିପୋର୍ଟ କରିବେ। ଆଜି ବିଏମ୍‌ସିରେ ବସିଥିବା ଏକ ସମୀକ୍ଷା ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଏ ଯାବତ୍‌ କେଉଁ ଡାକ୍ତର କେତେ ଘର, କେତେ ବିଦ୍ୟାଳୟ, କେଉଁ କେଉଁ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଛନ୍ତି, କମିସନର ତାହାର ସମୀକ୍ଷା କରିଥିଲେ। ବିଦ୍ୟାଳୟରେ ଡେଙ୍ଗୁ ସଚେତନତା ଓ ରବିବାର ଡ୍ରାଏ ଡେ’ ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ। କର୍ପୋରେଟରଙ୍କ ନେତୃତ୍ୱରେ ସମ୍ପୃକ୍ତ ୱାର୍ଡରେ ସଚେତନତା ପଦଯାତ୍ରା କରିବାକୁ କୁହାଯାଇଥିଲା। ଦରକାର ପଡ଼ିଲେ ଅକ୍ଟୋବର ମାସରେ ମଧ୍ୟ ଡେଙ୍ଗୁ ସଚେନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି। ସେହିଭଳି ସହରରେ ଥିବା ଗଛ ଓ ଖୁଣ୍ଟ ତଳେ କୌଣସି ପ୍ରକାରର ଅଳିଆ ବା ବୁଦା ରହିବ ନାହିଁ। ପୂର୍ବରୁ ଓ ସଫା ପରର ଫଟୋ ଆଣି ନିଶ୍ଚିତ କରିବାକୁ କୁହାଯାଇଛି। ଏଭଳି ହେଲେ ସହର ସ୍ବଚ୍ଛ ହୋଇ ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଏଡିୟୁ ପିଏଚ୍‌ଓ ଡା. ସୁମନ ସୁନ୍ଦରାୟ, ମୁଖ୍ୟ ପୌରସ୍ବାସ୍ଥ୍ୟାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ, ସିଟି ହେଲ୍ ଅଫିସର ଡା. ଦୀପକ ବିଶୋଇଙ୍କ ସମେତ ବିଭିନ୍ନ ମେଡିକାଲର ଡାକ୍ତର, ଜେଡ୍‌ଡିସି, ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର, ସ୍ୱଚ୍ଛ ସୁପରଭାଇଜର ବୈଠକରେ ଉପସ୍ଥିତ ଥିଲେ। ବିଭିନ୍ନ ସଚେତନତା ଓ ଡେଙ୍ଗୁ ଦମନ କାର୍ଯ୍ୟକ୍ରମ ସତ୍ତ୍ବେ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏନେଇ ନିୟମିତ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଡାକ୍ତରମାନେ ଘର ଘର ବୁଲିବାର ଦୈନିକ ରିପୋର୍ଟ ଦେବା ଓ ୱାର୍ଡ ଅଫିସରମାନେ ଧୂଆଁ ଦିଆ ସରିବା ପରେ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବା ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି।

୩ ହଜାର ଡେଇଁଲା ଡେଙ୍ଗୁ
ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ୩୦୬୪ ଆକ୍ରାନ୍ତ ଚିହ୍ନଟ ହେଲେଣି। ଚଳିତ ବର୍ଷ ଜାନୁଆରିରେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଫେବ୍ରୁଆରିରେ ୫, ମାର୍ଚ୍ଚ ଓ ଅପ୍ରେଲ୍‌ରେ ୨ ଲେଖାଏଁ, ମେ’ରେ ୧୭, ଜୁନ୍‌ରେ ୧୦୩, ଜୁଲାଇରେ ୫୪୧, ଅଗଷ୍ଟରେ ୧୯୩୭ ଓ ସେପ୍ଟେମ୍ବର‌ରେ ୨୨ ତାରିଖ ସୁଦ୍ଧା ୨୫୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆ ଅଞ୍ଚଳରେ ସର୍ବାଧିକ ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇ ରେଡ୍‌ଜୋନ୍‌ ତାଲିକାର ଶୀର୍ଷରେ ରହିଛି। ପରେ ପରେ ସହିଦନଗର(୨୪୭), ନୂଆପଲ୍ଲୀ(୧୬୨), ଆଇଆର୍‌ସି ଭିଲେଜ୍‌(୧୬୧), ୟୁନିଟ୍‌-୯(୧୪୦), ସତ୍ୟନଗର(୧୨୨), ଆଚାର୍ଯ୍ୟବିହାର (୧୧୯), ପୁରୁଣା ଭୁବନେଶ୍ବର(୯୫), ୟୁନିଟ୍‌-୬(୭୫), ଲକ୍ଷ୍ମୀସାଗର(୬୮) ଓ ଚନ୍ଦ୍ରଶେଖରପୁର(୬୬) ରେଡ୍‌ ଜୋନ୍‌ରେ ରହିଛି। ଆଜି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଭୁବନେଶ୍ବରରେ ସମଗ୍ର ଜିଲ୍ଲାର ୬୦ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି।