ଭୁବ‌ନେଶ୍ବର: ମୁଣ୍ଡବ୍ୟଥାର କାରଣ ସାଜିଲାଣି ଗ୍ରିନ୍‌ ଗାର୍ବେଜ୍‌ ବା ସବୁଜ ବର୍ଜ୍ୟ। ଅଦରକାରୀ ଗଛ, ଡାଳ, ପତ୍ରସବୁକୁ ଉଠାଇବା ପାଇଁ ବିଏମ୍‌ସି ଦେୟ ଧାର୍ଯ୍ୟ କରିଛି। ଟଙ୍କା ଦେଇ ‘ସଫା ଆପ୍‌’ରେ ବୁକିଂ କରିବା ପରେ ବିଏମ୍‌ସି ଏହି ଆବର୍ଜନା ସବୁ ଉଠାଉଛି। ଗତ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମାସ ପାଇଁ ବିଏମ୍‌ସି ଏହି ସୁବିଧା ମାଗଣାରେ ଉପଲବ୍ଧ କରାଇଥିଲା। ଏବେ ଏହି ସେବା ଦେୟଯୁକ୍ତ ହୋଇଛି। କିନ୍ତୁ ସତ କଥା ହେଉଛି, ଘରୁ ବାହାରୁ ଥିବା ଗଛର ଡାଳ, ପତ୍ର ପାଇଁ ଲୋକେ ଟଙ୍କାଟିଏ ଖର୍ଚ୍ଚ କରିବାକୁ ଚାହୁନାହାନ୍ତି, ରାସ୍ତା କଡ଼ରେ ଜମା କରି ଦେଉଛନ୍ତି। ପୂଜା‌ ପାଇଁ ଅପରାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ ପ୍ରବଳ ଭିଡ଼ ହେଉଥିବାରୁ ରାସ୍ତାକଡ଼ରେ ଗଦା ହୋଇ ରହୁଥିବା ଏହି ସବୁଜ ବର୍ଜ୍ୟ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ବିଏମ୍‌ସିର ୬୭ ୱାର୍ଡକୁ ୧୦ଟି ପ୍ୟାକେଜ୍‌ କରି ଯେଉଁ ସଫେଇ ଟେଣ୍ଡର କରାଯାଇଛି, ସେଥିରେ ଏହି ସବୁଜ ବର୍ଜ୍ୟ ଉଠାଇବା ବ୍ୟବସ୍ଥା ନାହିଁ। ୪ ବର୍ଷ ତଳେ ପରିମଳ ବ୍ୟବସ୍ଥା‌ରେ ୫୦ କୋଟି ଥିବା ବେଳେ ଏବେ ୧୦୦ କୋଟି ଛୁଇଁଲାଣି। ତଥାପି ଆବର୍ଜନା ଉଠାଇବା ପାଇଁ ଲୋକଙ୍କୁ ପଇସା ଦେବାକୁ ପଡ଼ୁଛି। ଏହାକୁ ‌ନେଇ ବିଭିନ୍ନ ମହଲରେ‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୟୁନିଟ୍‌-୩ ଅଞ୍ଚଳର ଜଣେ ସରକାରୀ କର୍ମଚାରୀ କହିଛନ୍ତି, ‘‘କ୍ବାର୍ଟର୍ସ ଭିତରେ ଯେଉଁ ଗଛସବୁ ରହିଛି, ସେଥିରୁ ପ୍ରତ୍ୟେକ ଦିନ ଆବର୍ଜନା ବାହାରୁଛି। ସେଗୁଡ଼ିକ କିନ୍ତୁ ସଫେଇ ଗାଡ଼ି ନେଉନାହିଁ, ସଫା ଆପ୍‌ରେ ବୁକିଂ କରିବାକୁ କହୁଛି। ବୁକିଂ କଲେ ଅତି କମ୍‌ରେ ୭୫୦ ଟଙ୍କା ଖର୍ଚ୍ଚ ଦେଖାଉଛି। ଖଣ୍ଡେ ଦି’ ଖଣ୍ଡ ଡାଳ ପାଇଁ ଆମେ ୭୫୦ ଟଙ୍କା ଖର୍ଚ୍ଚ କରିବୁ? ଯାହା ପୁଣି ଆମ ସମ୍ପତ୍ତି ନୁହେଁ!’’ ଏଣୁ କିଛି ଲୋକ ଗଛ କାଟି ଦେଉଛନ୍ତି, ଆଉ କିଛି ଲୋକ ଡାଳ ନେଇ ବାହାରେ ଫିଙ୍ଗି ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି।

Advertisment

ୟୁନିଟ୍‌-୪ର ଜଣେ ବରିଷ୍ଠ ନାଗରିକ ସମ୍ପଦ ମୁଦୁଲି କହନ୍ତି, ‘‘ପରିମଳ ବ୍ୟବସ୍ଥାରେ ଏତେ ଟଙ୍କା ଖର୍ଚ୍ଚ ହେଉଛି, ତାହା ପୁଣି ଆମମାନଙ୍କର ଟିକସ ଅର୍ଥରେ। କାହାର ବାହାଘର ବ୍ରତ ଘର ହେଲା ଓ ଆବର୍ଜନା ବାହାରିଲା ସେଥିପାଇଁ ଟଙ୍କା ଦେଲୁ, ଠିକ୍‌ ଅଛି। କିନ୍ତୁ ଗଛରୁ କୋଉଠି ଡାଳ ପତ୍ର ବାହାରିଲା ତା‘ପାଇଁ ପଇସା ଦେବା ଯୁକ୍ତିଯୁକ୍ତ ହେଉନି। ବରଂ ଗଛସବୁ କାଟିଦେବା ଭଲ।’’ କେବଳ ଶ୍ରୀ ମୁଦୁଲି ନୁହନ୍ତି, ଘର ପରିସରରେ ଗଛ ରଖିଥିବା ଅନେକ ପ୍ରକୃତିପ୍ରେମୀ ରାଜଧାନୀବାସୀଙ୍କର ସମାନ ଅଭିଯୋଗ। ଚାଷ ବା ବ୍ୟବସାୟିକ କାମରୁ ସବୁଜ ବର୍ଜ୍ୟ ବାହାରୁଥିଲେ, ସେଥିପାଇଁ ଦେୟ ଆଦାୟ ହୁଏତ ଯୁକ୍ତିଯୁକ୍ତ ହୁଅନ୍ତା; କିନ୍ତୁ ସହରର କଂକ୍ରିଟ ଜଙ୍ଗଲରେ ପରିବେଶ ବା ସୌନ୍ଦର୍ଯ୍ୟ ପାଇଁ ନିଜ ଜାଗାରେ ଗଛ ଲଗାଇଥିବା ଲୋକଙ୍କୁ ଦେୟ ଦେବାକୁ ପଡ଼ିବା ଦୁର୍ଭାଗ୍ୟଜନକ। ଉତ୍ସାହିତ କରିବା ବଦଳରେ ପ୍ରଶାସନ ପ୍ରକୃତିପ୍ରେମୀଙ୍କୁ ପରୋକ୍ଷରେ ନିରୁତ୍ସାହିତ କରୁଛି ବୋଲି ସେମାନେ କହିଛନ୍ତି। ଏହି ସବୁଜ ବର୍ଜ୍ୟ ପାଇଁ ବିଭିନ୍ନ ମହଲରୁ ଏଭଳି ପ୍ରତିକ୍ରିୟା ଆସିଛି। ଅଧିକାଂଶଙ୍କ ମତ ହେଉଛି ଅନ୍ତତଃ ପୂଜା ପର୍ଯ୍ୟନ୍ତ ସବୁଜ ବର୍ଜ୍ୟ ମାଗଣା ଉଠାଇବା ପାଇଁ ବ୍ୟବସ୍ଥା କରିବା କଥା। କେବଳ ସେପ୍ଟେମ୍ବର ଗୋଟିଏ ମାସ କାହିଁକି ମାଗଣାରେ ଉଠା ଯାଉଥିଲା ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ବିଏମ୍‌ସି କହୁଛି, ଗୋଟିଏ ମାସ ଏହି ସେବା ମାଗଣା‌ରେ ଉପଲବ୍ଧ କରାଯାଇଥିଲା। ସଫା ଆପ୍‌ ଲୋକମାନେ ବ୍ୟବହାର କରିବା ଅଭ୍ୟାସରେ ପଡ଼ିଲେ। ଏବେ ଏହାର ବ୍ୟବହାର ବଢ଼ିଛି। ସବୁଜ ବର୍ଜ୍ୟ ପାଇଁ ଆମେ ଏକ ଏସ୍‌ଓପି ପ୍ରସ୍ତୁତ କରୁଛୁ। କିନ୍ତୁ କର୍ପୋରେସନ ବୈଠକରେ ବିରୋଧ ହେବା ପରେ ଏହାକୁ ଦେୟମୁକ୍ତ କରିବାକୁ ସ୍ଥିର କରାଯାଇଛି। ଲୋକମାନେ ପୂର୍ବବତ୍‌ ସଫା ଆପ୍‌ରେ ବୁକିଂ କରିବେ। କିନ୍ତୁ ପଇସା ପଡ଼ିବ ନାହିଁ। ଖୁବ୍‌ଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ।